ସଂଚାର ବ୍ୟୁରୋ: ବନ୍ଧା ହେଲେ କୋଟିପତି ସହକାରୀ ଯନ୍ତ୍ରୀ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ (ସିଭିଲ) ପ୍ରସନ୍ନ କୁମାର ସ୍ୱାଇଁଙ୍କୁ ବାନ୍ଧିଲା ଭିଜିଲାନ୍ସ। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି।
ସୂଚନାନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିଲା। ତାଙ୍କ ଘର ଅଫିସ୍, ଭଞ୍ଜନଗର ଲୁଡୁଲୁଡି ଗାଁରେ ଥିବା ପୈତୃକ ଘର, ବ୍ରହ୍ମପୁର ଅଫିସ୍ ସହ ମୋଟ୍ ୯ଟି ସ୍ଥାନରେ ଚଢ଼ାଉ ହୋଇଥିଲା। ଏହି ସମୟରେ ବାବୁଙ୍କ ମାଳମାଳ କୋଠା ଦେଖି ଭିଜିଲାନ୍ସ ତାଜୁବ ହୋଇଛି। ମୋଟ ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୫ କୋଟି ଟଙ୍କାରୁ ଅଧିକ ହେବ ବୋଲି ଭିଜଲାନ୍ସ ସୂଚନା ଦେଇଛି ।
ଗତ କିଛି ବର୍ଷ ହେବ ପ୍ରସନ୍ନ ନିଜ କ୍ଷମତାକୁ ଅପବ୍ୟବହାର କରି ବେଆଇନ୍ ଉପାୟରେ କଳାଧନ କମାଉଥିଲେ । ଲକ୍ଷ ଲକ୍ଷ ଟଙ୍କା ପିସି କାରବାର ନେଉଛନ୍ତି ବୋଲି ତାଙ୍କ ବିରୋଧରେ ଅଭିଯୋଗ ଆସୁଥିଲା। ଭିଜିଲାନ୍ସରେ ମଧ୍ୟ ଅଭିଯୋଗ ହେଉଥିଲା। ପୂର୍ବ ସରକାରଙ୍କ ଖାସ୍ ଥିବାରୁ ତାଙ୍କୁ ଧରିବାକୁ ଭିଜିଲାନ୍ସ ପଛଘୁଞ୍ଚା ଦେଉଥିଲା । ଗତ ୨ ମାସ ଭିତରେ ତାଙ୍କ ବିରୋଧରେ ଏକାଧିକ ପିଟିସନ୍ ଭିଜିଲାନ୍ସ ନିକଟକୁ ଆସିଥିଲା । କୋର୍ଟରୁ ଅନୁମିତ ମିଳିବା ପରେ ଆଜି ଭିଜିଲାନ୍ସ ତାଙ୍କ ଘରେ ଚଢ଼ଉ କରିଥିଲା ।
ଜବତ ସମ୍ପତ୍ତି ମଧ୍ୟରେ ରହିଛି, ବ୍ରହ୍ମପୁର ତୁଳସୀନଗରରେ ୧୦,୪୦୦ ବର୍ଗଫୁଟ୍ର ୪ ମହଲା କୋଠା । ଯାହାର ସରକାରୀ ମୂଲ୍ୟ ୨.୪ କୋଟି ଟଙ୍କା । ଭଞ୍ଜନଗର ବାଗଦେବୀ ରୋଡ୍ରେ ୯,୫୦୦ ବର୍ଗଫୁଟ୍ର ଆଉ ଏକ ୪ ମହଲା କୋଠା । ଏହାର ସରକାରୀ ମୂଲ୍ୟ ୨.୩ କୋଟି ଟଙ୍କା । ବାଗଦେବୀ ରୋଡ୍ରେ ଆଉ ଏକ ୩ ମହଲା କୋଠା । ଯାହା ୩୧୧୮ ବର୍ଗଫୁଟ୍ରେ ଠିଆ ହୋଇଛି । ଭଞ୍ଜନଗରରେ ୪ ହଜାର ବର୍ଗଫୁଟ୍ର ଆଉ ଏକ ୩ ମହଲା ଘର ରହିଛି । ଭଞ୍ଜନଗର ଏନ୍ଏସି ୱାର୍ଡ ନମ୍ବର-୬ରେ ୫୮୫୦ ବର୍ଗଫୁଟ୍ରେ ଦୁଇ ମହଲା ଘର ନିର୍ମାଣ ଚାଲିଛି । ଲୁଡୁଲୁଡି ଗାଁରେ ୨ ମହଲା ଘର ଠାବ ହୋଇଛି । ଏହା ବାଦ୍ ଭଞ୍ଜନଗର ଓ ବ୍ରହ୍ମପୁରରେ ୪ଟି ଦାମୀ ପ୍ଲଟ୍ ଠାବ ହୋଇଛି । ଯାହାର ମୂଲ୍ୟ ଭିଜିଲାନ୍ସ ଆକଳନ କରୁଛି । ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି, ୨ ଶହ ଗ୍ରାମ୍ ସୁନା ଅଳଙ୍କାର, ୨୪ ଲକ୍ଷ ଟଙ୍କାର ବ୍ୟାଙ୍କ୍ ଜମା ଓ ବୀମା । ପ୍ରସନ୍ନଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଛି । ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଥିବା ବେଳେ ଆଗକୁ ପ୍ରସନ୍ନଙ୍କର ଆହୁରି ସମ୍ପତ୍ତି ସାମ୍ନାକୁ ଆସିବ ବୋଲି କୁହାଯାଉଛି ।