କୋଟିଆରେ ଆନ୍ଧ୍ରର ଦାଦାଗିରି । ନେରିଡ଼ିୱାଲସାରେ ଓଡ଼ିଶା-ଆନ୍ଧ୍ର ପୁଲିସ ମୁହାଁମୁହିଁ । ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିଲା ଆନ୍ଧ୍ର ପୁଲିସ । କୋଟିଆରେ ଆନ୍ଧ୍ରର ନିର୍ବାଚନୀ କାର୍ଯ୍ୟକଳାପକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଘଟଣାସ୍ଥଳରେ କୋରାପୁଟ ଉପ-ଜିଲ୍ଲାପାଳ ଫାବି ରସିଦ୍ ଉପସ୍ଥିତ ଅଛନ୍ତି । ଉପ-ଜିଲ୍ଲାପାଳଙ୍କ ସହ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ରହିଛନ୍ତି ।
ଆନ୍ଧ୍ରର ଦାଦାଗିରି ପାଇଁ କୋଟିଆରେ ଟେନସନ । ଓଡ଼ିଶା ସୀମାରେ ବ୍ୟାରିକେଡ୍ ଭାଙ୍ଗିଲେ ଆନ୍ଧ୍ର ପୁଲିସ । ଆନ୍ଧ୍ର ପ୍ରଦେଶ ପକ୍ଷରୁ ନିର୍ବାଚନୀ କାର୍ଯ୍ୟକଳାପକୁ ନେଇ ପୁଣିଥରେ ଉତ୍ତେଜନା ଦେଖାଦେଇଛି । ଏହାକୁ କେନ୍ଦ୍ର କରି କୋଟିଆ ସୀମାନ୍ତ ନେରିଡ଼ିୱାଲସାଠାରେ ଓଡ଼ିଶା ଓ ଆନ୍ଧ୍ର ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ସୀମାନ୍ତ ଅଞ୍ଚଳରେ ଉତ୍ତେଜନା ବଢ଼ିବା ସହ ଉଭୟ ରାଜ୍ୟର ପୁଲିସ ମୁତୟନକୁ ନେଇ ପରିସ୍ଥିତି ଅଧିକ ତିକ୍ତ ହୋଇଛି । ଘଟଣା ସ୍ଥଳରେ କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦ୍ ସହ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଛନ୍ତି । ଆନ୍ଧ୍ରର ନିର୍ବାଚନୀ କାର୍ଯ୍ୟକଳାପକୁ ରୋକିବା ପାଇଁ ନେରିଡ଼ିୱାଲସା ଠାରେ ଓଡ଼ିଶା ପୁଲିସ ପକ୍ଷରୁ ବ୍ୟାରିକେଡ୍ କରାଯାଇଥିଲା । ତେବେ ଆନ୍ଧ୍ର ପୁଲିସ ଉକ୍ତ ବ୍ୟାରିକେଡ୍ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।
ଏହି ଘଟଣାକୁ ନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, କୋଟିଆ ଜଗିବେ ନେତା ଓ ଅଧିକାରୀ । ନିର୍ବାଚନ ଦିନ ସବୁ ଦଳର ନେତା ଏକାଠି ହୋଇ କୋଟିଆ ଜଗିବେ । ଏବେ ୮ ପ୍ଲାଟୁନ ପୁଲିସ ନିୟୋଜିତ ଅଛନ୍ତି । ଚେକ ପୋଷ୍ଟ କରି ସୀମା ଜଗିଛି ଓଡ଼ିଶା ପୁଲିସ । ଆନ୍ଧ୍ର ଚାଉଳ ଟ୍ରକ ଫେରାଇବା ସହ ଅଧିକାରୀଙ୍କୁ ଫେରାଯାଇଛି ।
କୋଟିଆବାସୀ ଏହି ନିର୍ବାଚନକୁ ବିରୋଧ କରୁଛନ୍ତି । କୋରାପୁଟରେ ସମସ୍ତ ଦଳ ଗୋଟିଏ ମଞ୍ଚରେ ଏକାଠି ହୋଇ ବିରୋଧ କରୁଛନ୍ତି । ସ୍ଥାନୀୟ ଲୋକ, ରାଜନୈତିକ ଦଳ, ସାମାଜିକ ସଙ୍ଗଠନ ନିର୍ବାଚନ ଦିନ କୋଟିଆରେ ରହିକି ନିର୍ବାଚନକୁ ପଣ୍ଡ କରିବେ । ବରିଷ୍ଠ ଅଧିକାରୀମାନେ ମଧ୍ୟ ଅଛନ୍ତି । ବାତ୍ୟା ବେଳେ ଓଡ଼ିଶା ସରକାରଙ୍କ ପ୍ରଶାସନ କୋଟିଆ ସହିତ ଥିଲା ଲୋକ ମଧ୍ୟ ଏହାକୁ ଉପଲବ୍ଧି କରୁଛନ୍ତି ।
ଆନ୍ଧ୍ର ପ୍ରଦେଶରୁ ଯେଉଁ ଚାଉଳ ଗାଡି ଆସିଥିଲା ତାକୁ ଲୋକେ ଫେରାଇଦେଲେ । ଗତ ଥର ନିର୍ବାଚନ ବେଳେ କୋଟିଆ ଭିତରେ ବୁଥ କରିଥିଲେ । ଚଳିତ ବର୍ଷ କୋଟିଆ ବାହାରେ ଆନ୍ଧ୍ର ଭିତରେ ପୋଲିଙ୍ଗ ବୁଥ କରିଛନ୍ତି । ଆମ ପ୍ରଶାସନ ପୁରା ପ୍ରସ୍ତୁତ ଅଛି । କୋଟିଆ ପ୍ରସଙ୍ଗ ଆଜିର ନୁହେଁ, ତତ୍କାଳୀନ ସରକାର ୧୯୬୮ ମସିହାରେ ସୁପ୍ରିମକୋର୍ଟ ଯାଇଥିଲେ ।
୨୦୨୧ରେ ସରକାର ନିର୍ଦ୍ଦେଶ ଅବମାନନା ନେଇ ସୁପ୍ରିମକୋର୍ଟ ଯାଇଥିଲେ ପୂର୍ବ ସରକାର । ଏବେ ଆମ ସରକାର ଆଉ ଗୋଟିଏ କଣ୍ଟେପ୍ଟ ପିଟିସନ ଦାଖଲ କରିଛି । ଆନ୍ଧ୍ର ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ସୁପ୍ରିମକୋର୍ଟରେ ମାମଲା ହୋଇଛି । ଆନ୍ଧ୍ରର ଏପ୍ରକାର ଉଦ୍ୟମ ସାମ୍ଵିଧାନିକ ସଙ୍କଟ ହୋଇଗଲା । ଆମେ ଆଇନଗତ ଲଢେଇରେ ଆଗକୁ ବଢ଼ିବାକୁ ଆଇନଜୀବିଙ୍କ ପରାମର୍ଶ ନେଉଛୁ ।



