ସଂଚାର ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାରଠାରୁ ହରିଆଣା ଓ ମୁମ୍ବାଇ ଗସ୍ତରେ ଯାଉଛନ୍ତି । ୧୬ ତାରିଖ ଅପରାହ୍ନରେ ସେ ହରିଆଣା ଅଭିମୁଖେ ଗସ୍ତ କରିବେ । ୧୭ ତାରିଖରେ ଚଣ୍ଡିଗଡ଼ରେ ନବଗଠିତ ହରିଆଣା ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ସେ ଯୋଗ ଦେବେ । ସେହିଦିନ ଅପରାହ୍ନରେ ଚଣ୍ଡିଗଡ଼ରେ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ଶ୍ରୀ ମାଝୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଚଣ୍ଡିଗଡ଼ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୁମ୍ବାଇ ଯାଇ ୧୮ ତାରିଖରେ ଇଣ୍ଡିଆନ କେମିକାଲ୍ସ କ୍ଷେତ୍ରରେ ସମ୍ଭାବନା ସମ୍ବନ୍ଧିତ ଏକ ସମ୍ମିଳନୀରେ ଯୋଗ ଦେବେ । ୧୮ ତାରିଖ ଅପରାହ୍ନ ଓ ୧୯ ତାରିଖ ସକାଳେ ସେ ମୁମ୍ବାଇରେ ଆଗାମୀ ମେକ୍ ଇନ୍ ଓଡ଼ିଶା ପାଇଁ ନିବେଶକ ସମ୍ମିଳନୀରେ ଯୋଗଦେବେ । ବିଶିଷ୍ଟ ନିବେଶକମାନଙ୍କୁ ଭେଟି ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିବେ । ଓଡ଼ିଶାରେ ଶିଳ୍ପାୟନ ପାଇଁ ଥିବା ସମ୍ଭାବନା ସମ୍ପର୍କରେ ଶିଳ୍ପ ବିଭାଗ ପକ୍ଷରୁ ସେଠାରେ ଏକ ରୋଡ ସୋ’ରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗ ଦେବେ । ଆସନ୍ତା ଜାନୁଆରୀ ୨୮ ଓ ୨୯ରେ ଦୁଇଦିନ ଧରି ଉତ୍କର୍ଷ ଓଡ଼ିଶା: ମେକ୍ ଇନ ଓଡ଼ିଶା କନ୍କ୍ଲେଭ ୨୦୨୫ ଆୟୋଜିତ ହେବ । ୧୯ ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରି ଆସିବେ ।