ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ୨୦୨୬ ପାଇଁ ଶେଷ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କର୍ଡନ ପାସ୍ ଉପରେ ଜିଲ୍ଲାପାଳଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିୟମ ଅନୁସାରେ ଗୋଟିଏ ବି ଅଧିକ କର୍ଡନ ପାସ୍ ଇସ୍ୟୁ ନ କରିବାକୁ ଦେଇଛନ୍ତି କଡ଼ା ନିର୍ଦ୍ଦେଶ। ନୀତିକାନ୍ତି ସହ ଜଡ଼ିତ ସେବକ ଓ କର୍ମଚାରୀଙ୍କ ବ୍ୟତୀତ ଆଉ କାହାକୁ ପାସ୍ ଦିଆଯିବନି ବୋଲି କହିଲେ ମୁଖ୍ୟମନ୍ତ୍ରୀ।
ବୈଠକରେ ସମର୍ପଣ ଓ ସମନ୍ବୟର ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସମର୍ପଣ ଭାବ ନେଇ ସବୁ ବିଭାଗକୁ କାର୍ଯ୍ୟ କରିବାକୁ ପରାମର୍ଶ ଦେଲେ। ସେବାୟତ ଓ କର୍ମଚାରୀଙ୍କୁ ସମନ୍ବୟ ରକ୍ଷା କରି ଦାୟିତ୍ବ ନିର୍ବାହ କରିବାକୁ ଅପିଲ୍ କଲେ। ସମନ୍ବୟ ରକ୍ଷା କରି ଦାୟିତ୍ବ ନିର୍ବାହ କଲେ ରଥଯାତ୍ରା ତ୍ରୁଟିଶୂନ୍ୟ ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ପୁରୀ ରଥଯାତ୍ରା ଉପରେ ସାରା ବିଶ୍ବର ନଜର ରହିଛି। ରଥଯାତ୍ରା ସୁରୁଖୁରୁରେ ସାରିବା ଓ ଭକ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଆମର ଦାୟିତ୍ବ। ସ୍ବାସ୍ଥ୍ୟ, ପରିମଳ ଓ ଟ୍ରାଫିକକୁ ଗୁରୁତ୍ବ ଦିଅଯାଉଛି। ସେବାୟତଙ୍କ ନିଷ୍ଠା ଯୋଗୁଁ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ଅସୁବିଧା କେବେ ହୋଇନି। ଏବର୍ଷ ବି କୌଣସି ଅସୁବିଧା ହେବନି ବୋଲି ମୁଁ ଆଶା କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଅଘଟଣ ଶୂନ୍ୟ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ଦେଲେ 10 ସୂତ୍ରୀ ନିର୍ଦ୍ଦେଶ
୧.ଚଳିତ ବର୍ଷ ବର୍ଷ ଛୋଟ ମୋଟ ଘଟଣା ସତ୍ତ୍ୱେ,ନୀତିକାନ୍ତି ସଠିକ୍ ସମୟରେ ହୋଇଛି। ସେହିପରି ରଥଯାତ୍ରା ସମୟରେ ନୀତିକାନ୍ତି ଠିକ୍ ସମୟରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
୨.ଭକ୍ତଙ୍କ ସୁରକ୍ଷା ଉପରେ ଫୋକସ ଦେବା ସହ ଇନର୍ କର୍ଡନ୍ ଭିତରକୁ ଅନଧିକୃତ ଲୋକଙ୍କୁ ସମ୍ପୂର୍ଣ୍ଣ ବାରଣ କରିବାକୁ ନିର୍ଦ୍ଦେଶ। କେବଳ ନୀତିକାନ୍ତି ସମ୍ପୃକ୍ତ ସେବକ ଓ ଅଧିକାରୀ ଙ୍କୁ ଇନର୍ କର୍ଡନ ପାସ୍ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ।
୩.ଅନୁକୂଳ ପାଗ ଯୋଗୁଁ ରେକର୍ଡ ଭକ୍ତ ଆସି ପାରନ୍ତି ।ତେଣୁ ଭିଡ ନିୟନ୍ତ୍ରଣ ପାଇଁ ବ୍ୟାପକ AI ଓ DRONE ବ୍ୟବହାର କୁ ଗୁରୁତ୍ଵ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
୪.ମହିଳା ଯାତ୍ରୀଙ୍କ ସୁରକ୍ଷା ସହିତ ରିଅଲ ଟାଇମ୍ ମ୍ୟାନେଜମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
୫.ଧର୍ମୀୟ ସ୍ଥଳୀକୁ ସବୁବେଳେ ଟାର୍ଗେଟ ଥିବାରୁ ସମ୍ଭାବ୍ୟ ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରତିହତ ପାଇଁ ପ୍ରସ୍ତୁତ ରହିବାକୁ ପୋଲିସ ଡିଜିଙ୍କୁ ନିର୍ଦେଶ ଦେଇଛନ୍ତି ।
୬.ଦୁର୍ଘଟଣା ବା ଅଘଟଣ ହେଲେ ପ୍ରତ୍ୟେକ ଜୀବନ ବଞ୍ଚାଇବାକୁ ପ୍ରସ୍ତୁତ ରହିବାକୁ ଅଗ୍ନିଶମ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
୭.ଯାନବାହନ ଟ୍ରାଫିକ ସୁପରିଚାଳନା ,ଖାଦ୍ୟର ମାନ ଯାଞ୍ଚ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
୮.ପାଣିପାଗର ଅନୁମାନ ଦେଖି ବର୍ଷା କିମ୍ବା ଗୁଳୁଗୁଳି ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
୯.ଜାତୀୟ ରାଜପଥ ଦୁର୍ଘଟଣା ରୋକିବାକୁ ଆମ୍ବୁଲାନ୍ସ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
୧୦.ନୀତିକାନ୍ତି ସମ୍ପର୍କରେ ଭକ୍ତଙ୍କୁ ଆଗୁଆ ସୂଚନା ଦେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
*ସୋସିଆଲ ମିଡିଆରେ ଗୁଜବ ସୃଷ୍ଟିକାରୀ ଙ୍କ ବିରୋଧରେ ଦୃଢ଼ କର୍ଯ୍ୟାନୁଷ୍ଠାନ ପାଇଁ ସାଇବର୍ ଟିମ୍ ସୋସିଆଲ ମିଡିଆ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଦନ ସିଂଦେଓ ଓ ପ୍ରଭାତି ପରିଡା, ଆଇନମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନ, ରାଜସ୍ବମନ୍ତ୍ରୀ ସୁରେଶ ପୁଜାରୀ, ନଗର ଉନ୍ନୟନମନ୍ତ୍ରୀ କୃଷ୍ଷଚନ୍ଦ୍ର ମହାପାତ୍ର,ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ଉଚ୍ଚଶିକ୍ଷା ମନ୍ତ୍ରୀ ସୁର୍ଯ୍ୟବଶୀ ସୁରଜ,ପରିବହନ ମନ୍ତ୍ରୀ ବିଭୁତି ଭୁଷଣ ଜେନା, ମୁଖ୍ୟ ଶାସନସଚିବ ଅନୁ ଗର୍ଗ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପ୍ରମୁଖ ଯୋଗ ଦେଇଥିଲେ।
