୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଲା । ଆଜି ଶପଥ ନେବେ ନବନିର୍ବାଚିତ ଛାତ୍ର ପ୍ରତିନିଧି । ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟା ଆଜି ଶପଥ ଗ୍ରହଣ ସହ ଶେଷ ହେବାକୁ ଯାଉଛି । ନିର୍ବାଚନରେ ବିଜୟୀ ହୋଇଥିବା ଛାତ୍ର ପ୍ରତିନିଧିମାନେ ଆଜି ନିଜ ନିଜ ଶିକ୍ଷାନୁଷ୍ଠାନରେ ଆନୁଷ୍ଠାନିକ ଭାବେ ଶପଥ ଗ୍ରହଣ କରିବେ ।
ରାଜ୍ୟର ୩୪୬ଟି କଲେଜ ଓ ୧୩ଟି ବିଶ୍ୱବିଦ୍ୟାଳୟରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି । ୨୦୧୮ ମସିହା ପରଠାରୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିଲା । ଚଳିତ ବର୍ଷ ନିର୍ବାଚନ ପୁନର୍ବାର ଆରମ୍ଭ ହେବା ପରେ ଛାତ୍ରଛାତ୍ରୀମାନେ ନିଜ ପ୍ରତିନିଧି ଚୟନ କରିବାର ସୁଯୋଗ ପାଇଛନ୍ତି । ନିର୍ବାଚନ ପୂର୍ବରୁ ବିଭିନ୍ନ କ୍ୟାମ୍ପସରେ ପ୍ରଚାର, ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ଏବଂ ‘ହ୍ୱାଇ ଆଇ ଷ୍ଟାଣ୍ଡ ଫର୍’ କାର୍ଯ୍ୟକ୍ରମକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଜନୈତିକ ସକ୍ରିୟତା ଦେଖିବାକୁ ମିଳିଥିଲା । କେତେକ ଶିକ୍ଷାନୁଷ୍ଠାନରେ ଉତ୍ତେଜନା ଓ ଛାତ୍ରଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା ।
ଏବେ ନିର୍ବାଚନୀ ପ୍ରତିଦ୍ୱନ୍ଦ୍ୱିତା ପରେ ନବନିର୍ବାଚିତ ପ୍ରତିନିଧିମାନଙ୍କ ସମ୍ମୁଖରେ ରହିଛି ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ଓ କ୍ୟାମ୍ପସରେ ଶୈକ୍ଷିକ ପରିବେଶ ବଜାୟ ରଖିବାର ଦାୟିତ୍ୱ । ଶିକ୍ଷାନୁଷ୍ଠାନରେ ଭିତ୍ତିଭୂମି ବିକାଶ, ପାଠାଗାର ଓ ହଷ୍ଟେଲ ସୁବିଧା, ପାନୀୟ ଜଳ, ପରିମଳ ବ୍ୟବସ୍ଥା, କ୍ୟାମ୍ପସ ସୁରକ୍ଷା ଏବଂ ଶିକ୍ଷା ସମ୍ପର୍କିତ ବିଭିନ୍ନ ସମସ୍ୟା ନୂଆ ଛାତ୍ର ନେତୃତ୍ୱ ପାଇଁ ପ୍ରମୁଖ ପ୍ରସଙ୍ଗ ହେବ । ଶପଥ ଗ୍ରହଣ ପରେ ନବନିର୍ବାଚିତ ସଭାପତି, ସମ୍ପାଦକ ଓ ଅନ୍ୟ ପଦାଧିକାରୀମାନେ ନିଜ ନିଜ ଦାୟିତ୍ୱ ଗ୍ରହଣ କରିବେ ।
ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନ ପ୍ରଶାସନ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବା ନୂଆ ପ୍ରତିନିଧିମାନଙ୍କ ପାଇଁ ଆହ୍ୱାନ ରହିବ । ଦଶହରା ଛୁଟି ପୂର୍ବରୁ ଶପଥ ଗ୍ରହଣ ସହ ଚଳିତ ବର୍ଷର ଛାତ୍ର ସଂସଦ ନିର୍ବାଚନର ଔପଚାରିକ ପ୍ରକ୍ରିୟା ଶେଷ ହେବ । ଆଠ ବର୍ଷ ପରେ ଫେରିଥିବା ଛାତ୍ର ସଂସଦ ବ୍ୟବସ୍ଥା କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ସମସ୍ୟା ଉପସ୍ଥାପନ ଓ ସମାଧାନରେ କେତେଦୂର ପ୍ରଭାବୀ ହେବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

