ପଞ୍ଜାବର ପଟିଆଲା ଅନ୍ତର୍ଗତ ଘୁମନ ନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଭଡ଼ା ଘର ଦେଖିବାକୁ ଯାଇଥିବା ବେଳେ ଏକ ଦମ୍ପତିଙ୍କୁ ଖୁଙ୍ଖାର କୁକୁର ପିଟ୍ବୁଲ୍ ଆକ୍ରମଣ କରିଛି। ଏହି ଆକ୍ରମଣର ସିସିଟିଭି ଫୁଟେଜ୍ ସୋସିଆଲ ମିଡିଆରେ ବ୍ୟାପକ ଭାବେ ଭାଇରାଲ୍ ହେବା ସହ ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଅଙ୍କିତ ସଭରୱାଲ ଏବଂ ତାଙ୍କ ପତ୍ନୀ ଶିଫାଲି ଏକ ପ୍ରପର୍ଟି ଡିଲରଙ୍କ ସହ ଘୁମନ ନଗରକୁ ଏକ ଭଡ଼ା ଘର ଦେଖିବାକୁ ଯାଇଥିଲେ। ଅଙ୍କିତଙ୍କ ଅଭିଯୋଗ ଅନୁଯାୟୀ, ଘରର ଗେଟ୍ ଖୋଲିବା ମାତ୍ରେ ଏକ ପିଟ୍ବୁଲ୍ କୁକୁର ହଠାତ୍ ବାହାରକୁ ଆସି ତାଙ୍କ ପତ୍ନୀଙ୍କ ଉପରେ ଆକ୍ରମଣ କରିଥିଲା। କୁକୁରଟି ତାଙ୍କ ହାତ ଏବଂ ଶରୀରର ଅନ୍ୟାନ୍ୟ ଅଙ୍ଗକୁ ଏକାଧିକ ଥର କାମୁଡ଼ି ଗୁରୁତର ଖଣ୍ଡିଆଖାବରା କରିଦେଇଥିଲା। ତାଙ୍କୁ ତୁରନ୍ତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଛି। ପତ୍ନୀଙ୍କୁ ରକ୍ଷା କରିବାକୁ ଯାଇ ଅଙ୍କିତ ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ଗୋଡ଼ ଏବଂ ପିଠିରେ କୁକୁର କାମୁଡ଼ି ଦେଇଛି।
ଭାଇରାଲ୍ ହେଉଥିବା ସିସିଟିଭି ଫୁଟେଜରେ କୁକୁରଟି ଦମ୍ପତିଙ୍କୁ ଅତି ଆକ୍ରମଣାତ୍ମକ ଭାବେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଘର ଭିତରୁ ଜଣେ ମହିଳା ଏକ ବାଡ଼ି ଧରି ବାହାରି ଆସିଥିଲେ ମଧ୍ୟ ଆକ୍ରମଣ ରୋକିବାରେ ବିଫଳ ହୋଇଥିଲେ। ପରେ ସ୍ଥାନୀୟ ଲୋକମାନେ ଠେଙ୍ଗା ବାଡ଼ି ଧରି କୁକୁରଟିକୁ ଘଉଡ଼ାଇବାରେ ସଫଳ ହୋଇଥିଲେ।
ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି ପଟିଆଲା ମେୟର କୁନ୍ଦନ ଗୋଗିଆ କହିଛନ୍ତି ଯେ, ସହର ଭିତରେ ଏଭଳି ହିଂସ୍ର ପ୍ରଜାତିର କୁକୁର ପାଳିବା ଉପରେ କଟକଣା ଲଗାଇବାକୁ ମ୍ୟୁନିସିପାଲ୍ କର୍ପୋରେସନ ବିଚାର କରୁଛି। ଆଗାମୀ ବୈଠକରେ ଏହି ପ୍ରସଙ୍ଗ ଉଠାଯିବ ଏବଂ ଏକ ସ୍ୱତନ୍ତ୍ର ପ୍ରସ୍ତାବ ଆଗତ କରାଯାଇପାରେ। ଅନ୍ୟପକ୍ଷରେ, ନିଜ କୁକୁରକୁ ନିୟନ୍ତ୍ରଣରେ ରଖିବାରେ ବିଫଳ ହୋଇଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଅଙ୍କିତ ପୋଲିସରେ ଅଭିଯୋଗ କରିଛନ୍ତି।
