୨୦୨୬-୨୭ ପର୍ଯ୍ୟଟନ ଋତୁ ପାଇଁ ଆସନ୍ତା ନଭେମ୍ବର ୧ ତାରିଖରୁ ବିଶ୍ୱପ୍ରସିଦ୍ଧ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ସାଧାରଣ ପର୍ଯ୍ୟଟକଙ୍କ ଭ୍ରମଣ ଉଦ୍ଦେଶ୍ୟରେ ଖୋଲିବାକୁ ଯାଉଛି। ଏ ନେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆରସିସିଏଫ୍) କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଆବଶ୍ୟକୀୟ ନିୟମାବଳୀ ଜାରି କରାଯାଇଛି। ସୁରୁଖୁରୁରେ ପର୍ଯ୍ୟଟନ ପରିଚାଳନା ନିମନ୍ତେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ପର୍ଯ୍ୟଟନ ବିଭାଗ, ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍ଡିସି) ସମେତ ସମସ୍ତ ବନ୍ୟପ୍ରାଣୀ ବନଖଣ୍ଡ ଏବଂ ରେଞ୍ଜ ଅଧିକାରୀଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ବନ ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ଦିବା ପର୍ଯ୍ୟଟନ ପାଇଁ ଦୈନିକ ସର୍ବାଧିକ ୬୦ଟି ଚାରିଚକିଆ ଯାନକୁ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ ଅନୁମତି ମିଳିବ। ଏଥିମଧ୍ୟରୁ ଯଶିପୁର ଫାଟକ ଦେଇ ୩୫ଟି ଏବଂ ପିଠାବଟା ଫାଟକ ଦେଇ ୨୫ଟି ଗାଡ଼ି ଭିତରକୁ ଯାଇପାରିବ। ପ୍ରବେଶ କରୁଥିବା ଗାଡ଼ିଗୁଡ଼ିକର ବୈଧ କାଗଜପତ୍ର ସହିତ ସର୍ବନିମ୍ନ ୧୮୦ ମିଲିମିଟର ଭୂମି ଉଚ୍ଚତା (ଗ୍ରାଉଣ୍ଡ କ୍ଲିୟରାନ୍ସ) ରହିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ଭାରୀ ଯାନ ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି। ପର୍ଯ୍ୟଟକମାନେ ପିଠାବଟା ତନଖି ଫାଟକରେ ସକାଳ ୮ଟାରୁ ୯ଟା ଏବଂ ଯଶିପୁର ଦେଇ ସକାଳ ୫ଟାରୁ ୯ଟା ମଧ୍ୟରେ ନିଜସ୍ୱ ଗାଡ଼ିରେ ପ୍ରବେଶ କରିପାରିବେ। ଏଥିପାଇଁ ଶିମିଳିପାଳର ନିଜସ୍ୱ ୱେବସାଇଟ୍ ଜରିଆରେ ଅନୁମତି ପତ୍ର ବୁକିଂ କରିବାକୁ ପଡ଼ିବ। ପ୍ରବେଶ ସମୟରେ ସରକାରୀ ପରିଚୟପତ୍ର ଯାଞ୍ଚ ସହିତ ପ୍ରତ୍ୟେକ ଗାଡ଼ିରେ ଜଣେ ଲେଖାଏଁ ପଥପ୍ରଦର୍ଶକ (ଗାଇଡ୍) ନେବା ବାଧ୍ୟତାମୂଳକ। ସେହିପରି ଅପରାହ୍ନ ୪ଟା ସୁଦ୍ଧା ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଅଞ୍ଚଳ ଛାଡ଼ିବାକୁ ପଡ଼ିବ ଏବଂ ସନ୍ଧ୍ୟା ୬ଟା ପୂର୍ବରୁ କାଳିକାପ୍ରସାଦ କିମ୍ବା ପିଠାବଟା ଫାଟକ ଦେଇ ପ୍ରସ୍ଥାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଖୋଲା ଜିପ୍ ସଫାରି ଓ ରାତ୍ରିଯାପନ ବ୍ୟବସ୍ଥା: ସ୍ଥାନୀୟ ପରିବେଶ ଉନ୍ନୟନ ସମିତି (ଇଡିସି) ଦ୍ୱାରା ପରିଚାଳିତ ଖୋଲା ଜିପ୍ ବନ୍ୟପ୍ରାଣୀ ସଫାରି ସୁବିଧା ଉପଲବ୍ଧ ହେବ। ପର୍ଯ୍ୟଟକମାନେ ରାଜ୍ୟ ଇକୋ-ଟୁର ୱେବସାଇଟ୍ ଜରିଆରେ ଅଗ୍ରୀମ ବୁକିଂ କରି ଗୁଡୁଗୁଡ଼ିଆ, ପିଠାବଟା, ଜାମୁଆଣି, ତାଳବନ୍ଧ ଓ ବରେହିପାଣିରୁ ସଫାରି ଆରମ୍ଭ କରିପାରିବେ। ସକାଳ ସମୟ ସଫାରି ଭୋର ୫ଟା ୩୦ରୁ ୫ ଘଣ୍ଟା ଏବଂ ଅପରାହ୍ନ ସଫାରି ଦିନ ୨ଟାରୁ ୪ ଘଣ୍ଟା ପର୍ଯ୍ୟନ୍ତ ଚାଲିବ।
ଅନ୍ୟପକ୍ଷରେ କୁମାରୀ, ଗୁଡୁଗୁଡ଼ିଆ, ତାଳବନ୍ଧ, ବରେହିପାଣି ଏବଂ ଜାମୁଆଣି ସ୍ଥିତ ପ୍ରକୃତି ନିବାସଗୁଡ଼ିକରେ ରାତ୍ରିଯାପନ ପାଇଁ ପୋର୍ଟାଲ ମାଧ୍ୟମରେ ଅଗ୍ରୀମ ଆରକ୍ଷଣ କରିବାକୁ ହେବ। ଅଭୟାରଣ୍ୟ ମଧ୍ୟରେ ରାତ୍ରିକାଳୀନ ଯାତାୟତ ସମ୍ପୂର୍ଣ୍ଣ ନିଷିଦ୍ଧ ରହିଛି। ବନ୍ୟଜନ୍ତୁ ସୁରକ୍ଷା ନିୟମ ଉଲ୍ଲଙ୍ଘନ କିମ୍ବା ଅଳିଆ ଆବର୍ଜନା ପକାଇଲେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଶିମିଳିପାଳ ଖୋଲିବା ନେଇ ସୂଚନା ମିଳିବା ପରେ ପର୍ଯ୍ୟଟକ ଓ ପ୍ରକୃତିପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।

