SIR ପ୍ରସଙ୍ଗରେ ଆଜି ବିରୋଧୀଙ୍କ ପଦଯାତ୍ରା, ସାମିଲ ବିଜେଡି । SIR ସଂଶୋଧନକୁ ନେଇ ନିର୍ବାଚନ କମିଶନ ବିରୋଧରେ ବିରୋଧୀ ସାଂସଦମାନଙ୍କ ପଦଯାତ୍ରାରେ ସାମିଲ ହୋଇଛି ବିଜୁ ଜନତା ଦଳ । ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦଳର ସାଂସଦମାନେ ଏହି ପଦଯାତ୍ରାରେ ଯୋଗଦେଇଛନ୍ତି ।
SIR ପ୍ରକ୍ରିୟା ଏବଂ ଭୋଟର ତାଲିକାରୁ ନାଁ ବାଦ୍ ପଡ଼ିବାକୁ ନେଇ ବିଜେଡି ପୂର୍ବରୁ ପ୍ରଶ୍ନ ଉଠାଇ ଆସୁଛି । ଦଳ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଭୂମିକାକୁ ନେଇ ଆପତ୍ତି ଉଠାଇବା ସହ ତାଙ୍କ ଇସ୍ତଫା ଦାବି କରିଛି । ବିଜେଡିର ଅଭିଯୋଗ ଅନୁସାରେ, SIR ପ୍ରକ୍ରିୟାରେ ଦେଶବ୍ୟାପୀ ବହୁ ସଂଖ୍ୟକ ଭୋଟରଙ୍କ ନାମ ବାଦ୍ ପଡ଼ିଛି। ଓଡ଼ିଶାରେ ମଧ୍ୟ ଲକ୍ଷାଧିକ ଭୋଟରଙ୍କ ନାମ ତାଲିକାରୁ ବାଦ୍ ପଡ଼ିବାକୁ ନେଇ ଦଳ ପ୍ରଶ୍ନ ଉଠାଇଛି ।
ବିଶେଷକରି ଧାମନଗରରେ ଭୋଟରଙ୍କ ନାମ ବାଦ୍ ପଡ଼ିବା ଘଟଣାକୁ ନେଇ ବିଜେଡି ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ପ୍ରଶ୍ନ କରିଛି । ଏପଟେ Form-6କୁ ନେଇ ମଧ୍ୟ ବିବାଦ ଜୋର ଧରିଛି। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ Form-6ରେ କୌଣସି ପରିବର୍ତ୍ତନକୁ କୋର୍ଟ ଅନୁମୋଦନ କରିନଥିଲେ ।
ଏହାକୁ ଆଧାର କରି ବିଜେଡି ପୁଣିଥରେ CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଉଠାଇଛି । ତେବେ ବିଜେଡି ସ୍ପଷ୍ଟ କରିଛି ଯେ ଦଳ INDIA ବ୍ଲକର ଅଂଶ ନୁହେଁ। NDA ସହ ମଧ୍ୟ ବିଜେଡିର କୌଣସି ମେଣ୍ଟ ନାହିଁ ।

