ଦୀପାବଳି ଅବସରରେ ଦେଶର ସୁରକ୍ଷାକର୍ମୀଙ୍କ ସହ ଆଲୋକର ପର୍ବ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନକ୍ସଲବାଦରେ ବିଜୟ ହାସଲ କରିବା ପରେ ଏହା ପ୍ରଥମ ଦୀପାବଳି । ଏହା ସହିତ ସମସ୍ତ ଯବାନଙ୍କୁ ଦୀପାବଳିର ଶୁଭକାମନା ଜଣାଇଛନ୍ତି । ଏନେଇ ସେ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପୂର୍ବରୁ ନକ୍ସଲ ସଂଗଠନର ମୁଖିଆମାନେ ଉତ୍ସବ ପାଳନ କରୁଥିଲେ । ଦୁର୍ଭାଗ୍ୟବଶତଃ, ସେତେବେଳର ସରକାରମାନେ ନକ୍ସଲବାଦକୁ ଏକ ଅସାଧ୍ୟ ରୋଗ ବୋଲି ଭାବି ଏହାକୁ ଅଣଦେଖା କରିଥିଲେ । ଏହା ଏମିତି ଏକ ସମସ୍ୟା, ଯାହା ଏହିପରି ଚାଲିଥିବ ବୋଲି ସ୍ୱୀକାର କରାଯାଇଥିଲା । ଦେଶ ନିଜ ଶତ୍ରୁଙ୍କ ପ୍ରତି ଏମିତି ଚାଲିଥିବ ମନୋଭାବ ନେଇ ଆଗକୁ ବଢ଼ିପାରିବ ନାହିଁ ।
ଦେଶର ପ୍ରଗତି ପାଇଁ ଶତ୍ରୁଙ୍କ ମୁକାବିଲା ଦୃଢ଼ ମନୋବଳ ସହ କରିବା ଆବଶ୍ୟକ । ଏଥିପାଇଁ ଯେଉଁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ରହିଥିଲା, ୨୦୧୪ରେ ତାହା ଦୂର ହୋଇଥିଲା । ଦେଶବାସୀ ତାଙ୍କୁ ମା’ ଭାରତୀଙ୍କ ସେବା କରିବାର ସୁଯୋଗ ଦେଇଥିବା ସେ କହିଛନ୍ତି । ଏହାକୁ ଯବାନଙ୍କ ସାହସ, ବୀରତ୍ୱ ଓ ସଂଯମର ବିଜୟ ବୋଲି ଅଭିହିତ କରିଛନ୍ତି ପ୍ରଧାନମନ୍ତ୍ରୀ । ସଫଳତା ପାଇଁ ସଠିକ୍ ଉଦ୍ଦେଶ୍ୟ ଏବଂ ଉପଯୁକ୍ତ ନୀତି ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି ।
୨୦୧୪ ପରଠାରୁ ପରିସ୍ଥିତି ଓ ପରିସଂଖ୍ୟାନରେ ପରିବର୍ତ୍ତନ ଆସିବା ଆରମ୍ଭ ହୋଇଥିବା ମୋଦି ଦାବି କରିଛନ୍ତି । ପୂର୍ବରୁ ନକ୍ସଲଙ୍କ ସଂଖ୍ୟା ଅପେକ୍ଷା ସୁରକ୍ଷାକର୍ମୀଙ୍କ ମୃତ୍ୟୁ ସଂଖ୍ୟା ଅଧିକ ଥିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଗତ ୪୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଗୋଟିଏ ବର୍ଷରେ ସିଆରପିଏଫର ଜଣେ ମଧ୍ୟ ଯବାନଙ୍କ ଜୀବନ ଯାଇନଥିବା ସେ ଉଲ୍ଲେଖ କରିଛନ୍ତି ।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ । ଏକ୍ସରେ ଏକ ପୋଷ୍ଟ କରି ସେ ଲେଖିଥିଲେ, ଦେଶର ସମସ୍ତ ପରିବାରଜନଙ୍କୁ ଦୀପାବଳିର ଅସୀମ ଶୁଭକାମନା ।



