ବୁଧବାର ୟୁଥ ଲିଡ଼ ଫାଉଣ୍ଡେସନ(Youth Lead Foundation) ଓ ମିଶନ ରକ୍ତଦାନ ଆନୁକୂଲ୍ୟରେ କେନ୍ଦ୍ରାପଡ଼ା ପୁରୁଣା ଡାକ୍ତର ଖାନାରେ ଥିବା ରାଜ୍ୟ ରକ୍ତ ଭଣ୍ଡାର ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜିର ଯୁବ ପିଢ଼ି ନିଜର ଜନ୍ମଦିନକୁ ଭୋଜିଭାତ, କ୍ଳବ ଏବଂ କେକ୍ କାଟି ଯାକ ଯକମରେ ବିଭିନ୍ନ ଜାଗା ଭ୍ରମଣ କରି ପାଳନ କରୁଛନ୍ତି ଏବଂ ଜନ୍ମଦିନକୁ ସ୍ୱତନ୍ତ୍ର କରିବାକୁ ଯାଇ ଅନେକ ଖର୍ଚ୍ଚାନ୍ତ ହେଉଛନ୍ତି l ମାତ୍ର ସେସବୁ ହେଉଛି କ୍ଷଣିକ ସୁଖ ପାଇଁ l ଏହି ଖୁସି ପଛରେ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଅଂଚଳର ଯୁବ ସ୍ୱେଚ୍ଛାସେବୀ ରାକେଶ ବଳ ନଗୋଡ଼ାଇ କିଛି ଭିନ୍ନ ଉପାୟରେ ନିଜର ଜନ୍ମଦିନକୁ ପାଳନ କରିଛନ୍ତି l ନିଜର ଏହି ଦିନକୁ ସ୍ମୃତିଦାୟକ କରିବାକୁ ଯାଇ ଚଳିତ ବର୍ଷ ରକ୍ତଦାନ ଶିବିର କରି ଜନ୍ମଦିନକୁ ପାଳନ କରିଛନ୍ତି । ଚ୍ଚଳିତ ବର୍ଷର ରକ୍ତଦାନ ଶିବିର ସମ୍ପୂର୍ଣ୍ଣ ଭାବରେ ଥାଲେସେମିୟା ଭାଇ ଭଉଁଣୀଙ୍କ ଉଦ୍ଦେଶ୍ୟରେ ସମର୍ପିତ l ରାଜ୍ୟରେ ରକ୍ତର ଅଭାବ ରହିଥିବା ବେଳେ ଏହାକୁ କିଛି ମାତ୍ରାରେ ପୁରଣ କରିବାକୁ ଯାଇ ରାକେଶ ୭ବର୍ଷ ହେବ ନିଜର ଜନ୍ମଦିନରେ ରକ୍ତଦାନ ଶିବିର କରିଆସୁଛନ୍ତି l
ସମାଜସେବାକୁ ନିଜର ବ୍ରତ ବୋଲି ଭାବି ନେଇଥିବା ୨୭ ବର୍ଶୀୟ ରାକେଶ ଆଜିକୁ ମିଶାଇ ୨୦ଥର ରକ୍ତଦାନ କରିବା ସହିତ ଯୁବକ ଯୁବତୀ ମାନେ ରକ୍ତଦାନ କରିବା ପାଇଁ ଆଗେଇ ଆସନ୍ତୁ ବୋଲି ସେ ନିଜର ମତବ୍ୟକ୍ତ କରିଛନ୍ତି। ଗତ ୭ବର୍ଷ ହେବ ଲଗାତାର ଭାବେ ରାକେଶ ନିଜର ଜନ୍ମଦିନରେ ରକ୍ତଦାନ ଶିବିର ସହିତ ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରି ଆସୁଛନ୍ତି l ମୁଖ୍ୟ ଅତିଥି ଭାବେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗର ଉପ ପ୍ରବନ୍ଧକ ଡ଼ା. ସୁକାନ୍ତ କୁମାର ପ୍ରଧାନ ଏବଂ ରକ୍ତ ଭଣ୍ଡାରର ମୁଖ୍ୟ ଡ଼ା ମାନସ କୁମାର ଜେନା ଯୋଗ ଦେଇ ଏହି ଶିବିରକୁ ଶୁଭ ଉଦଘାଟନ କରିଥିଲେ । ରାକେଶଙ୍କ ଆହ୍ୱାନ କ୍ରମେ ରକ୍ତ ଦାନ ନିମନ୍ତେ ସ୍ୱ-ଇଚ୍ଛାରେ ୨୨ଜଣ ଯୁବକ ଯୁବତୀ ରକ୍ତଦାନ କରିଥିଲେ l ଥାଲେସେମିଆ ରୋଗୀଙ୍କ ଉଦେଶ୍ୟରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ସମସ୍ତ ରକ୍ତଦାତା ଜୀବନଦାତା ମାନଙ୍କୁ ଚାରା ପ୍ରଦାନ କରାଯାଇ ସମ୍ବୋଧିତ କରାଯାଇଥିଲା l
ଆଜିର ଯୁବପିଢ଼ି ନିଜର ଜନ୍ମଦିନକୁ କାହିଁ କେତେ ଯାକ ଯକମରେ ପାଳନ କରୁଥିବା ସମୟରେ ରାକେଶଙ୍କ ଏଭଳି ଭିନ୍ନ ଉପାୟରେ ଜନ୍ମଦିନ ପାଳନ ସାଧାରଣରେ ଚର୍ଚ୍ଚା ହେବା ସହ ବୁଦ୍ଧିଜୀବୀ ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି l ସମସ୍ତ ରକ୍ତଦାତା ଜୀବନ ଦାତା ମାନଙ୍କୁ ଚାରା ପ୍ରଦାନ କରାଯାଇ ସମ୍ବର୍ଧନା କରାଯାଇଥିଲା l ଏହି ଶିବିରରେ କେନ୍ଦ୍ରାପଡ଼ା ସେବା ସମିତି ର ସଭାପତି ମନୋଜ ନାୟକ, ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ବରିଷ୍ଠ ସାମ୍ବାଦିକ ଶିବାଶିଷ ମହାନ୍ତି, ଗୌରାଙ୍ଗ ନାୟକ ପ୍ରମୁଖ ଯୋଗ ଦେଇ ରକ୍ତଦାତା ଜୀବନ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ । କେନ୍ଦ୍ରାପଡ଼ା ରକ୍ତଭଣ୍ଡାର ସଦସ୍ୟ ରାକେଶ କୁମାର ମିଶ୍ର, ଦୀପକ କୁମାର ବରାଳ, ଶ୍ରାବଣୀ ନାୟକ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ l ପରିଶେଷରେ ନିଜ ଜନ୍ମ ଦିବସରେ ରାକେଶ ମଧ୍ୟ ରକ୍ତଦାନ କରି ସମାଜ ପାଇଁ ସୃଷ୍ଟି କରିଛନ୍ତି ଅନନ୍ୟ ଉଦାହରଣ। ଏହି କାର୍ଯ୍ୟକ୍ରମରେ ୟୁଥ ଲିଡ଼ ଫାଉଣ୍ଡେସନ, ମିଶନ ରକ୍ତଦାନ, କେନ୍ଦ୍ରାପଡ଼ା ସେବା ସମିତି ଏବଂ ଜାତୀୟ ଯୁବ ପ୍ରକଳ୍ପ ସହଯୋଗ କରିଥିବା ବେଳେ ସୌମ୍ୟରଞ୍ଜନ ପରିଡା,ପ୍ରଦୀପ୍ତ କୁମାର ଜେନା , ପ୍ରଦୀପ୍ତ, ଶକ୍ତିସ୍ୱରୂପ ସାହୁ ଏବଂ ଶୁଭସ୍ମିତା ସେଠୀ, ଭାରତୀ ପ୍ରିୟଦର୍ଶିନୀ ଜେନା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l
