ସଂଚାର ବ୍ୟୁରୋ: ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ଅରମ୍ଭ ହୋଇଛି ଶାରଦୀୟ ପର୍ବ ଲାଗି ଷୋଡଶ ଉପଚାର ପୂଜା । ମାଆ ବିରଜା ମହିଷାସୁରକୁ ବଧ କରିବା ପାଇଁ ବ୍ରହ୍ମାକୁଣ୍ଡରୁ ଜାତ ହୋଇଥିବାରୁ ଏହି ପରମ୍ପରାରେ ପ୍ରତେକ ବର୍ଷ ପୂଜାବିଧି ହୋଇଥାଏ । ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଶ ଧୁମ ଧାମରେ ପାଳନ ହେଉଛି ଶାରଦୀୟ ପୂଜା ମହୋଚ୍ଛବ । ସନ୍ଧ୍ୟା ସମୟରେ ମନ୍ଦିର ଗର୍ଭ ଗୃହରୁ ମୁଖ୍ୟ ପୂଜକ, ପୁରୋଧା, ଆର୍ଶା, ସମୀଦ୍ଧ, ଛତ୍ର, ତରାଶ, ଘଣ୍ଟ ବାଦ୍ୟ ସହିତ ସମସ୍ତେ ଏକ ଶୋଭାଯାତ୍ରାରେ ଯାଇ ବ୍ରହ୍ମାକୁଣ୍ଡରେ ପହଂଚି ମା’ଙ୍କର ସ୍ନାନ, ତର୍ପଣ, ସଂକଳ୍ପ କରିଥିଲେ । ପରେ ଏକ କଳସରେ ଜଳ ଧରି ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ । ରାତ୍ର ୮ଟା ୪୦ରେ ମହାସ୍ନାନ ଆୟୋଜନ କରାଯାଇ ବଡ଼ ସିଂହାର ବେଶ କରାଯାଇଛି । ପରେ ଘଟ ପୂଜା ଓ ଯଜ୍ଞ କରାଯାଇଛି । ଏହି ପୂଜା ଷୋଳ ଦିନ ଧରି ଚାଲିବ । ପ୍ରଥମ ଦିନରେ ୧୦ ଟି କଳସ ବସିଥିବା ବେଳେ ପଞ୍ଚମୀ ଦିନରେ ଆଉ ପାଞ୍ଚଟି କଳସ ସ୍ଥାପନ କରିବା ସହ ଅଷ୍ଟମୀ ଦିନ ଆଉ ଏକ କଳସ ସ୍ଥାପନ କରାଯିବ । ଏହିପରି ଭାବେ ଷୋଳ କଳସ ସ୍ଥାପନ କରି ପୂଜାର୍ଚ୍ଚନା କରାଯିବ ବୋଲି କହିଛନ୍ତି ସେବାୟତ ଓ ମୁଖ୍ୟ ପୁରୋଧା । ସେପଟରେ ପୂଜା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।