ଟ୍ରେନରେ ବ୍ରହ୍ମପୁର ଅଭିମୁଖେ ରାଷ୍ଟ୍ରପତି । ସ୍ୱତନ୍ତ୍ର ଟ୍ରେନ୍ ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଯାତ୍ରା । ଭୁନେଶ୍ୱରରୁ ଟ୍ରେନ୍ ଯାତ୍ରା ଆରମ୍ଭ କଲେ ରାଷ୍ଟ୍ରପତି । ସ୍ୱତନ୍ତ୍ର ଟ୍ରେନରେ ଭୁବନେଶ୍ୱରରୁ ବ୍ରହ୍ମପୁର ଗସ୍ତ ଆରମ୍ଭ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତିନି ଦିନିଆ ଓଡ଼ିଶା ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ସେ ଗଞ୍ଜାମ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ରାଷ୍ଟ୍ରପତିଙ୍କ ଟ୍ରେନ୍ ଯାତ୍ରାକୁ ନେଇ ପୂର୍ବତଟ ରେଳବାଇ, ରେଳ ସୁରକ୍ଷା ବଳ, GRP, ରାଜ୍ୟ ପୁଲିସ ଏବଂ SPG ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଟ୍ରେନ୍ ଚଳାଚଳ ପୂର୍ବରୁ ସମ୍ପୂର୍ଣ୍ଣ ରେଳପଥ, ପୋଲ ଓ ସେନ୍ସିଟିଭ୍ ସ୍ଥାନଗୁଡ଼ିକର ଯାଞ୍ଚ କରାଯାଇଛି । ରୁଟ୍ ରେ ଥିବା ସମସ୍ତ ଷ୍ଟେସନରେ ସୁରକ୍ଷା କଡ଼ାକଡ଼ି କରାଯିବା ସହ ସନ୍ଦିଗ୍ଧ ବ୍ୟକ୍ତି ଓ ସାମଗ୍ରୀ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ରେଳ ଲାଇନ୍ କଡ଼ରେ ପୁଲିସ ଓ ରେଳ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଥିବା ବେଳେ ଡ୍ରୋନ୍ ଓ ସିସିଟିଭି ମାଧ୍ୟମରେ ମଧ୍ୟ ନଜରଦାରି ବଢ଼ାଯାଇଛି। ଯାତ୍ରା ସମୟରେ ଅନ୍ୟ ଟ୍ରେନ୍ ଚଳାଚଳକୁ ଆବଶ୍ୟକତା ଅନୁଯାୟୀ ନିୟନ୍ତ୍ରଣ କରାଯାଉଛି ।
ଜରୁରୀ ପରିସ୍ଥିତି ପାଇଁ ବିକଳ୍ପ ଇଞ୍ଜିନ୍ , ପ୍ରାଯୁକ୍ତିକ ଟିମ୍ , ଚିକିତ୍ସା ଦଳ ଓ ଉଦ୍ଧାରକାରୀ ଟିମ୍ କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ବ୍ରହ୍ମପୁରରେ ପହଞ୍ଚିବା ପରେ ରାଷ୍ଟ୍ରପତି ସଡ଼କ ପଥରେ ତପ୍ତପାଣି ଯାଇ ମା’ କନ୍ଧୁଣୀ ଦେବୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବେ । ଏହାସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟସୂଚୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ସମଗ୍ର ଗସ୍ତକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

