ଆଜି ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀମସ୍ତକରୁ ସୋଲ ଚିତା କଢ଼ାଯାଇ ଠାକୁରଙ୍କୁ ରତ୍ନ ଚିତା ଲାଗି କରାଯିବ । ଏହି ସ୍ୱତନ୍ତ୍ର ନୀତି ପାଇଁ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଠାକୁରଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ପ୍ରଥମ ଭୋଗମଣ୍ଡପ ଶେଷ ପରେ ଠାକୁରଙ୍କ ଏହି ନୀତି ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ସ୍ନାନପୂର୍ଣ୍ଣମୀରେ ଠାକୁରେ ଅଣସରକୁ ବିଜେ ସମୟରେ ଏହି ରତ୍ନଚିତା କଢ଼ାଯାଇଥିଲା । ରଥ ଯାତ୍ରା ଅବସରରେ ଠାକୁରେ ସୋଲ ଚିତା ଲାଗି ହୋଇଥିଲେ । ବଣିଆ ସେବକଙ୍କ ଘରୁ ପଟୁଆରରେ ଆସିଥିଲା ସୋଲ ଚିତା । ସେହି ଚିତା ଲାଗି ହୋଇ ଠାକୁରେ ରଥ ଯାତ୍ରାରୁ ଫେରିଲେ । ଆସନ୍ତାକାଲି ତିନି ଭାଇ ଭଉଣୀ ଅସଲ ରତ୍ନଚିତା ଲାଗି ହେବେ । ଭୋଗମଣ୍ଡପ ନୀତି ପରେ ଏହି ବିଶେଷ ନୀତି ସମ୍ପନ୍ନ ହେବ ।
ତିନିବାଡ଼ର ବାଡ଼ଗ୍ରାହୀ ଓ ଦଇତାପତି ଏହି ଅଳଙ୍କାର ଶ୍ରୀଅଙ୍ଗରେ ଲାଗି କରିବେ । ଶୁଦ୍ଧସୁଆରମାନେ ରତ୍ନସିଂହାସନ ତଳେ ସ୍ୱର୍ଣ୍ଣ ଓଷ ପ୍ରସ୍ତୁତ କରିବେ । ବାଡ଼ଗ୍ରାହୀମାନେ ଶୁଦ୍ଧସୁଆର ଦେଇଥିବା ଓଷ ଚିତାରେ ଲାଗି କରାଇବେ । ପାଟରା ଦେଇଥିବା ପାଟଡୋର ଫିତାରେ ବାନ୍ଧି ଶ୍ରୀମସ୍ତକରେ ଚିତା ଲାଗି ହେବ । ଚିତା ଲାଗିର ଯଥେଷ୍ଟ ପୂର୍ବରୁ ମହାପ୍ରଭୁଙ୍କ ବଣିଆ ସେବକଙ୍କୁ ଶ୍ରୀମନ୍ଦିର କମାଣ୍ଡରଙ୍କ ନିର୍ଦ୍ଦେଶ କ୍ରମେ ଚର୍ଚ୍ଚା ଡାକିଯିବେ ।
ବଣିଆ ସେବକମାନେ ଲାଗି ପୂର୍ବରୁ ଚିତା ମାନ ସଫା କରିବାକୁ ଆବଶ୍ୟକ ସାମଗ୍ରୀ ଧରି ଶ୍ରୀମନ୍ଦିରରେ ପହଞ୍ଚିବେ । କମାଣ୍ଡର ଓ ବରିଷ୍ଠ ସେବକଙ୍କ ଉପସ୍ଥିତିରେ ଚିତା ସଫେଇ କରାଯିବ । ମାଜଣା ମଣ୍ଡପରେ ଏହି ଦେବ କାର୍ଯ୍ୟ ଅନୁଷ୍ଠିତ ହେବ । ଗୋପାଳବଲ୍ଲଭ ନୀତି ପରକୁ ଏହି କାର୍ଯ୍ୟ ହେବ । ସଫା ଚିତାକୁ ଭଣ୍ଡାରୂ ମେକାପକୁ ଅର୍ପଣ କରାଯିବ । ପ୍ରମୋଦ କୁମାର ମହାପାତ୍ର, ରଘୁନାଥ ମହାପାତ୍ର ଓ ବିଭୂ ପ୍ରସାଦ ମହାପାତ୍ର ଆଦି ଠାକୁରଙ୍କ ବଣିଆ ସେବକମାନେ ଚିତା ସଫା କରିବେ ବୋଲି ସୂଚନା ରହିଛି ।
ସେହିପରି ଆସନ୍ତାକାଲି ଗୁରୁବାର ପ୍ରତିପଦା ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ହେବ । ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର କରିବେ । ଏହି ବିଶେଷ ନୀତି ସମୟରେ ଭକ୍ତମାନଙ୍କ ପାଇଁ ଦର୍ଶନ କଟକଣା ରହିବ । ଅପରାହ୍ଣରୁ ସନ୍ଧ୍ୟା ପର୍ଯ୍ୟନ୍ତ ୩ରୁ ୪ ଘଣ୍ଟା ପ୍ରାୟ ମହାପ୍ରଭୁଙ୍କ ଦର୍ଶନ ପାଇବେ ନାହିଁ ବୋଲି ଅନୁମାନ କରାଯାଉଛି । ପ୍ରାୟତଃ ଅପରାହ୍ଣରେ ଠାକୁରଙ୍କ ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବ । ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ ।
ଦତ୍ତମହାପାତ୍ର ସେବକମାନେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବା ପାଇଁ ଗର୍ଭଗୃହକୁ ପ୍ରବେଶ କରିବେ । ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର, କଇଁଥ ଅଠା, କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରାଯିବ । ଶ୍ରୀମୁଖ ସିଂହାର ଦ୍ୱାରା ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗର ଶ୍ରୀବୃଦ୍ଧି ଘଟିଥାଏ । ଉକ୍ତ ଦିନର ଠାକୁରଙ୍କ ସେବାପୂଜାର ନୀତି ନିର୍ଘଣ୍ଟକୁ ନେଇ ବନକଲାଗି ଓ ଦର୍ଶନ କଟକଣାର ଅସଲ ସମୟ ଧାର୍ଯ୍ୟ ହେବ ।

