ଭାରତ ବନାମ ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଟି-୨୦ ମ୍ୟାଚ୍। ଆଜି ରାଞ୍ଚିରେ ମୁହାଁମୁହିଁ ହେବେ ଦୁଇ ଦଳ। ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଆଜି ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ରେ ଦମଦାର୍ ବିଜୟ ହାସଲ କରି ଭାରତୀୟ ଦଳ ଶୃଙ୍ଖଳାରେ ୧-୦ରେ ଆଗରେ ଅଛି।
ଲକ୍ଷ୍ନୌ ଠାରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍ରେ ଅଧିନାୟକ ଶ୍ରେୟସ ଆୟରଙ୍କ ବିସ୍ଫୋରକ ଅପରାଜିତ ଶତକ ଏବଂ ବୋଲରମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ବଳରେ ଭାରତ ୱେଷ୍ଟଇଣ୍ଡିଜକୁ ୮ ଓ୍ୱିକେଟରେ ପରାସ୍ତ କରିଥିଲା। ଆଜିର ମ୍ୟାଚ୍ରେ ମଧ୍ୟ ଭାରତୀୟ ଦଳ ସେହି ବିଜୟଧାରା ବଜାୟ ରଖିବାକୁ ଲକ୍ଷ୍ୟ ରଖିଥିବାବେଳେ, କ୍ୟାରିବିୟନ୍ ବାହିନୀ ଶୃଙ୍ଖଳାକୁ ସମାନ ସ୍ଥିତିକୁ ଆଣିବାକୁ ଜୋରଦାର୍ ପ୍ରୟାସ କରିବ।
ଭାରତୀୟ ଦଳର ଅଧିନାୟକ ଶ୍ରେୟାସ ଆୟରଙ୍କ ବ୍ୟାଟିଂକୁ ନେଇ ଦର୍ଶକ ମହଲରେ ଉତ୍ସାହ ବୃଦ୍ଧି ପାଇଛି। ପ୍ରଥମ ମ୍ୟାଚରେ ସେ ଶତକ ଅର୍ଜନ କରି ଦଳକୁ ଜିତାଇଥିଲେ। ସଞ୍ଜୁ ସାମସନଙ୍କ ବ୍ୟାଟରୁ ଏକ ବଡ଼ ଇନିଂସ ଆଶା କରାଯାଉଛି। ତୃତୀୟ ଓପନର ଭାବେ ଦଳରେ ରହିଥିବା ବୈଭବ ସୂର୍ଯ୍ୟବଂଶୀ ସୁଯୋଗ ଅପେକ୍ଷାରେ ରହିଛନ୍ତି। ଏପଟେ ସଞ୍ଜୁଙ୍କ ପ୍ରଦର୍ଶନରେ ଉତ୍ଥାନ ପତନ ଲାଗି ରହିଛି। ଏକାଦଶରେ ସ୍ଥାନ ବଜାୟ ରଖିବାକୁ ହେଲେ ସଞ୍ଜୁଙ୍କୁ ଏକ ବଡ଼ ଇନିଂସ ଖେଳିବାକୁ ପଡ଼ିବ।
ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଥିବା ୱେଷ୍ଟଇଣ୍ଡିଜକୁ ଅଟକାଇବାକୁ ହେଲେ ପ୍ରଥମେ ସାଇ ହୋପଙ୍କୁ ଶୀଘ୍ର ଆଉଟ କରିବାକୁ ପଡ଼ିବ। ଦିନିକିଆ ସିରିଜରେ ସେ ୨ଟି ଶତକ ଅର୍ଜନ କରିଥିଲେ ଓ ପ୍ରଥମ ଟି-ଟ୍ୱେଣ୍ଟିରେ ମଧ୍ୟ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଟସ୍ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଟସ୍ ବିଜୟୀ ଦଳକୁ ମ୍ୟାଚ ଜିତିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ନାହିଁ ।
ପ୍ରଥମ ମ୍ୟାଚରେ ବିଜୟ ପରେ ଭାରତର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ସମ୍ଭାବନା ନାହିଁ। ତଥାପି ପେସ୍ ବୋଲର ମୟଙ୍କ ଯାଦବଙ୍କ ସ୍ଥାନରେ ପ୍ରିନ୍ସ ଯାଦବଙ୍କୁ ଏକାଦଶରେ ସ୍ଥାନ ମିଳିବା ଆଶା କରାଯାଇପାରେ। ସୀମିତ ସୁଯୋଗ ମଧ୍ୟରେ ପ୍ରିନ୍ସ ବେଶ୍ ଚମତ୍କାର ବୋଲିଂ କରିଥିଲେ । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଫିଟ୍ ହୋଇ ଦଳକୁ ଫେରିଛନ୍ତି।

