ସଂଚାର ବ୍ୟୁରୋ: ଆକାଉଣ୍ଟରୁ ଗାଏବ ହୋଇଗଲା ଆବାସ ଟଙ୍କା । ଏଭଳି ଘଟଣା ଘଟିଛି ଗୁଣୁପୁର ବ୍ଲକ୍ ଚିନାସାରି ପଞ୍ଚାୟତ ପେରେଣ୍ଡା ଗାଁରେ । ଗାଁର ଡାସାରି ଶବରଙ୍କର ସ୍ଥାନୀୟ ଉତ୍କଳ ଗ୍ରାମୀଣ ବ୍ଯାଙ୍କରେ ଥିବା ଆକାଉଣ୍ଟକୁ ଟଙ୍କା ଆସିଥିଲା । ଡାସାରି ପୂର୍ବରୁ ୭୩ ହଜାର ଟଙ୍କା ଉଠାଇଥିଲେ । ବାକି ବଳକା ଟଙ୍କା ଆକାଉଣ୍ଟରେ ଜମା ଥିଲା । କିଛିମାସ ପରେ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କକୁ ଯାଇଥିଲେ ଡାସାରି । ତାଙ୍କ ଆକାଉଣ୍ଟରେ ଟଙ୍କା ନଥିବା ଜାଣିବାକୁ ପାଇଥିଲେ । ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ପଚରାଉଚୁରା କରିବାରୁ ଅଗଷ୍ଟ ମାସ ୨୦ ରୁ ୨୪ ତାରିଖ ମଧ୍ୟରେ ଚାରି ଥରରେ ଟଙ୍କା ଉଠାଯାଇଥିବା ଜାଣିବାକୁ ପାଇଥିଲେ। ଚାରି ଥରରେ ୩୬ ହଜାର ୪୦୦ ଟଙ୍କା ଆକାଉଣ୍ଟରୁ ଗାଏବ କରିଦିଆଯାଇଛି। ତାଙ୍କ ଆକାଉଣ୍ଟରୁ ବାହାର ରାଜ୍ୟରେ ଟଙ୍କା ଉଠାଯାଇଥିବା ବ୍ୟାଙ୍କ୍ କର୍ତ୍ତୃପକ୍ଷ କହିଥିଲେ । ଆଧାର କାର୍ଡ ମାଧ୍ୟମରେ ଟଙ୍କା ଉଠାଯାଇଥିବା ଜଣାପଡିଥିଲା । ଏନେଇ ଡାସାରି ପୁଟାସିଂ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଡାସାରି ଫୋନ ବ୍ୟବହାର କରୁନାହାଁନ୍ତି । ତେଣୁ କେମିତି ଓଟିପି ଆସିଲା ଓ ଟଙ୍କା ଗାଏବ ହେଲା ବୋଲି ପ୍ରଶ୍ନ ଉଠିଛି । ଆଧାରକାର୍ଡ ଅନୁଯାୟୀ କୌଣସି ଜାଗାରେ ସେ ଟିପ ଚିହ୍ନ ଦେଇନାହାଁନ୍ତି । ଏବେ ନିରାଶ ହୋଇ ପୋଲିସରେ ଅଭିଯୋଗ କରିବା ସହିତ ସାଇବର ପୋର୍ଟାଲରେ ମଧ୍ଯ ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।