ଅଶାନ୍ତି, ଧସ୍ତାଧସ୍ତି ଓ ତୀବ୍ର ବିଶୃଙ୍ଖଳା ଭିତରେ ରାତିରେ ଫଳାଫଳ ଘୋଷଣା । ରମାଦେବୀ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ରାତି ତମାମ ଟେନସନ ଓ ସସପେନ୍ସ । କ୍ୟାମ୍ପସ୍ ରେ ହାଇଡ୍ରାମା, ପୋଲିସ ଆକ୍ସନ । ଭୋଟ୍ ଗଣତି ବିବାଦକୁ ନେଇ ବିଳମ୍ବିତ ରାତି ଯାଏଁ ଉତ୍ତେଜନା ।
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ-୨୦୨୬ ଶେଷରେ ବ୍ୟାପକ ବିଶୃଙ୍ଖଳା ମଧ୍ୟରେ ସମାପ୍ତ ହୋଇଛି । ବିରୋଧୀଙ୍କ ଜୋରଦାର ହଟ୍ଟଗୋଳ ଏବଂ ନାଟକୀୟ ଘଟଣାକ୍ରମ ପରେ ବିଜୁ ଛାତ୍ର ଜନତା ଦଳ ବିସିଜେଡି ସମସ୍ତ ପ୍ରମୁଖ ପଦବୀ ଅକ୍ତିଆର କରି ଏକତରଫା ବିଜୟ ହାସଲ କରିଛି ।
ତେବେ ଗଣତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଏବଂ ଛାତ୍ରୀ ଗୋଷ୍ଠୀଙ୍କ ମଧ୍ୟରେ ଉପୁଜିଥିବା ଛକାପଞ୍ଝା ଯୋଗୁଁ ନିର୍ବାଚନ ଫଳାଫଳ ପ୍ରକ୍ରିୟା ଘଣ୍ଟା ଘଣ୍ଟା ଧରି ବାଧାପ୍ରାପ୍ତ ହୋଇ ଶେଷରେ ବିଳମ୍ବିତ ରାତି ପ୍ରାୟ ୩ଟାରେ ପୋଲିସ ଛାଉଣୀ ମଧ୍ୟରେ ଘୋଷିତ ହୋଇଛି ।
ବିସେଜିଡିରୁ ସଭାପତି ଭାବେ ସୋନାଲି ବେହେରା, ଉପସଭାପତି ଭାବେ ଅର୍ପିତା ମହାପାତ୍ର, ସାଧାରଣ ସମ୍ପାଦକ ଭାବେ ଲକ୍ଷ୍ମୀପ୍ରିୟା ବିଶ୍ୱାଳ ଓ ଯୁଗ୍ମ ସମ୍ପାଦକ ଭାବେ ସୁଦେଷ୍ଣା ଖୁଣ୍ଟିଆ ବିଜୟୀ ହୋଇଛନ୍ତି । ନିର୍ବାଚନ ତାରିଖ ଘୋଷଣା ହେବା ଦିନଠାରୁ କ୍ୟାମ୍ପସ୍ ଶାନ୍ତ ଥିବା ବେଳେ ଶେଷ ପର୍ଯ୍ୟାୟରେ ଶୃଙ୍ଖଳାର ସମସ୍ତ ସୀମା ପାର୍ ହୋଇଯାଇଥିଲା । ନିର୍ବାଚନ ପୂର୍ବ ରାତିରେ ହଷ୍ଟେଲ ଓ କ୍ୟାମ୍ପସ ନିକଟରେ ଭୋଟ୍ ହାତେଇବା ପାଇଁ ଟଙ୍କା ବଣ୍ଟା ଯାଉଥିବା ନେଇ ସଙ୍ଗୀନ ଅଭିଯୋଗ ଉଠିବା ପରେ ପରିସ୍ଥିତି ବିଗିଡିଥିଲା। ଗତକାଲି କ୍ୟାମ୍ପସ ଭିତରେ ମତଦାନ ଚାଲିଥିବା ବେଳେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଅରାଜକତା ଦେଖିବାକୁ ମିଳିଥିଲା ।
ଭୋଟ ଗଣତି ଆରମ୍ଭ ହେବା ମାତ୍ରେ ବାଲାଟ ପେପର ଗଣନାରେ ଅନିୟମିତତା ହୋଇଥିବା ଦର୍ଶାଇ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ଗଣତି କେନ୍ଦ୍ର ଭିତରେ ହଙ୍ଗାମା କରିଥିଲେ । ଫଳରେ ଅନେକ ଘଣ୍ଟା ଧରି ଭୋଟ ଗଣତି ସମ୍ପୂର୍ଣ୍ଣ ସ୍ଥଗିତ ରହିଥିଲା । କ୍ୟାମ୍ପସରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ଆଶଙ୍କାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ବିଶ୍ୱବିଦ୍ୟାଳୟ ପ୍ରଶାସନ ଓ ପୋଲିସ ଅଧିକାରୀଙ୍କ ବୁଝାସୁଝା ପରେ ପୁନର୍ବାର ଗଣତି ଆରମ୍ଭ ହୋଇଥିଲା ଏବଂ ଶେଷରେ ରାତି ପ୍ରାୟ ୩ଟାରେ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା ।
ଏପଟେ ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଜୟୀ ହୋଇଛି ABVP । ସଭାପତି ଭାବେ ବିଜୟୀ ହୋଇଛନ୍ତି ଅଭିରାମ ମିଶ୍ର। ସେହିଭଳି ସାଧାରଣ ସମ୍ପାଦକ ଭାବରେ ବିଜୟୀ ହୋଇଛନ୍ତି ABVP ପ୍ରାର୍ଥୀ ଆୟୁଷ୍ରୀ ପ୍ରଧାନ। ଯୁଗ୍ମ ସାଧାରଣ ସଂପାଦକ BCJDର ଜ୍ୟୋତିଶ୍ରୀ ସାହୁ ଏବଂ କଲଚରାଲ କ୍ଲବ ସଂପାଦକ ଭାବେ ଏବିଭିପିର ଉତ୍ତମ କୁମାର ମାଝୀ ନିର୍ବାଚିତ ହୋିଛନ୍ତି ।
ଫଳାଫଳ ଘୋଷଣା ପରେ ଏବିଭିପିର ସମର୍ଥକମାନେ କ୍ୟାମ୍ପସ ବାହାରେ ବିଜୟ ଉତ୍ସବ ମନାଇଥିଲେ । ବିଜୟୀ ପରେ ଉତ୍କଳ ବିଶ୍ୱବିଧାଳୟର ନବ ନିଯୁକ୍ତ ସଭାପତି କହିଛନ୍ତି ଉତ୍କଳ ବିଶ୍ୱବିଧାଳୟର ସମସ୍ତ ଛାତ୍ର ଛାତ୍ରଙ୍କୁ ଆମେ ଧନ୍ୟବାଦ ଦେଉଛୁ । ଉତ୍କଳ ବିଶ୍ୱବିଧାଳୟ କ୍ୟାମ୍ପାସରୁ ଗୁଣ୍ଡା ରାଜ ସମାପ୍ତି କରିବା ସହ ଅଣଛାତ୍ର ମୁକ୍ତ କ୍ୟାମ୍ପାସ କରିବା ଆମର ଲକ୍ଷ୍ୟ ରହିବ ।

