ସଂଚାର ବ୍ୟୁରୋ: ସରିଲା ବିଧାନସଭାର ବଜେଟ ଅଧିବେଶନ । ଦୁଇ ଦିନ ପୂର୍ବରୁ ବଜେଟ ଅଧିବେଶନ ଶେଷ ହେବା ସହ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି କରିଛନ୍ତି ବାଚସ୍ପତି । ଜୁଲାଇ ୨୨ ତାରିଖରୁ ଆରମ୍ଭ ହୋଇଥିବା ଅଧିବେଶନରେ ମୋଟ ୨୭ଟି କାର୍ଯ୍ଯ ଦିବସ ରହିଥିବା ବେଳେ ୨୫ଟି କାର୍ଯ୍ୟଦିବସ ଚାଲିଲା । ଏହି ସମୟରେ ଆସିଥିଲା ୨୦୨୪-୨୫ ବର୍ଷର ଆର୍ଥିକ ବଜେଟ । ଅଧିବେଶନରେ ୮ ଜଣ ପୂର୍ବତନ ସଦସ୍ଯ, ମନ୍ତ୍ରୀ ଓ ପୂର୍ବତନ ରାଜ୍ଯପାଳଙ୍କ ସମେତ ଜଣେ ଲେଖାଏ ବିଶିଷ୍ଟ ସମାଜସେବୀ ଓ ପୂର୍ବତନ ଓଡ଼ିଶା ପୋଲିସର ଅଧିକାରୀଙ୍କ ବିୟୋଗରେ ଶୋକପ୍ରସ୍ତାବ ଆଗତ ହୋଇଥିଲା । ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ ହୋଇଥିଲା । ଏଏସଓଙ୍କୁ ରାଜ୍ଯପାଳଙ୍କ ପୁଅଙ୍କ ମାଡ଼ ପ୍ରସଙ୍ଗ ସହ ମୁଖ୍ଯମନ୍ତ୍ରୀ ଗୃହ ବାହାରେ ସରକାରୀ ଘୋଷଣା କରିବା, ଚିକିଟି ମଦମୃତ୍ଯୁ, ସୁଭଦ୍ରା, ଢେଙ୍କାନାଳ ଗଣଦୁଷ୍କର୍ମ, ରେଭେନ୍ସା ନାମ ବଦଳାଇବା ପ୍ରସ୍ତାବ, ଦରଦାମ ବୃଦ୍ଧି, ମାଗଣା ବିଜୁଳି ଆଦି ପ୍ରସଙ୍ଗରେ ଗୃହ ବେଶ୍ ସରଗରମ ରହିଥିଲା । ବିରୋଧୀ ବିଜେଡି ଓ କଂଗ୍ରେସ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରି ଜବାବ ମାଗିଥିଲେ । ପ୍ରଥମକରି ସଦସ୍ଯ ହୋଇଥିବା ବିଧାୟକମାନଙ୍କ ଅଂଶଗ୍ରହଣ ମଧ୍ଯ ବେଶ୍ ଉତ୍ସାହଜନକ ରହିଥିଲା ।