ସଂଚାର ବ୍ୟୁରୋ: ଭଡା ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ । ଯାଜପୁର ଜିଲ୍ଲା କୁଆଖିଆ ବଜାର ଅଞ୍ଚଳରେ ଥିବା ଏକ ଭଡା ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ଜଣଙ୍କ ସ୍ଥାନୀୟ ଭୋଟକା ଗାଁର କୈଳାସ ରାଉତଙ୍କ ଝିଅ ଦୀପାଞ୍ଜଳି । ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଦୀପାଞ୍ଜଳୀ ଗତ ୩ ବର୍ଷ ତଳେ କୁଆଖିଆ ଥାନା ଭୋଟକା ଗାଁର ବିଷ୍ଣୁ ଚରଣ ବେହେରାଙ୍କ ପୁଅ ସତ୍ୟରଞ୍ଜନ ବେହେରାଙ୍କୁ ପ୍ରେମ ବିବାହ କରିଥିଲେ ।
ବିବାହ ପରେ ପାରିବାରିକ ବିବାଦ ଯୋଗୁଁ ଉଭୟ ପତି ଓ ପତ୍ନୀ କୁଆଖିଆ ବଜାର ଗ୍ରାମ୍ୟ ବ୍ୟାଙ୍କ ନିକଟରେ ଏକ ଭଡାଘରେ ରହୁଥିଲେ । ହେଲେ ଆଜି ଦୀପାଞ୍ଜଳିଙ୍କ ପରିବାର ଲୋକେ ତାଙ୍କୁ ଫୋନ କରିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନଥିଲେ। ପରେ ସ୍ୱାମୀ ସତ୍ୟରଞ୍ଜଙ୍କୁ ଫୋନ କରିଥିଲେ ଦୀପାଞ୍ଜଳିଙ୍କ ପରିବାର ଲୋକେ । ହେଲେ ସେ ମଧ୍ୟ କୌଣସି ଉତ୍ତର ନଦେବାରୁ ପରିବାର ଲୋକେ ଆସି ଘର ଭିତରେ ଦୀପାଞ୍ଜଳିଙ୍କ ମୃତଦେହ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘରର କବାଟ ଭାଙ୍ଗି ଦୀପାଞ୍ଜଳିଙ୍କ ମୃତଦେହ ଉଦ୍ଧାର କରିବା ସହ ତାଙ୍କ ସ୍ବାମୀ ସତ୍ୟରଞ୍ଜନକୁ ନିଜ ହେପାଜତକୁ ନେଇଥିଲା।
ଦୀପାଞ୍ଜଳିଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ପରିବାର ପକ୍ଷରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରାଯାଇଛି । ପୁଲିସ ସ୍ୱାମୀକୁ ଥାନାରେ ଅଟକ ରଖିବା ସହ ଏକ ମାମଲା ରୁଜ୍ଜୁ କରି ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି। ଶଵ ବ୍ୟବଛେଦ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚନ ହେବ ବୋଲି କୁଆଖିଆ ଥାନା ଅଧିକାରୀ ଅନିରୁଦ୍ଧ ନାୟକ ସୂଚନା ଦେଇଛନ୍ତି।