ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣର ନିଆଁ ନ ଲିଭୁଣୁ, ପୁଣି ଜନତାଙ୍କ ଆକ୍ରୋଶର ଶିକାର ଟିଏମସି ସାଂସଦ । ଆଜି (ରବିବାର) ହୁଗୁଳିରେ କଲ୍ୟାଣ ବାନାର୍ଜୀଙ୍କୁ ଆକ୍ରମଣ କରିଛନ୍ତି ସ୍ଥାନୀୟ ଲୋକେ । ହଠାତ୍ ଏକ ଭିଡ଼ ତାଙ୍କୁ ଘେରିଯାଇ ମାଡ଼ ମାରିଥିବା ଜଣାପଡ଼ିଛି । ପଥର ମାଡ଼ରେ କଲ୍ୟାଣଙ୍କ ମୁଣ୍ଡରେ ଆଘାତ ଲାଗିଛି । ଗତକାଲି ନିର୍ବାଚନୀ ହିଂସାର ପୀଡ଼ିତଙ୍କ ଭେଟିବାକୁ ଯାଇ ଅଭିଷେକ ନିଜେ ହିଂସାର ଶିକାର ହୋଇଥିଲେ । ଆଜି କଲ୍ୟାଣଙ୍କୁ ଜନ ଆକ୍ରୋଶର ଶିକାର ହେବାକୁ ପଡ଼ିଛି ।
ତେବେ ଘଟଣାସ୍ଥଳରେ ନିୟୋଜିତ ସୁରକ୍ଷାକର୍ମୀ କୌଣସି ପ୍ରକାରେ ସାଂସଦ କଲ୍ୟାଣ ବାନାର୍ଜୀଙ୍କୁ ଭିଡ଼ କବଳରୁ ଉଦ୍ଧାର କରିଥିଲେ । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଛି । ଏବେ ଘଟଣାସ୍ଥଳରେ ଏକ ବଡ଼ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ଏବଂ ଭିଡ଼କୁ ଦମନ କରାଯାଉଛି ।
- ଥାନା ଯାଇଥିଲେ କଲ୍ୟାଣ
କଲ୍ୟାଣ ଦଳୀୟ କର୍ମୀଙ୍କ ମୁକ୍ତି ଦାବି କରି ସ୍ମାରକପତ୍ର ଦେବାକୁ ହୁଗୁଳିର ଚଣ୍ଡିତଳା ପୋଲିସ ଷ୍ଟେସନ ଯାଇଥିବାବେଳେ ଭିଡ଼ ହିଂସାର ଶିକାର ହୋଇଛନ୍ତି । ବିରୋଧ ପ୍ରଦର୍ଶନକାରୀ ତାଙ୍କୁ ହଠାତ୍ ଘେରି ଯାଇଥିଲେ, କଳା ପତାକା ଦେଖାଇଥିଲେ, ସ୍ଲୋଗାନ ଦେଇଥିଲେ ଏବଂ ତାଙ୍କ ଉପରେ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ପୁତୁରା ଅଭିଷେକଙ୍କ ଉପରେ ଆକ୍ରମଣକୁ ନେଇ ପୂର୍ବରୁ କ୍ରୋଧିତ ମମତା ବାନାର୍ଜୀଙ୍କୁ ଆକ୍ରମଣ ସମ୍ପର୍କରେ ସୂଚନା ଦିଆଯାଇଛି ।
- କଲ୍ୟାଣଙ୍କ ଉପରକୁ ପଥର ମାଡ଼
ତୃଣମୂଳ କଂଗ୍ରେସର ଏହି ବରିଷ୍ଠ ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି ଯେ ତାଙ୍କୁ ପଥର ସାହାଯ୍ୟରେ ଆକ୍ରମଣ କରାଯାଇଥିଲା, ଯାହା ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି । ସେ ତାଙ୍କ ଦଳର ଗିରଫ ନେତା ଏବଂ କର୍ମୀମାନଙ୍କୁ ମୁକ୍ତ କରିବା ପାଇଁ ଏକ ସ୍ମାରକପତ୍ର ଦାଖଲ କରିବାକୁ ପୋଲିସ ଷ୍ଟେସନ ଯାଇଥିଲେ, ସେତେବେଳେ ବିରୋଧ ପ୍ରଦର୍ଶନକାରୀ “ଚୋର, ଚୋର” କହି ନାରାବାଜି କରିଥିଲେ ।
- କାଲି ଅଭିଷେକଙ୍କ ଉପରେ ହୋଇଥିଲା ଅଣ୍ଡାମାଡ଼
ଗତକାଲି ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ସୋନାରପୁରର କମାରବାଦ ଅଞ୍ଚଳରେ ତୃଣମୂଳ କଂଗ୍ରେସ (TMC)ର ଜାତୀୟ ସାଧାରଣ ସମ୍ପାଦକ ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ହୋଇଥିଲା । ଏକ ଭିଡ଼ ଅଭିଷେକ ବାନାର୍ଜୀଙ୍କୁ ଘେରିଯାଇ ତାଙ୍କ ବିରୁଦ୍ଧରେ “ଚୋର, ଚୋର” ଏବଂ “ବାଂଲାଦେଶୀ” ନାରା ଦେଇଥିଲେ । ଭିଡ଼ ତାଙ୍କ ଉପରକୁ ପଥର, ଜୋତା ଏବଂ ଅଣ୍ଡାମାଡ଼ କରି ଆକ୍ରମଣ କରିଥିଲା । ଏପରିକି ତାଙ୍କ ପୋଷାକ ମଧ୍ୟ ଚିରି ଦେଇଥିଲା । ଏହାପରେ ଶେଷରେ ଅଭିଷେକ ହେଲମେଟ୍ ପିନ୍ଧି କିଛି ସୁରକ୍ଷାକର୍ମୀଙ୍କ ସହ ଜାଗା ଛାଡ଼ିଥିବା ଦେଖିବାକୁ ମିଳିଥିଲା ।
- ଘଟଣାରେ ୫ଜଣ ଗିରଫ
ଅଭିଷେକଙ୍କ ଉପରେ ପଥର ମାଡ଼ ଯୋଗୁଁ ତାଙ୍କ ଆଖି, ପିଠି, ଛାତି ଏବଂ ଗୋଡରେ ଆଘାତ ଲାଗିଛି । ପୋଲିସ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏଯାବତ ୫ ଜଣ ଆକ୍ରମଣକାରୀଙ୍କୁ ଗିରଫ କରିଛି । ଏହି ଆକ୍ରମଣରେ ମମତା ବାନାର୍ଜୀ ଅତ୍ୟନ୍ତ କ୍ରୋଧିତ ହୋଇ ସରକାରଙ୍କ ଉପରେ ବର୍ଷିଛନ୍ତି । ଯଦି ଅଭିଷେକଙ୍କୁ କିଛି ହୁଏ, ତେବେ ସେ କେନ୍ଦ୍ରକୁ ମାଟିରେ ମିଶାଇ ଦେବେ ବୋଲି ଧମକ ଦେଇଛନ୍ତି ।
