ଆଜି ଶାରଦୀୟ ନବରାତ୍ରିର ସପ୍ତମ ଦିନ । ଏହି ପବିତ୍ର ଦିନରେ ମା’ ଦୁର୍ଗାଙ୍କ ସପ୍ତମ ସ୍ୱରୂପ ମା’ କାଳରାତ୍ରୀଙ୍କୁ ପୂଜା କରାଯାଏ । ଧାର୍ମିକ ମାନ୍ୟତା ଅନୁଯାୟୀ, ମା’ କାଳରାତ୍ରୀ ଦୁଷ୍ଟ ଶକ୍ତିର ବିନାଶ କରିବା ସହ ଭକ୍ତମାନଙ୍କୁ ଭୟ ଓ ସଙ୍କଟରୁ ମୁକ୍ତି ପ୍ରଦାନ କରନ୍ତି । ମା’ଙ୍କ ସ୍ୱରୂପ ଉଗ୍ର ହୋଇଥିଲେ ମଧ୍ୟ ସେ ନିଜ ଭକ୍ତମାନଙ୍କ ପାଇଁ ଅତ୍ୟନ୍ତ କଲ୍ୟାଣକାରୀ ।
ମା’ କାଳରାତ୍ରୀଙ୍କ ବାହନ ହେଉଛି ଗଧ । ମାନ୍ୟତା ରହିଛି ଯେ, ବିଧିବିଧାନ ଅନୁସାରେ ମା’ଙ୍କ ଆରାଧନା କଲେ ଜୀବନର ଦୁଃଖ ଓ କଷ୍ଟ ଦୂର ହେବା ସହ ସୁଖ ଓ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ତେବେ ନବରାତ୍ରିର ସପ୍ତମ ଦିନରେ ମା’ କାଳରାତ୍ରୀଙ୍କ ପୂଜା କିପରି କରିବେ, ମା’ଙ୍କୁ କେଉଁ ଭୋଗ ଅର୍ପଣ କରିବେ ଏବଂ କେଉଁ ରଙ୍ଗର ପୋଷାକ ପିନ୍ଧିବା ଶୁଭ, ଆସନ୍ତୁ ଜାଣିବା ।
ମା’ କାଳରାତ୍ରୀଙ୍କ ପୂଜାବିଧି:
ନବରାତ୍ରିର ସପ୍ତମ ଦିନ ସକାଳୁ ଶୀଘ୍ର ଉଠି ସ୍ନାନ କରି ଶୁଦ୍ଧ ବସ୍ତ୍ର ପରିଧାନ କରନ୍ତୁ । ଏହାପରେ ପୂଜାସ୍ଥଳକୁ ସଫା କରି ମା’ କାଳରାତ୍ରୀଙ୍କ ପ୍ରତିମା କିମ୍ବା ଫଟୋ ସ୍ଥାପନ କରନ୍ତୁ । ମା’ଙ୍କ ସାମ୍ନାରେ ଦୀପ ଜଳାଇ ରୋଲି, ଅକ୍ଷତ, ଫୁଲ ଓ ଜଳ ଅର୍ପଣ କରନ୍ତୁ । ପୂଜା ସମୟରେ ମନକୁ ଶାନ୍ତ ରଖି ମା’ଙ୍କୁ ସ୍ମରଣ କରନ୍ତୁ ଏବଂ ତାଙ୍କ ମନ୍ତ୍ର ଜପ କରନ୍ତୁ । ଏହାପରେ ମା’ଙ୍କୁ ଗୁଡ଼ ଭୋଗ ଅର୍ପଣ କରି ଶ୍ରଦ୍ଧାର ସହ ଆଳତି କରନ୍ତୁ । ପୂଜା ଶେଷ ହେବା ପରେ ପରିବାରର ସଦସ୍ୟଙ୍କ ମଧ୍ୟରେ ପ୍ରସାଦ ବଣ୍ଟନ କରନ୍ତୁ ।
ନବରାତ୍ରିର ସପ୍ତମ ଦିନ ଧୂସର ବା ସ୍ଲେଟି ରଙ୍ଗର ପୋଷାକ ପିନ୍ଧିବା ଶୁଭ ବୋଲି ମାନ୍ୟତା ରହିଛି । ଏହି ରଙ୍ଗ ଧୈର୍ଯ୍ୟ, ସ୍ଥିରତା ଓ ସନ୍ତୁଳନର ପ୍ରତୀକ ଭାବେ ବିବେଚନା କରାଯାଏ । ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ରଙ୍ଗ ଜୀବନର କଠିନ ପରିସ୍ଥିତିରେ ମଧ୍ୟ ସଂଯମ ବଜାୟ ରଖିବାକୁ ପ୍ରେରଣା ଦିଏ । ତେଣୁ ଏହି ଦିନ ମା’ଙ୍କ ପୂଜା କରିବା ସମୟରେ ଭକ୍ତମାନେ ଧୂସର ବା ସ୍ଲେଟି ରଙ୍ଗର ପୋଷାକ ପିନ୍ଧିପାରିବେ ।
ଧାର୍ମିକ ମାନ୍ୟତା ଅନୁଯାୟୀ, ମା’ କାଳରାତ୍ରୀଙ୍କୁ ଗୁଡ଼ ଭୋଗ ଅର୍ପଣ କରିବା ଶୁଭ ବୋଲି ବିଶ୍ୱାସ କରାଯାଏ। ଏହି ଦିନ ଭକ୍ତମାନେ ମା’ଙ୍କୁ ଗୁଡ଼ ଏବଂ ଗୁଡ଼ରେ ପ୍ରସ୍ତୁତ ବିଭିନ୍ନ ମିଠା ଭୋଗ ଭାବେ ଅର୍ପଣ କରିପାରିବେ। ଏହାପରେ ଭୋଗକୁ ପ୍ରସାଦ ଭାବେ ବଣ୍ଟନ କରାଯାଇପାରିବ। ବିଶ୍ୱାସ ରହିଛି ଯେ, ନିଷ୍ଠା, ଭକ୍ତି ଓ ଶ୍ରଦ୍ଧାର ସହ ମା’ କାଳରାତ୍ରୀଙ୍କ ଆରାଧନା କଲେ ଭକ୍ତମାନେ ତାଙ୍କର ଆଶୀର୍ବାଦ ପ୍ରାପ୍ତ କରିଥାନ୍ତି। ନବରାତ୍ରିର ଏହି ପବିତ୍ର ଦିନରେ ମା’ଙ୍କ ପୂଜା କରି ସମସ୍ତେ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରନ୍ତୁ ।

