ଆଜି ଖୋର୍ଦ୍ଧା ଉପଖଣ୍ଡସ୍ଥିତ ୩୫ ମଦ ଦୋକାନ ପାଇଁ ଲଟେରି ହେବ । ଏ ନେଇ ଅବକାରୀ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ହେଇଛି । ଲଟେରିକୁ ଶୃଙ୍ଖଳିତ କରିବାକୁ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏପଟେ ମଦ ଦୋକାନ ଖୋଲିବା ଆଗରୁ ବେପାରୀଙ୍କଠାରୁ ପ୍ରାୟ ୧୯ କୋଟି ଟଙ୍କା ଅମାନତ ଟଙ୍କା ଅବକାରୀ ବିଭାଗ ନିଜ ପେଡ଼ିରେ ଭର୍ତ୍ତି ସାରିଲାଣି ।
ସୂଚନା ଅନୁସାରେ ଗତ ମାସ ୫ ତାରିଖରେ ଦେଶୀ ଓ ବିଦେଶୀ ମଦଦୋକାନ ଲଟେରି ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିରେ ଖୋର୍ଦ୍ଧା ଅବକାରୀ ଅଧୀକ୍ଷକ କାର୍ଯ୍ୟାଳୟ ଅଧୀନରେ ୨୦ ବିଦେଶୀ ଠିପି ବନ୍ଦ ଏବଂ ୧୫ ଦେଶୀ ମଦ ଦୋକାନ ପାଇଁ ଲଟେରିରେ ଭାଗ ନେବାକୁ ବେପାରୀଙ୍କୁ ଅନ୍ଲାଇନରେ ଆହ୍ୱାନ କରାଯାଇଥିଲା । ବେପାରୀ ବିଦେଶୀ ମଦ ଦୋକାନ ପିଛା ୩ ଲକ୍ଷ ଟଙ୍କା ଏବଂ ଦେଶୀ ମଦ ଦୋକାନ ପିଛା ଦୁଇ ଲକ୍ଷ ଟଙ୍କା ଧାର୍ଯ୍ୟ ଅମାନତ ରାଶି ଗତ ୧୮ ତାରିଖ ସୁଦ୍ଧା ଦାଖଲ କରିବାକୁ ବିଭାଗ ପକ୍ଷରୁ କୁହାଯାଇଥିଲା । ଏମିତି ଅମାନତ ଅର୍ଥ ଫେରସ୍ତ ମିଳିବନି ବୋଲି ଅବକାରୀ ବିଭାଗ ସ୍ପଷ୍ଟ କରିଥିଲା । ଗତମାସ ୨୨ ତାରିଖରେ ଜିଲ୍ଳା ପରିଷଦ କାର୍ଯ୍ୟାଳୟରେ ଲଟେରି ହେବ ବୋଲି ଧାର୍ଯ୍ୟ ହୋଇଥିଲ । ପରେ ତାରିଖ ବଦଳିଛି । ତେଣୁ ୨୦ ଠିପିବନ୍ଦ ମଦଦୋକାନ ଲଟେରିରେ ଭାଗନେବାକୁ ୪୧୦ ଜଣ ବେପାରୀ ଆବେଦନ କରିଥିଲେ । ସେମାନଙ୍କଠାରୁ ୩ ଲକ୍ଷ ଟଙ୍କା ଲେଖାଏଁ ଅମାନତ ତଥା ୧୨ କୋଟି ୩୦ ଲକ୍ଷ ଟଙ୍କା ଅବକାରୀ ବିଭାଗ ଲଟେରି ହେବା ଆଗରୁ ନିଜ ପେଡ଼ିରେ ପକାଇ ସାରିଲାଣି ।
ସେହିପରି ୧୫ ଦେଶୀ ମଦ ଦୋକାନ ପାଇଁ ୩୨୮ ଜଣ ଇଚ୍ଛୁକ ବେପାରୀଙ୍କ ଦୁଇ ଲକ୍ଷ ଟଙ୍କା ଲେଖାଏଁ ମୋଟ ୬ କୋଟି ୫୬ ଲକ୍ଷ ଟଙ୍କା ଅମାନତ ଅବକାରୀ ବିଭାଗ ଆଦାୟ କରିଥିବା ଜଣାପଡ଼ିଛି । ମୋଟାମୋଟି ଦେଖିବାକୁ ଗଲେ ୩୫ ଗୋଟି ମଦଦୋକାନ ଲଟେରି ହେବା ଆଗରୁ ୭୩୮ ଜଣଙ୍କ ଠାରୁ ଅବକାରୀ ବିଭାଗ ଅସୁଲ କରିଥିବା ୧୮ କୋଟି ୮୬ ଲକ୍ଷ ଟଙ୍କା ନିଜ ପେଡ଼ିରେ ପକାଇସାରିଲାଣି ।

