ସଂଚାର ବ୍ୟୁରୋ: ଆଜି ଆୟୁଷ୍ମାନ ଭାରତ ପାର୍ଟ -୨ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି । ୭୦ ବର୍ଷ ବୟସରୁ ଅଧିକ ସମସ୍ତ ନାଗରିକଙ୍କୁ ମିଳିବ ମାଗଣା ସ୍ବାସ୍ଥ୍ୟ ସେବା । ଏପଟେ ରାଜ୍ୟରେ ଚଳିତ ଆର୍ଥିକବର୍ଷ ଶେଷ ସୁଦ୍ଧା ମିଳିବ ନୂଆ ସ୍ବାସ୍ଥ୍ୟବୀମା କାର୍ଡ । ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଗୋଟିଏ କାର୍ଡ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଓଡ଼ିଶାରେ ପୂର୍ବରୁ ଆୟୁଷ୍ମାନ ଯୋଜନା ଲାଗୁ ହୋଇନଥିଲା । ତେଣୁ ମୋଡ଼ାଲିଟ ବି ପ୍ରସ୍ତୁତ ହୋଇନାହିଁ । ଖୁବଶୀଘ୍ର ମୋଡ଼ାଲିଟ ପ୍ରସ୍ତୁତ କରି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାକୁ ଲାଗୁ କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ସରିଛି ଓ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ଚାଲିଛି । ରାଜ୍ୟରେ ଏକ କୋଟି ପରିବାର ପାଇଁ ଏହି ନୂଆ କାର୍ଡର ବ୍ୟବସ୍ଥା କରାଯିବ । ନୂଆ କାର୍ଡ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଯୋଗାଇ ଦିଆଯିବ । ପ୍ରାୟ ୩ କୋଟି ୫୦ ଲକ୍ଷ ଲୋକ ସୁବିଧା ପାଇବେ । ପୁରୁଣା କାର୍ଡରେ ପୂର୍ବରୁ ୯୫୦ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳୁଥିଲା । ନୂଆ କାର୍ଡ ଲଞ୍ଚ ହେବା ପରେ ୨୭ ହଜାର ହସ୍ପିଟାଲରେ ଲୋକଙ୍କୁ ଚିକିତ୍ସା ସୁବିଧା ମିଳିବ। ଏହି ଯୋଜନାରେ ୭୦ ବର୍ଷ ବୟସରୁ ଉର୍ଦ୍ଧ୍ବ ବୟସ୍କ ନାଗରିକଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସେବା ମିଳିବ।