ଏଆଇ ଉପରେ ଲାଗିଲା ରୋକ୍। ଏଣିକି ଆଉ ସ୍କୁଲ ଛାତ୍ରଛାତ୍ରୀ ମାନେ ଏଆଇ ବା କୃତ୍ରିମ ବୁଦ୍ଧିମତା ବ୍ୟବହାର କରିପାରିବେ ନାହିଁ। ଏହି ଖବର ଆସିଛି ଆମେରିକାରୁ। ଆମେରିକାର ନ୍ୟୁୟର୍କ ସହରର ସରକାରୀ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀଙ୍କ AI ବ୍ୟବହାର ଉପରେ ଏକ ବର୍ଷର ରୋକ୍ ଘୋଷଣା କରାଯାଇଛି। ପ୍ରଥମରୁ ଆରମ୍ଭ କରି ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ।
ନ୍ୟୁୟର୍କ ମେୟର ଜୋହରାନ୍ ମାମଦାନୀ ଏବଂ ସ୍କୁଲ୍ସ ଚାନ୍ସେଲର କାମାର ସାମୁଏଲ୍ସ ଏହା ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ପ୍ରାୟ ୬ ଲକ୍ଷ ସରକାରୀ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିବ। ଏହାକୁ ଆମେରିକାର ସବୁଠାରୁ କଠୋର AI ନୀତି ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି।
‘ପିଲାଙ୍କୁ AI ନୁହେଁ, ଶିକ୍ଷକ ଆବଶ୍ୟକ’
AI ଉପରେ ରୋକ୍ ଲଗାଇବାର କାରଣ ବିଷୟରେ ମେୟର ମାମଦାନୀ କହିଛନ୍ତି ଯେ ପିଲାମାନଙ୍କ ଶିକ୍ଷାର ମୂଳ ଆଧାର ହେଉଛି ଶିକ୍ଷକ, ସହପାଠୀଙ୍କ ସହ ସମ୍ପର୍କ ଏବଂ ନିଜେ କଠିନ ସମସ୍ୟାର ସମାଧାନ କରିବାର ଅଭ୍ୟାସ। AI ଏହି ମାନବୀୟ ସଂଯୋଗର ବିକଳ୍ପ ହୋଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ମାମଦାନୀଙ୍କ ଅନୁସାରେ, ପିଲାମାନଙ୍କୁ ନିଜେ ଚିନ୍ତା କରିବା, ପ୍ରଶ୍ନ ପଚାରିବା, ଭୁଲରୁ ଶିଖିବା ଏବଂ ସହପାଠୀଙ୍କ ସହ ମିଶି କାମ କରିବାର ସୁଯୋଗ ମିଳିବା ଦରକାର। AI ଉପରେ ଅତ୍ୟଧିକ ନିର୍ଭରଶୀଳତା ଏହି ଶିକ୍ଷା ପ୍ରକ୍ରିୟାକୁ ପ୍ରଭାବିତ କରିପାରେ ବୋଲି ପ୍ରଶାସନ ଚିନ୍ତା ପ୍ରକାଶ କରିଛି।
