ଦେଶରେ ପୁଣିଥରେ ସ୍ୱାଇନ୍ ଫ୍ଲୁ ବା H1N1 ଇନ୍ଫ୍ଲୁଏଞ୍ଜାକୁ ନେଇ ବଢ଼ିଲାଣି ଚିନ୍ତା । ବିଶେଷକରି ଦିଲ୍ଲୀ ସମେତ କିଛି ସହରରେ H1N1 ସଂକ୍ରମଣ ବୃଦ୍ଧି ପାଇଥିବା ଖବର ପ୍ରକାଶ ପାଇଛି । ଦିଲ୍ଲୀରେ ୨୦୨୬ରେ ଏପର୍ଯ୍ୟନ୍ତ ୧,୭୭୭ଟି H1N1 ମାମଲା ରେକର୍ଡ ହୋଇଥିବା ରିପୋର୍ଟ ରହିଛି। ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ପରିସ୍ଥିତିର ସମୀକ୍ଷା କରିଛନ୍ତି। ତେବେ ସ୍ୱାଇନ୍ ଫ୍ଲୁ କ’ଣ ? ଏହା କିପରି ବ୍ୟାପେ ? ଏହାର ଲକ୍ଷଣ କ’ଣ ? ଏବଂ ନିଜକୁ ଏହି ସଂକ୍ରମଣରୁ କିପରି ସୁରକ୍ଷିତ ରଖିବେ? ଆସନ୍ତୁ ଜାଣିବା।
H1N1 କ’ଣ ଓ ଏହା କିପରି ବ୍ୟାପେ ?
ସ୍ୱାଇନ୍ ଫ୍ଲୁକୁ ସାଧାରଣତଃ H1N1 ଇନ୍ଫ୍ଲୁଏଞ୍ଜା ବୋଲି କୁହାଯାଏ। ଏହା ଇନ୍ଫ୍ଲୁଏଞ୍ଜା ଭାଇରସ୍ର ଏକ ପ୍ରକାର ପ୍ରଜାତି | ଏହା ମୁଖ୍ୟତଃ ଶ୍ୱାସକ୍ରିୟା ପ୍ରଣାଳୀକୁ ପ୍ରଭାବିତ କରିଥାଏ । ବର୍ତ୍ତମାନ H1N1 ଋତୁକାଳୀନ ଇନ୍ଫ୍ଲୁଏଞ୍ଜାର ଏକ ଅଂଶ ଭାବେ ଦେଖାଯାଏ। ସଂକ୍ରମିତ ହୋଇଥିବା ବ୍ୟକ୍ତି କାଶିବା, ଛିଙ୍କିବା କିମ୍ବା କଥା କହିବା ସମୟରେ ବାହାରୁଥିବା ଶ୍ୱାସକଣିକା ମାଧ୍ୟମରେ ଭାଇରସ୍ ଅନ୍ୟମାନଙ୍କ ନିକଟକୁ ପହଞ୍ଚିଥାଏ । ସଂକ୍ରମିତ ପୃଷ୍ଠକୁ ଛୁଇଁବା ପରେ ଆଖି, ନାକ କିମ୍ବା ପାଟିକୁ ହାତ ଲଗାଇଲେ ମଧ୍ୟ ସଂକ୍ରମଣର ଆଶଙ୍କା ରହିଥାଏ। ଭିଡ଼ ଏବଂ ବାୟୁ ଚଳାଚଳ କମ୍ ଥିବା ସ୍ଥାନରେ ଏହାର ପ୍ରସାରଣ ଅଧିକ ହୋଇପାରେ।
ସ୍ୱାଇନ୍ ଫ୍ଲୁର ଲକ୍ଷଣ:
ସ୍ୱାଇନ୍ ଫ୍ଲୁର ଲକ୍ଷଣ ସାଧାରଣ ଫ୍ଲୁ ସହିତ ପାଖାପାଖି ସମାନ। ଏଥିରେ ଜ୍ୱର କିମ୍ବା ଥଣ୍ଡା ଲାଗିବା, କାଶ, ଗଳା ଦରଜ, ମୁଣ୍ଡବିନ୍ଧା, ଶରୀର ଓ ମାଂସପେଶୀରେ ଯନ୍ତ୍ରଣା ହେବା, ଅତ୍ୟଧିକ ଥକାପଣ ଲାଗିବ ଓ ନାକ ବନ୍ଦ ହେବା କିମ୍ବା ନାକରୁ ପାଣି ବୋହିବା ଭଳି ଲକ୍ଷଣ ଦେଖାଯାଇପାରେ। କେତେକ ଲୋକଙ୍କଠାରେ ବାନ୍ତି, ଡାଇରିଆ ମଧ୍ୟ ହୋଇପାରେ । ଶିଶୁ, ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ଯେଉଁମାନଙ୍କର ପୂର୍ବରୁ କିଛି ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟା ରହିଛି, ସେମାନଙ୍କଠାରେ ଫ୍ଲୁ ଗୁରୁତର ହେବାର ଆଶଙ୍କା ଅଧିକ ।
ସ୍ୱାଇନ୍ ଫ୍ଲୁରୁ ବଞ୍ଚିବା ପାଇଁ କିଛି ସାଧାରଣ ସତର୍କତା ଅତ୍ୟନ୍ତ ଜରୁରୀ। ପ୍ରଥମେ, ନିୟମିତ ଭାବେ ସାବୁନରେ ହାତ ଧୁଅନ୍ତୁ। କାଶିବା କିମ୍ବା ଛିଙ୍କିବା ସମୟରେ ନାକ ଓ ପାଟିକୁ ବନ୍ଦ ରଖନ୍ତୁ । ଅସୁସ୍ଥ ଥିଲେ ଭିଡ଼ଠାରୁ ଦୂରେ ରୁହନ୍ତୁ ଏବଂ ଅନ୍ୟମାନଙ୍କ ସହ ଅନାବଶ୍ୟକ ସମ୍ପର୍କ ଏଡ଼ାନ୍ତୁ। ଭିଡ଼ ଥିବା ସ୍ଥାନରେ ମାସ୍କ ବ୍ୟବହାର, ହାତର ପରିଚ୍ଛନ୍ନତା ଏବଂ ଅସୁସ୍ଥ ବ୍ୟକ୍ତିଙ୍କଠାରୁ ଦୂରତା ରଖିବା ମଧ୍ୟ ସଂକ୍ରମଣ କମାଇବାରେ ସହାୟକ ହୋଇପାରେ। ଜ୍ୱର, କାଶ, ଗଳା ଦରଜ କିମ୍ବା ଶରୀରରେ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଦେଲେ ନିଜେ ନିଜେ ଔଷଧ ଖାଇବା ପରିବର୍ତ୍ତେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ବିଶେଷକରି ଶ୍ୱାସକଷ୍ଟ, ଅତ୍ୟଧିକ ଦୁର୍ବଳତା କିମ୍ବା ଅବସ୍ଥା ବିଗିଡ଼ିବା ଭଳି ଲକ୍ଷଣ ଦେଖାଦେଲେ ଶୀଘ୍ର ଚିକିତ୍ସା ନେବା ଜରୁରୀ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଫ୍ଲୁ ଭଳି ଲକ୍ଷଣ ହେଲେ ଡାକ୍ତରଙ୍କ ପରାମର୍ଶ ନେବାକୁ କହିଛି।
