ସଂଚାର ବ୍ୟୁରୋ: ରାଜ୍ୟରେ ବିଜେପି ସରକାରଙ୍କ ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନା ପାଇଁ ଏବେ ରାଜ୍ୟବ୍ୟାପୀ ପଞ୍ଜିକରଣ ପ୍ରକ୍ରିୟା ଜାରି ରହିଛି । ତେବେ ରାଜ୍ୟ ସରକାର ଏବେ ଏହି ଯୋଜନାର ନିୟମକୁ ଆଜି ସାମାନ୍ୟ କୋହଳ କରିଛନ୍ତି । ଆଧାର ନମ୍ବର ସହିତ ମୋବାଇଲ ଫୋନ୍ ନମ୍ବର ଲିଙ୍କ୍ ହୋଇନଥିଲେ ମଧ୍ୟ ବାୟୋମେଟ୍ରିକ ପଦ୍ଧତିରେ ଆଧାର ପ୍ରମାଣୀକରଣ କରାଯାଇପାରିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ତେଣୁ ବିନା ମୋବାଇଲ୍ ନମ୍ବର ଲିଙ୍କରେ ମଧ୍ୟ ସୁଭଦ୍ରା ଯୋଜନା ପାଇଁ ଆବେଦନ ପୂରଣ ଓ ପଞ୍ଜିକରଣ କରିହେବ ବୋଲି ସରକାର କହିଛନ୍ତି ।
ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ‘ସୁଭଦ୍ରା’ ସହାୟତା କେନ୍ଦ୍ର ପରିଦର୍ଶନ କରିବା ସହ ଯେଭଳି କୌଣସି ଜଣେବି ହିତାଧିକାରୀ ବାଦ୍ ନପଡ଼ିବେ ସେଥିପାଇଁ ବ୍ୟାପକ ସଚେତନତା ସୃଷ୍ଟି ସହ ସଜାଗ ରହିବାକୁ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୁଭଦ୍ରା ଯୋଜନା ପାଇଁ ପଞ୍ଜିକରଣର କୌଣସି ଶେଷ ତାରିଖ ନିର୍ଦ୍ଧାରଣ ହୋଇନଥିବାରୁ ଆବେଦନକାରୀମାନେ ବ୍ୟସ୍ତ ନହେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ରାଜ୍ୟର ସମସ୍ତ ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ‘ସୁଭଦ୍ରା’ ଯୋଜନାର ଫର୍ମ ଉପଲବ୍ଧ ଅଛି । ସୁଭ୍ରଦା ଫର୍ମ ଦାଖଲ କରିବା ପାଇଁ ଆଧାର ସହିତ ମୋବାଇଲ୍ ନମ୍ବର ଲିଙ୍କ ହୋଇନଥିଲେ ମଧ୍ୟ ଆବେଦନ କରାଯାଇପାରିବ । ହିତାଧିକାରୀ ପଞ୍ଜିକରଣ ମଧ୍ୟ ହୋଇପାରିବେ ବୋଲି ଶ୍ରୀମତୀ ପରିଡ଼ା ସ୍ପଷ୍ଟ କରିଛନ୍ତି । ସୁଭଦ୍ରା ଯୋଜନାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ସନ୍ଦେହ ଥିଲେ ସେମାନେ ରାଜ୍ୟ