ଓଡ଼ିଶା ରାଜନୀତିର ଏକ ଦୀର୍ଘ ଅଧ୍ୟାୟ ସହ ଯୋଡ଼ି ହୋଇରହିଛି ନବୀନ ପଟ୍ଟନାୟକଙ୍କ ନାଁ । ଲଗାତାର ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ, ଆଉ ଗତ ଦୁଇ ବର୍ଷରୁ ଅଧିକ ସମୟ ଧରି ବିରୋଧୀ ଦଳ ନେତା । ଶାସନ କ୍ଷମତାରୁ ବିରୋଧୀ ଆସନ ପର୍ଯ୍ୟନ୍ତ ତାଙ୍କ ରାଜନୈତିକ ଯାତ୍ରାରେ ରହିଛି ଅନେକ ଉତ୍ଥାନପତନ । ଅକ୍ଟୋବର ୧୬ ତାରିଖରେ ୮୦ ବର୍ଷରେ ପଦାର୍ପଣ କରୁଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ । ୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିବା ନବୀନ ପଟ୍ଟନାୟକ ଦିନେ ଓଡ଼ିଶାର ରାଜନୀତିରେ ଏତେ ଦୀର୍ଘ ସମୟ ଧରି ନେତୃତ୍ୱ ଦେବେ, ତାହା ତାଙ୍କ ରାଜନୈତିକ ଜୀବନର ଆରମ୍ଭ ସମୟରେ ସହଜରେ ଅନୁମାନ କରାଯାଇ ନଥିଲା । ଲେଖକ ଓ ସଂସ୍କୃତିପ୍ରେମୀ ଭାବେ ପରିଚିତ ନବୀନ ପରବର୍ତ୍ତୀ ସମୟରେ ରାଜ୍ୟର ଶାସନ ଓ ରାଜନୀତିର ଏକ ପ୍ରମୁଖ ଚେହେରା ପାଲଟିଥିଲେ ।
ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ ୧୯୯୭ ମସିହାରେ ସକ୍ରିୟ ରାଜନୀତିକୁ ଆସିଥିଲେ ନବୀନ ପଟ୍ଟନାୟକ । ଆସିକା ଲୋକସଭା ଉପନିର୍ବାଚନରେ ବିଜୟୀ ହୋଇ ଆରମ୍ଭ କରିଥିଲେ ନିଜ ସଂସଦୀୟ ଯାତ୍ରା । ସେହି ବର୍ଷ ଡିସେମ୍ବରରେ ବିଜୁ ଜନତା ଦଳ ଗଠନ ହେବା ପରେ ଦଳର ନେତୃତ୍ୱ ନେଇଥିଲେ । ପରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ।
୨୦୦୦ରୁ ୨୦୨୪ ଲଗାତାର ପାଞ୍ଚଥର ମୁଖ୍ୟମନ୍ତ୍ରୀ ଥିଲେ। ୫ ମାର୍ଚ୍ଚ ୨୦୦୦ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମଥର ଶପଥ ନେଇଥିଲେ ନବୀନ ପଟ୍ଟନାୟକ । ଏହାପରେ ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ଲଗାତାର ନିର୍ବାଚନୀ ସଫଳତା ହାସଲ କରି ପାଞ୍ଚ ପାଳି ଧରି ମୁଖ୍ୟମନ୍ତ୍ରୀ ରହିଥିଲେ । ଦେଶର ଦୀର୍ଘତମ ସମୟ ଶାସନ କରିଥିବା ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ସ୍ଥାନ ପାଇଥିଲେ । ତାଙ୍କ ନେତୃତ୍ୱରେ ବିଜେଡି ଓଡ଼ିଶାରେ ଏକ ଦୀର୍ଘସ୍ଥାୟୀ ଆଞ୍ଚଳିକ ଶାସକ ଦଳ ଭାବେ ପ୍ରତିଷ୍ଠିତ ହୋଇଥିଲା ।
ପ୍ରଥମ ପର୍ଯ୍ୟାୟରେ ବିଜେପି ସହ ମେଣ୍ଟ କରି ଶାସନକୁ ଆସିଥିଲା ବିଜେଡି। କିନ୍ତୁ ୨୦୦୯ ନିର୍ବାଚନ ପୂର୍ବରୁ ଦୁଇ ଦଳର ମେଣ୍ଟ ଭାଙ୍ଗିଯାଇଥିଲା । ଏହାପରେ ନବୀନଙ୍କ ନେତୃତ୍ୱରେ ବିଜେଡି ଏକାକୀ ନିର୍ବାଚନ ଲଢ଼ି ତିନିଥର ଶାସନ କ୍ଷମତା ବଜାୟ ରଖିଥିଲା । ଏହି ସମୟରେ ରାଜ୍ୟସ୍ତରୀୟ ପ୍ରସଙ୍ଗ, କଲ୍ୟାଣକାରୀ ଯୋଜନା ଓ ଆଞ୍ଚଳିକ ଦଳର ପରିଚୟ ତାଙ୍କ ରାଜନୈତିକ ରଣନୀତିର ଅଂଶ ହୋଇଥିଲା ।
ନବୀନ ସରକାରର ଅନ୍ୟତମ ପ୍ରମୁଖ ପଦକ୍ଷେପ ଥିଲା ମିଶନ ଶକ୍ତି। ୨୦୦୧ ମାର୍ଚ୍ଚ ୮ ତାରିଖରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଋଣ, ବଜାର ସଂଯୋଗ ଓ ଜୀବିକା ସୁଯୋଗ ସହ ଯୋଡ଼ାଯାଇଥିଲା । ପରବର୍ତ୍ତୀ ସମୟରେ ପ୍ରାୟ ୭୦ ଲକ୍ଷ ମହିଳା ଏହି ଅଭିଯାନ ସହ ଯୋଡ଼ି ହୋଇଥିଲେ । ପଞ୍ଚାୟତିରାଜ ସଂସ୍ଥାରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ମଧ୍ୟ ତାଙ୍କ ସରକାର ସମୟରେ କାର୍ଯ୍ୟକାରୀ ହୋଇଥିଲା ।
ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ପରିବର୍ତ୍ତନରେ ତାଙ୍କର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ । ୧୯୯୯ ମହାବାତ୍ୟା ପରେ ଓଡ଼ିଶାରେ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏକ ବଡ଼ ଆହ୍ୱାନ ଥିଲା। ନବୀନ ସରକାର ସମୟରେ ବାତ୍ୟା ଆଶ୍ରୟସ୍ଥଳୀ, ଆଗୁଆ ସତର୍କ ସୂଚନା, ସ୍ଥାନାନ୍ତରଣ ବ୍ୟବସ୍ଥା ଓ ପ୍ରଶାସନିକ ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଇଥିଲା । ଫାଇଲିନ୍ ଓ ଫନି ଭଳି ବାତ୍ୟା ସମୟରେ ଆଗୁଆ ସ୍ଥାନାନ୍ତରଣ ଏବଂ ଜୀବନରକ୍ଷା ପଦକ୍ଷେପ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲକୁ ଜାତୀୟ ଓ ଅନ୍ତର୍ଜାତୀୟ ଆଲୋଚନାରେ ସ୍ଥାନ ଦେଇଥିଲା ।
ନବୀନଙ୍କ ଶାସନକାଳରେ କାଳିଆ ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମମତା ଯୋଜନା ଓ ବିଭିନ୍ନ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଇଥିଲା । ଚାଷୀଙ୍କୁ ଆର୍ଥିକ ସହାୟତା, ଗରିବ ପରିବାରଙ୍କୁ ଚିକିତ୍ସା ସୁବିଧା ଏବଂ ମାତୃ ଓ ଶିଶୁ କଲ୍ୟାଣ ଏହି ଯୋଜନାଗୁଡ଼ିକର ପ୍ରମୁଖ ଉଦ୍ଦେଶ୍ୟ ଥିଲା । ତେବେ ଯୋଜନାର ପହଞ୍ଚ, ହିତାଧିକାରୀ ଚୟନ ଓ କାର୍ଯ୍ୟକାରିତାକୁ ନେଇ ମଧ୍ୟ ବିଭିନ୍ନ ସମୟରେ ରାଜନୈତିକ ଆଲୋଚନା ହୋଇଛି ।
ନବୀନ ସରକାର ସମୟରେ ଓଡ଼ିଶା ଦୁଇଥର ପୁରୁଷ ହକି ବିଶ୍ୱକପ୍ ଆୟୋଜନ କରିଥିଲା । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମି ବିକାଶର ଦୁଇଟି ପ୍ରମୁଖ ଉଦାହରଣ । ହକି ସହ ଅନ୍ୟାନ୍ୟ କ୍ରୀଡ଼ାର ପ୍ରଶିକ୍ଷଣ ଓ ଭିତ୍ତିଭୂମି ନିର୍ମାଣ ପାଇଁ ମଧ୍ୟ ତାଙ୍କ ସରକାର ନିବେଶ କରିଥିଲା ।
ନବୀନ ସରକାରର ଶେଷ ପର୍ଯ୍ୟାୟରେ ସ୍କୁଲ ରୂପାନ୍ତରଣ, ସରକାରୀ ସେବାର ଡିଜିଟାଲ ବ୍ୟବସ୍ଥା ଓ ବିଭିନ୍ନ ଐତିହ୍ୟସ୍ଥଳୀର ବିକାଶକୁ ଗୁରୁତ୍ୱ ଦିଆଯାଇଥିଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଏକାମ୍ର କ୍ଷେତ୍ର ବିକାଶ ଏହି ପର୍ଯ୍ୟାୟର ଚର୍ଚ୍ଚିତ ପ୍ରକଳ୍ପ ଥିଲା । ଅନ୍ୟପଟେ ୫-ଟି ବ୍ୟବସ୍ଥାରେ ପ୍ରଶାସନିକ କ୍ଷମତାର କେନ୍ଦ୍ରୀକରଣ ଓ ଅଧିକାରୀଙ୍କ ଭୂମିକାକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇଥିଲେ ।
୨୦୨୪ରେ ରାଜନୈତିକ ଯାତ୍ରାରେ ବଡ଼ ମୋଡ଼ ଆସିଥିଲା । ଲଗାତାର ପାଞ୍ଚଥର ଶାସନ କ୍ଷମତା ହାସଲ କରିଥିବା ବିଜେଡି ପ୍ରଥମଥର ପାଇଁ ବିଜେପିଠାରୁ ପରାଜିତ ହୋଇଥିଲା । ୧୪୭ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୭୮ଟି ଓ ବିଜେଡି ୫୧ଟି ଆସନ ଜିତିଥିଲା । ନବୀନ ହିଞ୍ଜିଳିରୁ ଜିତିଥିଲେ ମଧ୍ୟ କଣ୍ଟାବାଞ୍ଜିରୁ ପରାଜିତ ହୋଇଥିଲେ । ଦୀର୍ଘ ୨୪ ବର୍ଷ ପରେ ଓଡ଼ିଶାରେ ସରକାର ପରିବର୍ତ୍ତନ ହୋଇଥିଲା ।
୦ ଜୁନ୍ ୨୦୨୪ରୁ ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ଦାୟିତ୍ୱରେ ଅଛନ୍ତି ନବୀନ ପଟ୍ଟନାୟକ। ଦୀର୍ଘ ୨୪ ବର୍ଷ ଧରି ସରକାରର ନେତୃତ୍ୱ ନେବା ପରେ ଏବେ ତାଙ୍କ ଭୂମିକା ବଦଳିଛି। ରାଜ୍ୟ ସରକାରଙ୍କ ନୀତି ଓ କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇବା, ବିଜେଡିର ସାଂଗଠନିକ ସ୍ଥିତିକୁ ସୁଦୃଢ଼ କରିବା ଏବଂ ଦଳ ଭିତରେ ଦେଖାଦେଇଥିବା ମତଭେଦର ସମାଧାନ ଏବେ ତାଙ୍କ ସମ୍ମୁଖରେ ପ୍ରମୁଖ ରାଜନୈତିକ ପ୍ରସଙ୍ଗ । ୧୯୯୭ରୁ ରାଜ୍ୟ ରାଜନୀତିରେ ପ୍ରବେଶ କରିଥିଲେ ନବୀନ । ସେବେଠାରୁ ଓଡ଼ିଶାବାସୀଙ୍କ ସେବାରେ ଲାଗିଛନ୍ତି ନବୀନ ପଟ୍ଟନାୟକ ।

