ଭୁବନେଶ୍ୱର : ଓଡିଶାରେ ବିଦ୍ୟୁତ୍ ବିତରଣ ଦାୟିତ୍ୱ ନେଇଥିବା ଟାଟା ପାୱାରର ଆର୍ଥିକ କାରବାରର ସିଏଜି ଅଡିଟ୍ କେବେ ହେବ ? ଲକ୍ଷାଧିକ ବିଦ୍ୟୁତ ଉପଭୋକ୍ତାଙ୍କ ମନରେ ଏବେ ଏହି ପ୍ରଶ୍ନ । ବିତରଣ ସଂସ୍ଥା କାହିଁକି ସିଏଜି ଅଡିଟ୍ ପରିସରକୁ ଆସୁନାହିଁ ଓ ଶକ୍ତି ବିଭାଗ କାହିଁକି ଏ କ୍ଷେତ୍ରରେ ଆଗ୍ରହ ଦେଖାଉନାହିଁ ତାହାକୁ ନେଇ ବି ଆଲୋଚନା ଆରମ୍ଭ ହୋଇଛି ।
ବିଜୁଳି ଭିତ୍ତିଭୂମିର ବିକାଶ ପାଇଁ ଟାଟା ପାୱାର ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଠାରୁ ବିଭିନ୍ନ ଯୋଜନାରେ ଅର୍ଥ ନେଉଛି । ଗ୍ରାହକଙ୍କ ଘରେ ସ୍ମାର୍ଟ ମିଟର ବସାଇବାପାଇଁ ବି ରାଜ୍ୟ ସରକାର ୭୦୦କୋଟି ଟଙ୍କାରୁ ଅଧିକ ଅର୍ଥ ଯୋଗାଇ ଦେଉଛନ୍ତି । ବିପୁଳ ପରିମାଣର ସରକାରୀ ଅର୍ଥ ପାଉଥିଲେ ମଧ୍ୟ ଟାଟା ପାୱାର ଆର୍ଥିକ କାରବାରର ସିଏଜି ଅଡିଟ୍ ନହେବା ଏବେ ନୂଆ ବିବାଦ ସୃଷ୍ଟି କରିଛି ।
ଉଲ୍ଲେଖନୀୟ ଯେ ଦିଲ୍ଲୀ ସରକାର ଇତି ମଧ୍ୟରେ ବିଦ୍ୟୁତ୍ ବିତରଣ ଦାୟିତ୍ୱରେ ଥିବା ବେସରକାରୀ ସଂସ୍ଥାର ସିଏଜି ଅଡିଟ୍ ଆରମ୍ଭ କରିଛନ୍ତି । ଏହାଦ୍ୱାରା ଟାରିଫ ର୍ନିଣ୍ଣୟ ପ୍ରକ୍ରିୟା ଅଧିକ ସ୍ୱଚ୍ଛ ଓ ସୁଲଭ ହୋଇପାରିବ ବୋଲି ମତପ୍ରକାଶ ପାଉଛି । ସିଏଜି ଆଇନର ୧୯୭୧ ଧାରା ୨୦ ଅନୁସାରେ ଘରୋଇ ବିତରଣ କମ୍ପାନିଗୁଡିକ ସିଏଜି ଅଡିଟ ପରିସରଭୁକ୍ତ ହେବେ । କାରଣ ବିତରଣ କମ୍ପାନୀଗୁଡିକ ସରକାରୀ ଅନୁଦାନରେ ଭିତ୍ତିଭୂମି ର୍ନିମାଣ କରୁଛନ୍ତି ଏବଂ ଟାରିଫ ର୍ନିଣ୍ଣୟ ପ୍ରକ୍ରିୟା ଜନସ୍ୱାର୍ଥ ସମ୍ବଳିତ ବିଷୟ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।
ଟାଟା ପାୱାରର ବିତରଣ କମ୍ପାନୀଗୁଡିକୁ ସିଏଜି ଅଡିଟ କରିବା ପାଇଁ ବିଦ୍ୟୁତ ଆଇନ, ୨୦୦୩ର ଧାରା ୮୬(୨) ଅନୁସାରେ ଓଇଆରସି ଗତ ମାର୍ଚ ୨୪ରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ । ଚାରି ମାସ ବିତି ଯାଇଥିଲେ ବି ଶକ୍ତି ବିଭାଗ ଏହି ଘଟଣାରେ ନୀରବତା ଅବଲମ୍ବନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏବେ ସମସ୍ତଙ୍କ ନଜର ଶକ୍ତି ବିଭାଗ ଓ ସିଏଜିଙ୍କ ଉପରେ ।
ଉଲ୍ଲେଖନୀୟ ଯେ ଟାଟା ପାୱାର ଆର୍ଥିକ କାରବାରର ସିଏଜି ଅଡିଟ୍ ପାଇଁ ନିର୍ଦ୍ଦେଶ ଦେବା ପରେ ପରେ ଓଇଆରସି ଅଧ୍ୟକ୍ଷ ଅତ୍ୟନ୍ତ ରହସ୍ୟମୟ ଭାବରେ ତାଙ୍କ ପଦବୀ ଛାଡିଥିଲେ । ସେବେଠାରୁ ବର୍ତ୍ତମାନ ସୁଦ୍ଧା ଓଇଆରସିରେ ନୂଆ ଅଧ୍ୟକ୍ଷ ନିଯୁକ୍ତି ହୋଇ ନାହିଁ । ଫଳରେ ଓଇଆରସିଙ୍କ ସିଏଜି ଅଡିଟ୍ ନିର୍ଦ୍ଦେଶ ଏକ ପ୍ରକାର ଶୀତଳଭଣ୍ଡାରରେ ରହିଯାଇଛି । ଶକ୍ତି ବିଭାଗ କୋଟି କୋଟି ଟଙ୍କା ଦେଉଥିଲେ ମଧ୍ୟ ଅଡିଟ୍ ନେଇ ଆଗ୍ରହ ପ୍ରକାଶ କରୁନାହାନ୍ତି ।

