ଗ୍ୟାଙ୍ଗଷ୍ଟର୍ ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲ ବିଷ୍ଣୋଇଙ୍କୁ ଆମେରିକା ପୋଲିସ ଗିରଫ କରିଛି । ସେ ମୁମ୍ବାଇରେ ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ଏବଂ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଫାୟାରିଂ ମାମଲାରେ ୱାଣ୍ଟେଡ୍ ଥିଲେ । ତାଙ୍କୁ ଆମେରିକାର ଆଇନ ଶୃଙ୍ଖଳା ଅଧିକାରୀମାନେ ଗିରଫ କରିଛନ୍ତି । ବର୍ତ୍ତମାନ ତାଙ୍କୁ ଆୟୋୱାର ଏକ ଜେଲରେ ରଖାଯାଇଛି ।
ନିକଟରେ ‘ଆମେରିକା ଇମିଗ୍ରେସନ ଏବଂ କଷ୍ଟମ୍ସ ଏନଫୋର୍ସମେଣ୍ଟ’ ବିଭାଗର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ, ଅନମୋଲ ବିଷ୍ଣୋଇ ଆୟୋୱାର ଏକ କାଉଣ୍ଟି ଜେଲରେ ବନ୍ଦୀ ଅଛନ୍ତି । କୁହାଯାଉଛି ଯେ ଅନମୋଲ କାନାଡାରେ ରହୁଥିଲେ ଏବଂ ନିୟମିତ ରୂପେ ଆମେରିକା ଯିବାଆସିବା କରୁଥିଲେ । ସେ ଲରେନ୍ସଙ୍କ ସାନ ଭାଇ । ଲରେନ୍ସ ବର୍ତ୍ତମାନ ଅହମ୍ମଦାବାଦର ସାବରମତୀ କେନ୍ଦ୍ରୀୟ କାରାଗାରରେ ବନ୍ଦୀ ଅଛନ୍ତି । ଜେଲରେ ଥାଇ ମଧ୍ୟ ବିଶ୍ୱରେ ଅପରାଧୀ ଗ୍ୟାଙ୍ଗ୍ ଚଳାଇବାରେ ତାଙ୍କ ନାମରେ ଅଭିଯୋଗ ରହିଛି ।
ଅନମୋଲ ଗତ ମାସରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ବାବା ସିଦ୍ଦିକିଙ୍କ ହତ୍ୟା ସମେତ ଅନେକ ଅପରାଧିକ ମାମଲାରେ ୱାଣ୍ଟେଡ୍ ଥିଲେ । ଚଳିତ ବର୍ଷ ଏପ୍ରିଲ ୧୪ରେ ସଲମାନଙ୍କ ଘର ବାହାରେ ଫାୟାରିଂ ମାମଲାରେ ବି ତାଙ୍କର ହାତ ଥିଲା ବୋଲି ଅଭିଯୋଗ ରହିଛି ।