ଜମ୍ମୁ କାଶ୍ମୀରର ଦ୍ରୁତ ବୋଲର ଆକିବ ନବିଙ୍କୁ ଟିମ୍ ଇଣ୍ଡିଆ ପାଇଁ ଚୟନ କରାଯାଇଛି । ସେ ଶ୍ରୀଲଙ୍କା ବିପକ୍ଷରେ ଭାରତ ଟେଷ୍ଟ ସିରିଜରେ ଯଶପ୍ରୀତ ବୁମରାଙ୍କ ସ୍ଥାନ ନେବେ । ବୁମରା ଶେଷ ମୁହୂର୍ତ୍ତରେ ଶ୍ରୀଲଙ୍କା ଟେଷ୍ଟ ଦଳରୁ ଓହରି ଯିବାକୁ ବାଧ୍ୟ ହୋଇଥିଲେ । ତାଙ୍କର ବାମ ଆଣ୍ଠୁରେ ସମସ୍ୟା ରହିଛି, ଯାହା ଫଳରେ ବିସିସିଆଇ ଡାକ୍ତରୀ ଦଳ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ଘାତକ ବୁମରା ବାଦ ପଡ଼ିବା ପରେ, କିଏ ସୁଯୋଗ ପାଇବ ସେ ବିଷୟରେ କଳ୍ପନାଜଳ୍ପନା ଲାଗି ରହିଥିଲା । ଏକାଧିକ ଖେଳଳିଙ୍କ ନାମ ସାମ୍ନାକୁ ଆସୁଥିଲା । କିନ୍ତୁ ରଣଜୀ କିଙ୍ଗ୍ ଜମ୍ମୁ କାଶ୍ମୀରର ଆକିବ ନବିଙ୍କୁ ଶେଷରେ ଡକରା ଆସିଛି । ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ନବିଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିଛି । ରଣଜୀ ଟ୍ରଫି ମ୍ୟାଚରେ ଜମ୍ମୁ କାଶ୍ମୀର ପାଇଁ କିଙ୍ଗ୍ ସାଜିଥିବା ଆକବି ନବିଙ୍କୁ ବୁମରାଙ୍କ ବଦଳ ଖେଳାଳି ଘୋଷଣା କରିଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ।
ବିସିସିଆଇ ତାର ଏକ୍ସ ହ୍ୟାଣ୍ଡେଲରେ ଆକିବ ନବିଙ୍କ ଚୟନ ଖବର ସେୟାର କରି କହିଛି ଯେ, ଏହା ପ୍ରଥମ ଥର ଜମ୍ମୁ କାଶ୍ମୀରର ଜଣେ ବୋଲରଙ୍କୁ ଭାରତର ଟେଷ୍ଟ ଦଳ ପାଇଁ ଚୟନ କରାଯାଇଛି । ଘରୋଇ କ୍ରିକେଟରେ ପ୍ରଭାବଶାଳୀ ପ୍ରଦର୍ଶନ ଯୋଗୁଁ ଭାରତର ଟେଷ୍ଟ ଦଳରେ ଆକିବ ନବିଙ୍କ ସାମିଲ ହୋଇଛି । ନବି ଗତ ଦୁଇଟି ରଣଜୀ ଟ୍ରଫି ସିଜିନରେ ୧୦୪ଟି ୱିକେଟ୍ ନେଇଛନ୍ତି। ସେ ୨୦୨୫-୨୬ ସିଜିନରେ ଏଥିମଧ୍ୟରୁ ୬୦ ୱିକେଟ୍ ନେଇଥିଲେ, ଯାହା ଜମ୍ମୁ କାଶ୍ମୀରକୁ ପ୍ରଥମ ରଣଜୀ ଟ୍ରଫି ଟାଇଟଲ୍ ଜିତିବାରେ ସହାୟକ ହୋଇଥିଲା । ଡାହାଣହାତୀ ଦ୍ରୁତ ବୋଲର ନବି ମଧ୍ୟ ଶ୍ରୀଲଙ୍କା ଗସ୍ତ କରିଥିବା ଭାରତ ଏ ଦଳର ଅଂଶ ଥିଲେ । ସେ ସେଠାରେ ଦୁଇଟି ଟେଷ୍ଟ ମ୍ୟାଚ୍ ରେ ୬ଟି ୱିକେଟ୍ ନେଇଥିଲେ।
