ଯଦି ଆପଣଙ୍କ ଗାଡିର ବୀମା ନାହିଁ, ତେବେ ତୁରନ୍ତ କରାଇ ନିଅନ୍ତୁ । କାହିଁକି ନା କଠୋର ଆଭିମୁଖ୍ୟ ଗ୍ରହଣ କରିବ ପରିବହନ ବିଭାଗ । ଟୋଲଗେଟ୍ରେ ଇ- ଡିଟେକ୍ସନ ପଦ୍ଧତିରେ କଡ଼ାକଡ଼ି ଯାଞ୍ଚ ହେବ । ଗାଡ଼ି ମାଲିକଙ୍କ ନିକଟକୁ ଯିବ ଇ – ଚାଲାଣ । ବାରମ୍ବାର ନିୟମ ଉଲ୍ଲଙ୍ଘନ କଲେ ଗାଡ଼ି ଜବତ ହେବ । ପରିବହନ ବିଭାଗର ଆଭିମୁଖ୍ୟକୁ ସ୍ୱାଗତ କରିଛନ୍ତି ଗାଡି ମାଲିକ ।
ଆପଣଙ୍କ ଗାଡିର ବୈଧ ବୀମା ନାହିଁ କି, ତେବେ ହୋଇଯାଆନ୍ତୁ ସାବଧାନ । ବୀମା ନଥିବା ଗାଡ଼ି ବିରୋଧରେ ପରିବହନ ବିଭାଗ ଗ୍ରହଣ କରିବାକୁ ଯାଉଛି କଠୋର ଆଭିମୁଖ୍ୟ । ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି, ଟୋଲଗେଟ୍ରେ ଇ- ଡିଟେକ୍ସନ ପଦ୍ଧତିରେ କଡ଼ାକଡ଼ି ଯାଞ୍ଚ ହେବ । ବାରମ୍ବାର ନିୟମ ଉଲ୍ଲଙ୍ଘନ କଲେ ଗାଡ଼ି ହେବ ଜବତ ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମୋଟର ଯାନ ନିୟମାବଳୀର ସମ୍ପୂର୍ଣ୍ଣ କାର୍ଯ୍ୟକାରୀତା ସୁନିଶ୍ଚିତ କରିବା ପାଇଁ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଇ-ଡିଟେକ୍ସନ ମାଧ୍ୟମରେ ରାଜ୍ୟର ସମସ୍ତ ଟୋଲଗେଟ୍ ଦେଇ ଯାତାୟାତ କରୁଥିବା ଯାନବାହନର ବୈଧ ବୀମା, ଫିଟନେସ, ପ୍ରଦୂଷଣ ପ୍ରମାଣପତ୍ର ଇତ୍ୟାଦି କାଗଜପତ୍ର ସ୍ୱୟଂକ୍ରିୟ ପଦ୍ଧତିରେ ଯାଞ୍ଚ କରାଯିବ ।
ଯେଉଁ ଗାଡ଼ିଗୁଡ଼ିକର ବୈଧ କାଗଜପତ୍ର ନଥିବ, ସେଗୁଡ଼ିକ ବିରୋଧରେ ସଙ୍ଗେ ସଙ୍ଗେ ଇ-ଚାଲାଣ ଜାରି କରାଯିବ । ଅଭ୍ୟାସଗତ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ସ୍ୱରୂପ ପଞ୍ଜିକରଣ ପ୍ରମାଣପତ୍ର ରଦ୍ଦ ଓ ଗାଡ଼ିଗୁଡ଼ିକୁ ଜବତ କରିବାକୁ ପଦକ୍ଷେପ ନିଆଯିବ ।
ରାଜ୍ୟରେ ୬୦ ପ୍ରତିଶତରୁ ଅଧିକ ଗାଡ଼ିର ନାହିଁ ବୈଧ ବୀମା । ରାଜ୍ୟ ପରିବହନ ପ୍ରାଧିକରଣ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ରାଜ୍ୟରେ ମୋଟ ୧ କୋଟି ୧ ଲକ୍ଷ ୪୧ ହଜାର ୯୫୧ ଟି ଗାଡ଼ି ମଧ୍ୟରୁ ୬୫ ଲକ୍ଷ ୭୩ ହଜାର ୬୩୩ ଟି ଗାଡ଼ିର ବୈଧ ବୀମା ନାହିଁ । ଯାହାକୁ ଦୃଷ୍ଟିରେ ରଖି ଆରଟିଓ ସ୍ତରରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ସହ ଏନଫୋର୍ସମେଣ୍ଟ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର ।
ତେବେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ଯଥା ସମ୍ଭବ ଉଚିତ୍ କ୍ଷତିପୂରଣ ସୁନିଶ୍ଚିତ କରିବା ପାଇଁ ବୈଧ ବୀମା ଅତ୍ୟନ୍ତ ଜରୁରୀ ବୋଲି ସୂଚନା ଦିଆଯାଇଛି । ଅନ୍ୟପଟେ ପରିବହନ ବିଭାଗର ଏହି ନିଷ୍ପତ୍ତି କୁ ସ୍ୱାଗତ କରିଛନ୍ତି ଗାଡି ମାଲିକ । ଯଦି ଚାଲାଣରୁ ବଂଚିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଗାଡିର ତୁରନ୍ତ ବୀମା କରାଇ ନିଅନ୍ତୁ ।

