ପୁରୀ : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ହରିହର ବେଶ। ରତ୍ନସିଂହାସନ ଉପରୁ ଭକ୍ତଙ୍କୁ ହରିହର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଅବକାଶ ନୀତି ପରେ ପୁଷ୍ପାଳକ ସେବକମାନେ ବଡ଼ଠାକୁରଙ୍କୁ ଏହି ବେଶରେ ସଜ୍ଜିତ କରିଛନ୍ତି। ହରିହର ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ଦିଶିବା ସହ ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଥାନ୍ତି। କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟା ପର ଠାରୁ ଶୁକ୍ଳ ଦଶମୀ ମଧ୍ୟରେ ଯେଉଁଦିନ ସୋମବାର ପଡେ, ସେହିଦିନ ରତ୍ନସିଂହାସନରେ ଅଧିଷ୍ଟିତ ବଡ଼ଠାକୁରଙ୍କୁ ହରିହର ବେଶରେ ସଜ୍ଜିତ କରିବାର ବିଧି ରହିଥାଏ।
ପୁଷ୍ପାଳକ ସେବକମାନେ ବଡ଼ଠାକୁରଙ୍କୁ ହରିହର ବେଶରେ ଏବଂ ଶ୍ରୀଜଗନ୍ନାଥଙ୍କୁ ରାଧାଦାମୋଦର ବେଶରେ ସଜ୍ଜିତ କରିଥାନ୍ତି । ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ସାଙ୍ଗକୁ ଶ୍ରୀଜଗନ୍ନାଥଙ୍କର ରାଧାଦାମୋଦର ବେଶ ଦେଖି ଭକ୍ତ ଆତ୍ମତୃପି ଲାଭ କରୁଛନ୍ତି ।