୧୫ ବର୍ଷର ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ । ଏତେ କମ ବୟସରୁ ବଡ ବଡ ଷ୍ଟାର୍ ବୋଲରଙ୍କୁ ପ୍ରହାର କରୁଛନ୍ତି । ଖାତାରେ ଅନେକ ରେକର୍ଡ । ଆଇପିଏଲରେ ଅରେଞ୍ଜ୍ କ୍ୟାପ୍ ହାସଲ କରିଛନ୍ତି । ଏବେ ସେ ଘରୋଇ ମୁକାବିଲାରେ ନିଜର ଦମ୍ ଦେଖାଉଛନ୍ତି । ଦଲୀପ ଟ୍ରଫିରେ ଇଷ୍ଟ୍ ଜୋନ୍ ର ଉପ ଅଧିନାୟକ ଭାର ବି ତାଙ୍କୁ ମିଳିଛି । ତେବେ ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡ ବୈଭବଙ୍କୁ ନେଇ ବଡ ପ୍ରଶ୍ନ ଉଠାଇଛନ୍ତି । ବୈଭବ ନାଲି ବଲ୍ କ୍ରିକେଟରେ ଦୁଇଟି ଫୁଲ୍ ସେସନ ଖେଳିପାରିବେ ନା ନାହିଁ ବୋଲି ରାହୁଲ ପଚାରିଛନ୍ତି । ଯଦି ସେ ଖେଳିପାରିବେ ତାହାଲେ ଭାରତୀୟ ଟେଷ୍ଟ୍ ଦଳରେ ତାଙ୍କୁ ସୁଯୋଗ ମିଳିବା ସହଜ ହେବ ।
ରାହୁଲ କହିଛନ୍ତି ଯେ, ବୈଭବଙ୍କୁ ନେଇ ଧୈର୍ଯ୍ୟ ରକ୍ଷା କରିବାକୁ ହେବ । ସେ ଏବେ ମାତ୍ର ୧୫ ବର୍ଷର ଶିଶୁ । ତାଙ୍କୁ ଘରୋଇ ଟୁର୍ଣ୍ଣାମେଣ୍ଟରେ ନାଲି ବଲ୍ କ୍ରିକେଟ୍ ଖେଳିବାକୁ ମିଳିଛି । ଯାହା ତାଙ୍କର ଅଭିଜ୍ଞତାକୁ ବୃଦ୍ଧି କରିବ ।ଯଦି ସେ ଏକାଧିକ ସେସନ ଖେଳନ୍ତି ତାହାଲେ ଟେଷ୍ଟ୍ ରାସ୍ତା ସହଜ ହେବ । ଏବେବି ଭାରତୀୟ ଦଳର ଟେଷ୍ଟ୍ ଟିମ୍ ଖୁବ୍ ଶକ୍ତିଶାଳୀ । ଏଥିରେ ବୈଭବ ଜାଗା ପାଇବେ ନା ନାହିଁ ତାହା ଭିନ୍ନ କଥା । କିନ୍ତୁ ଦୁଇଟି ସେସନରେ ଖେଳିପାରିଲେ ସେ ନିଜକୁ ସକ୍ଷମ କରାଇପାରିବେ ।
ଭାରତୀୟ ଦଳରେ ସେ ଟି୨୦ ମ୍ୟାଚ୍ ଖେଳୁଛନ୍ତି । ଆଗକୁ ଦିନିକିଆ ମଧ୍ୟ ଖେଳିବେ । ଏତେ ବ୍ୟସ୍ତ ଭିତରେ ମଧ୍ୟରେ ସେ ଘରୋଇ ମୁକାବିଲାରେ ଏକାଧିକ ସେସନ ଖେଳିବା ଦରକାର । ତାଙ୍କ ପାଖରେ କଳା ଏବଂ କୌଶଳ ରହିଛି । ଯଦି ଅନ୍ତର୍ଜାତୀୟ ମ୍ୟାଚରୁ ସମୟ ମିଳେ ତାହାଲେ ସେ ଘରୋଇ ମ୍ୟାଚରେ ଧ୍ୟାନ ଦିଅନ୍ତୁ ବୋଲି ପୂର୍ବତନ କୋଚ୍ ଦ୍ରାବିଡ କହିଛନ୍ତି ।
ସୂଚନାଯୋଗ୍ୟ, ବୈଭବଙ୍କୁ ଦ୍ରାବିଡ ଅତି ନିକଟରୁ ଦେଖିଛନ୍ତି । ସେ ରାଜସ୍ଥାନ ରୟାଲ୍ସର କୋଚ୍ ଥିବା ବେଳେ ବୈଭବଙ୍କୁ ସୁଯୋଗ ମିଳିଥିଲା । ୨୦୨୬ ଆଇପିଏଲରେ ସେ ୭୭୬ ରନ୍ ସଂଗ୍ରହ କରିଥିଲେ । ଶ୍ରୀଲଙ୍କା ଏ ବିପକ୍ଷରେ ୨୯ ବଲରୁ ୯୪ ରନ୍ ସଂଗ୍ରହ କରିଥିଲେ । ଗତ ଜୁଲାଇରେ ସେ ଇଂଲଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ ଟି୨୦ରେ ପଦାର୍ପଣ କରିଥିଲେ । କିନ୍ତୁ ଜିମ୍ବାଓ୍ୱେରେ ହିଁ ନିଜର ଅସଲି ବ୍ୟାଟିଂ ଦେଖାଇଥିଲେ । ଏହାସହ ତାଙ୍କୁ ପ୍ଲେୟାର ଅଫ୍ ଦି ସିରିଜ୍ ପୁରସ୍କାର ମିଳିଥିଲା ।
