ଦେଶରେ ବେରୋଜଗାରୀ ବଢିଛି। ଯୁବବର୍ଗଙ୍କୁ ମିଳୁନି ନିଯୁକ୍ତି। ମହଙ୍ଗା, ଦାରିଦ୍ର୍ୟ ମଧ୍ଯରେ ଲୋକେ ଛଟପଟ ହେଉଛନ୍ତି। ସେପଟେ ଘରୋଇକରଣର ରାଜ୍ ଚାଲିଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଉତ୍ତରପ୍ରଦେଶ ରାଏବରେଲି ଗସ୍ତରେ ଯାଇ ରାହୁଲ କହିଛନ୍ତି- ବିଭିନ୍ନ ସମସ୍ୟାରେ ଉତ୍ତରପ୍ରଦେଶ ସଢୁଛି। ରାଜ୍ଯରେ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ଫେଲ ମାରିଛି। ସ୍କୁଲ, କଲେଜ, ରାଷ୍ଟ୍ରାୟତ୍ତ ଉଦ୍ଯୋଗକୁ ନଷ୍ଟ କରିଦିଆଗଲାଣି। ବର୍ତ୍ତମାନ ଡିଗ୍ରୀର ମୂଲ୍ଯ କିଛି ନାହିଁ। ଡିଗ୍ରୀ କଲେ ବି ମିଳୁନି ନିଯୁକ୍ତି। କର୍ଣ୍ଣାଟକ ଓ ତେଲଙ୍ଗାନାର ଉଦାହରଣ ଦେଇ ସେ କହିଛନ୍ତି- ଏହି ଦୁଇ ରାଜ୍ଯରେ ଯୁବବର୍ଗଙ୍କ ସମସ୍ୟାର ସମାଧାନ ହୋଇଛି। ଦେଶରେ ଘରୋଇକରଣକୁ ପ୍ରାଧାନ୍ୟ ଦିଆଯାଉଛି। ଦେଶରେ ନିଯୁକ୍ତି ନଥିବାରୁ ଲୋକେ ଆମେରିକା ଚାଲିଯାଉଛନ୍ତି ବୋଲି ସେ କହିଛନ୍ତି।