ପ୍ରେମ ପାଇଁ ଜୀବନ ହାରିଦେଲେ ନର୍ସ । ପୂର୍ବତନ ପ୍ରେମିକଙ୍କ ବ୍ଲାକମେଲ୍ରେ ଅତିଷ୍ଠ ହୋଇ ଜଣେ ନର୍ସ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଭଡ଼ା ଘରୁ ନର୍ସଙ୍କ ମୃତଦେହ ମିଳିଛି । ମାମଲାରେ ପୋଲିସ ନର୍ସଙ୍କ ବର୍ତ୍ତମାନର ପ୍ରେମିକ ସହ ପୂର୍ବତନ ପ୍ରେମିକଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ସୂଚନା ଅନୁସାରେ, ଆତ୍ମହତ୍ୟା କରିଥିବା ନର୍ସ ଜଣଙ୍କ ପଟିଆ ଅଞ୍ଚଳରେ ଥିବା ଘରୋଇ ମେଡିକାଲ୍ରେ କାର୍ଯ୍ୟ କରୁଥିଲେ । ନିଜ ଘର ବଲାଙ୍ଗିର ଜିଲ୍ଲାରେ ହୋଇଥିବା ବେଳେ ସେ ଡମଣାରେ ଘର ଭଡ଼ାରେ ନେଇ ରହୁଥିଲେ । ନର୍ସ ଜଣଙ୍କର ପୂର୍ବତନ ପ୍ରେମିକଙ୍କ ଘର ମଧ୍ୟ ବଲାଙ୍ଗିର ଜିଲ୍ଲାରେ ବୋଲି ସୂଚନା ମଳିଛି ।
ପୂର୍ବରୁ ନର୍ସ ଜଣଙ୍କ ପରମାନନ୍ଦ ନାମକ ଯୁବକଙ୍କୁ ପ୍ରେମ କରୁଥିଲେ । ତେବେ କୌଣସି କାରର ପରମାନନ୍ଦଙ୍କ ସହ ତାଙ୍କର ବ୍ରେକଅପ୍ ହୋଇଥିଲା । ଯାହାପରେ ଯୁବତୀ ଜଣଙ୍କ ମହେଶ ନାଥ ନାମକ ଯୁବକଙ୍କ ସହ ଲିଭ୍-ଇନରେ ଡମଣାରେ ରହୁଥିଲେ ।
ମହେଶଙ୍କ ଯୁବତୀ ଏକାଠି ରହୁଥିବା ଜାଣି ପାରିଥିଲେ ପୂର୍ବତନ ପ୍ରେମିକ । ଯାହାପରେ ଯୁବତୀ ଜଣଙ୍କୁ ପରମାନନ୍ଦ ବ୍ଳାକମେଲ୍ କରିବା ଆରମ୍ଭ କରି ଦେଇଥିଲେ । ଏବେ ନର୍ସଙ୍କ ଆତ୍ମହତ୍ୟା ପରେ ପୋଲିସର ପଚରାଉଚରା ବେଳେ ଏ ତଥ୍ୟ ଦେଇଛି ପ୍ରେମିକ ମହେଶ ।
ମହେଶ ଅନୁସାରେ, ମଙ୍ଗଳବାର ପରମାନନ୍ଦର ଅତ୍ୟାଚାର ବହୁତ ବଢ଼ି ଯାଇଥିଲା । ଯେଉଁଥିପାଇଁ ଯୁବତୀ ଜଣଙ୍କ ଜୀବନ ହାରି ଦେଇଛନ୍ତି । ପୋଲିସ ଯୁବତୀଙ୍କ ଫୋନ୍ ଜବତ କରିବା ସହ କଲ୍ ରେକର୍ଡିଂ ଯାଞ୍ଚ କରୁଛି । ଯେଉଁଥିରୁ ଜଣାପଡ଼ିଛି ଯେ, ପରମାନନ୍ଦଙ୍କ ବ୍ଳାକମେଲିଂରୁ ଯୁବତୀ ଜୀବନ ହାରିଛନ୍ତି । ଉଭୟ ମହେଶ ଓ ପରମାନନ୍ଦଙ୍କୁ ଅଟକ ରଖି ତଦନ୍ତ କରୁଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।
ହେଲ୍ପଲାଇନ୍
ଯଦି ଆପଣଙ୍କୁ କିମ୍ବା ଆପଣଙ୍କ ଆଖପାଖରେ କେହି ପରିଚିତଙ୍କ ମନରେ ଆତ୍ମହତ୍ୟାର ଭାବନା ଆସୁଛି । ତାହେଲେ ଏହା ଗମ୍ଭୀର ଜରୁରୀକାଳୀନ ମେଡିକାଲ୍ ସ୍ଥିତି ଅଟେ । ଏଥିପାଇଁ ତୁରନ୍ତ ଭାରତ ସରକାରଙ୍କ ଜୀବନସାଥୀ ହେଲ୍ପଲାଇନ୍ 18002333330ରେ ସମ୍ପର୍କ କରନ୍ତୁ । ଟେଲିମାନସର ହେଲ୍ପଲାଇନ୍ 1800914416ରେ ମଧ୍ୟ ସମ୍ପର୍କ କରିପାରିବେ । ଏହି ହେଲ୍ପଲାଇନ୍ରେ ଆପଣଙ୍କ ପରିଚୟ ଗୋପନ ରଖାଯିବ ଏବଂ ବିଶେଷଜ୍ଞ ଆପଣଙ୍କୁ ସେହି ପରିସ୍ଥିତିରୁ ବାହାରିବାକୁ ଲାଗି ଆବଶ୍ୟକ ପରାମର୍ଶ ଦେବେ । ଜୀବନ ଥିଲେ, ସବୁ ଅଛି ।

