ମୁମ୍ବାଇ ଓ ମହାରାଷ୍ଟ୍ରରେ ମୌସୁମୀର ପ୍ରଭାବ ଆରମ୍ଭ ହୋଇଛି । ଗତକାଲି ରାତିରୁ ମୁମ୍ବାଇରେ ପ୍ରବଳ ବର୍ଷା ହେଉଥିବାର ଦେଖିବାକୁ ମିଳିଛି । ମୁମ୍ବାଇର ପଶ୍ଚିମ ଉପନଗରରେ ୧୯୦ ମିମି ବର୍ଷା ହୋଇସାରିଛି। ଆଜି ସକାଳେ ଭାରତୀୟ ପାଣିପାଗ ବିଭାଗ ମୁମ୍ବାଇ ସ୍ଥିତ କ୍ଷେତ୍ରୀୟ କେନ୍ଦ୍ର ଏବଂ ପାଲଘର ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ଝଡ଼ବର୍ଷା ଏବଂ ବଜ୍ରପାତ ପାଇଁ ମୁମ୍ବାଇ ଏବଂ ଆଖପାଖ ଅଞ୍ଚଳକୁ ମଧ୍ୟ ସତର୍କତା ଜାରି କରାଯାଇଛି ।
ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ଲଗାତାର ବର୍ଷା ଲାଗି ରହିଛି ହିନ୍ଦମାତା, ମାଟୁଙ୍ଗା, କୁର୍ଲା ଏବଂ ଅନ୍ଧେରୀ ସମେତ ଅନେକ ତଳିଆ ଅଞ୍ଚଳରେ ଜଳମଗ୍ନ ସ୍ଥିତି ଜାରି ରହିଛି । ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ପାଣି ଜମି ରହିଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।
ଏହାରି ମଧ୍ୟରେ ଟ୍ରାନ୍ସ-ହାର୍ବର ରେଳପଥରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । କୋପରଖୈରଣେ ଏବଂ ତୁର୍ବେ ଷ୍ଟେସନ ମଧ୍ୟରେ ଥିବା ଟ୍ରାକ ତଳେ ମାଟି ବହିଯାଉଥିବା ଯୋଗୁଁ ଉଭୟ ଦିଗର ଟ୍ରେନ୍ ସେବାକୁ ସମ୍ପୂର୍ଣ୍ଣ ଭାବେ ସ୍ଥଗିତ କରି ଦିଆଯାଇଛି । ପ୍ରବଳ ବର୍ଷା ଯୋଗୁଁ ତଳ ଟ୍ରାକ କ୍ଷତିଗ୍ରସ୍ତ ହୋଇଛି । ଫଳରେ ଏହି ରୁଟରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳ ପ୍ରଶାସନ ଏହି ରୁଟର ଯାତାୟାତକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି । ଯାତ୍ରୀମାନଙ୍କୁ ବିକଳ୍ପ ବ୍ୟବସ୍ଥା ବ୍ୟବହାର କରିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି । ଏଥିସହ ଗତକାଲି ରାତିରେ ପ୍ରବଳ ବର୍ଷା ପବନ ଯୋଗୁଁ ମୁମ୍ବାଇର ଭିକ୍ରୋଲି ପଶ୍ଚିମରେ ଥିବା ଏକ ଆବାସିକ କୋଠା ନିକଟରେ ରିଟେନମେଣ୍ଟ କାନ୍ଥ ଭୁଶୁଡ଼ି ପଡ଼ିଛି । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।
ଅନ୍ୟପଟେ ଗତକାଲି ରାତିରୁ ମହାରାଷ୍ଟ୍ର ସମତେ ମୁମ୍ବାଇର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଥିବାରୁ କିଛି ଅଞ୍ଚଳରେ ପାଣି ଜମି ହୋଇ ରହିଥିବା ସୂଚନା ମିଳୁଛି । ପ୍ରବଳ ବର୍ଷା ପାଇଁ BMCଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ।

