ସଂଚାର ବ୍ୟୁରୋ: ଉତ୍ତରପ୍ରଦେଶରେ ଥମୁନି ଗଧିଆ ଆତଙ୍କ । ବାହରାଇଚ୍ରେ ଏଯାବତ ବନ ବିଭାଗ ୫ଟି ଗଧିଆଙ୍କୁ କାବୁ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଆଉ ଏକ ଗଧିଆ ଗତ ୨ ଦିନ ମଧ୍ୟରେ ୩ ଜଣଙ୍କୁ ଆକ୍ରମଣ କରି ଗୁରୁତର କରିଛି । ସେମାନଙ୍କ ମଧ୍ୟରେ ଦୁଇ ନାବାଳିକା ଓ ଜଣେ ମହିଳା ଅଛନ୍ତି। ତେବେ ବାହରାଇଚ୍ର ମହସୀ ଅଞ୍ଚଳରେ ଗଧିଆଟି ଆତଙ୍କ ଖେଳାଇଛି। ଗତ ୧୦ ତାରିଖରେ ବନ ବିଭାଗ ପଞ୍ଚମ ଗଧିଆକୁ ଧରିଥିଲେ। ଏହାପରେ ବାହାରେ ରହି ଯାଇଥିବା ଏକମାତ୍ର ଗଧିଆ ଉତ୍ତ୍ୟକ୍ତ ହେବା ସହ ଭୟଙ୍କର ହୋଇଛି।
ସୂଚନା ମୁତାବକ, ଗତକାଲି ରାତିରେ ଗଧିଆଟି ଜଣେ ମହିଳାଙ୍କୁ ଆକ୍ରମଣ କରିଥିଲା। ମହିଳାଙ୍କ ଚିତ୍କାର ଶୁଣି ପରିବାର ଲୋକେ ତୁରନ୍ତ ଗଧିଆ କବଳରୁ ତାଙ୍କୁ ରକ୍ଷା କରିଥିଲେ। ଏହାପରେ ତୁରନ୍ତ ତାଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଏହାପୂର୍ବରୁ ଗଧିଆ ଆକ୍ରମଣରେ ୨ ନାବାଳିକା ଗୁରୁତର ହୋଇ ଏବେବି ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି। ଏବେ ସୁଦ୍ଧା ବାହରାଇଚ୍ରେ ଗଧିଆ ଆକ୍ରମଣରେ ୮ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।