କେରଳ ସରକାର ସ୍କୁଲ୍ ପିଲାଙ୍କ ପାଇଁ ଏବେ ବଡ଼ ଘୋଷଣା କରିଛନ୍ତି । ସ୍କୁଲ୍ ପିଲାଙ୍କୁ ଲିପଷ୍ଟିକ୍ ଲଗାଇବାକୁ ମନା କରାଯାଇଥିବା ସୂଚନା ମିଳିଛି । ସ୍କୁଲ୍ କ୍ୟାମ୍ପସରେ କସମେଟିକ୍ସ ଫ୍ରି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
ସୂଚନାନୁଯାୟୀ, କେରଳ କୋଲ୍ଲାମ ଜିଲ୍ଲାରେ ଲାଗିଛି ଏହି କଟକଣା । କେରଳର ବିଭିନ୍ନ ଜିଲ୍ଲାରେ ଛୋଟ ପିଲାଙ୍କ ମଧ୍ୟରେ କ୍ୟାନ୍ସର ବଢ଼ିବା ନେଇ ସତର୍କ କରାଯାଇଥିଲା । ଫଳରେ ପିଲାଙ୍କ ସ୍ବାସ୍ଥ୍ୟ ପ୍ରତି ଥିବା ବିପଦ ଆଶଙ୍କାରେ ଏହି ପଦକ୍ଷେପ ନିଆଯାଇଛି । କେରଳ ରାଜ୍ୟ ଶିଶୁ କଲ୍ୟାଣ କମିଟି ରାଜ୍ୟର ସ୍କୁଲଗୁଡ଼ିକୁ ଲିପଷ୍ଟିକ୍ ମୁକ୍ତ କ୍ୟାମ୍ପସ୍ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛି । ଏହାକୁ ନେଇ ଅଭିଭାବକ ଏବଂ ଶିକ୍ଷକ ସମସ୍ତେ ଆଲୋଚନା କରୁଛନ୍ତି ।
ପିଲାମାନଙ୍କ ମହଙ୍ଗା ମେକଅପ ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଯାହା ସେମାନଙ୍କ ମାନସିକ ଏବଂ ଶାରୀରିକ ବିକାଶକୁ କ୍ଷତି ପହଞ୍ଚାଇଥାଏ । ଏଥିସହ କମିଟି କହିଛି ଯେ, ପିଲାମାନେ କୌଣସି ଫ୍ୟାଶନ ଶୋରେ ସାମିଲ ହେବାକୁ ଆସୁନାହାଁନ୍ତି ବରଂ ସ୍କୁଲକୁ ପାଠ ପଢ଼ିବାକୁ ଆସୁଛନ୍ତି । କେରଳର ୱାୟାନାଡ ଜିଲ୍ଲାର ଶିଶୁ କଲ୍ୟାଣ କମିଟି ଏହି ମାମଲାରେ ପଦକ୍ଷେପ ନେବା ସହିତ DGEଙ୍କୁ ଏକ ସରକାରୀ ଚିଠି ପଠାଇଛି ।
ରାଜ୍ୟର ସମସ୍ତ ସ୍କୁଲରେ କସମେଟିକ୍ ଜିନିଷ, ବିଶେଷକରି ଲିପଷ୍ଟିକ୍ ଏବଂ ଅଧିକ ମେକଅପ୍ ବ୍ୟବହାରକୁ ତୁରନ୍ତ ନିଷେଧ କରାଯିବା ଉଚିତ ବୋଲି କମିଟି ଚିଠିରେ ଉଲ୍ଲେଖ କରିଛି । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସ୍କୁଲ ନିକଟରେ ଥିବା ଦୋକାନଗୁଡ଼ିକର ଯାଞ୍ଚ କରିବାକୁ ସୁପାରିଶ କରିବା ସହ ଦେଶବ୍ୟାପୀ ଏହି ଅଭିଯାନ ଆରମ୍ଭ କରିବାକୁ ପରାମର୍ଶ ଦେଇ ଏକ ରିପୋର୍ଟ ଦାଖଲ କରିସାରିଛି ।
ଅନ୍ୟପଟେ ଅନେକ ଅଭିଭାବକ ଏହି ନିଷ୍ପତ୍ତିକୁ ସମର୍ଥନ କରୁଥିବାବେଳେ କିଛି ପିଲାମାନେ ଏବଂ ସାମାଜିକ କର୍ମୀଙ୍କ ଏକ ଗୋଷ୍ଠୀ ଏହାକୁ ପୁରୁଣା ଚିନ୍ତାଧାରା ବୋଲି କହି ବିରୋଧ କରୁଛନ୍ତି । କେରଳ ସରକାର ଏହି ପ୍ରସ୍ତାବକୁ ଅନୁମୋଦନ କରିବେ କି ନାହିଁ ଏବଂ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲରେ ଏହାକୁ ଆଇନଗତ ଭାବରେ ଲାଗୁ କରାଯିବ କି ନାହିଁ ତାହା କେବଳ ଦେଖିବାକୁ ବାକି ରହିଛି ।

