ରାଜ୍ୟରେ ତାତି କମିଛି । ଆଗକୁ ଆହୁରି କମିବ । କିନ୍ତୁ ଗରମ ଓ ଗୁଳୁଗୁଳି ଜାରି ରହିପାରେ । ପଶ୍ଚିମ ଓଡ଼ିଶାରେ ତାତିରୁ ତ୍ରାହି ମିଳିବା ଆଶା କମ୍ । ତେବେ କାଳବୈଶାଖୀ ପ୍ରଭାବରେ ବହୁ ସ୍ଥାନରେ ବର୍ଷା ହୋଇପାରେ।
ଆଜି ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ୫୦ରୁ ୬୦କିମି ବେଗରେ ପବନ ବହିପାରେ । ଏଥିପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । କାଳବୈଶାଖୀ ପ୍ରଭାବରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।
ଆସନ୍ତା କାଲି ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି । ୪ ତାରିଖ ଯାଏ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇପାରେ ।
ଗତକାଲି ବଲାଙ୍ଗୀରରେ ସର୍ବାଧିକ ୪୩.୧ ଡିଗ୍ରୀ, ତାପମାତ୍ରା ରେକର୍ଡ ହୋଇଥିଲା। ଟିଟିଲାଗଡ଼ରେ ୪୩, ସମ୍ବଲପୁରରେ ୪୨.୨, ଭବାନୀପାଟଣା ଓ ନୂଆପଡ଼ାରେ ୪୧.୮, ବୌଦ୍ଧରେ ୪୧.୫, ପାରଳାଖେମୁଣ୍ଡିରେ ୪୧.୨ ଡିଗ୍ରୀ ରେକର୍ଡ ହୋଇଛି। ଉପକୂଳ ଓଡ଼ିଶା, ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନର ତାପମାତ୍ରା ୩୬ରୁ ୩୭ ଡିଗ୍ରୀ ରହିବ।
ସମଗ୍ର ଦେଶରେ ମୌସୁମୀ ଋତୁ ଅର୍ଥାତ ଜୁନରୁ ସେପ୍ଟେମ୍ବର ମଧ୍ୟରେ ବର୍ଷାର ପିରମାଣ କେତେ ରହିବ ସେନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । IMDର ଆକଳନ ଅନୁସାରେ ଉତ୍ତର ଓ ଉତ୍ତର-ପୂର୍ବ ଭାରତରେ ସାମାନ୍ୟ ବର୍ଷା ହେବ । କାରଣ ଏଠାରେ ଲଙ୍ଗ ପ୍ରୋଜେକ୍ଟେଡ୍ ଆଭରେଜ୍ ଅର୍ଥାତ ଦୀର୍ଘକାଳୀନ ହାରାହାରି ୯୪%ରୁ ୧୦୬% ପ୍ରତିଶତ ବର୍ଷା ହୋଇପାରେ । କିନ୍ତୁ ମଧ୍ୟ ଓ ଦକ୍ଷିଣ ଉପଦ୍ବୀପ ଭାରତରେ ୯୪%ରୁ କମ ବର୍ଷା ଏବଂ ଉତ୍ତର-ପଶ୍ଚିମ ଭାରତରେ ୯୨%ରୁ କମ ବର୍ଷା ନେଇ ଆକଳନ କରିଛି IMD, ଅର୍ଥାତ ଏସଵୁ ଅଞ୍ଚଳରେ ଜୁନରୁ ସେପ୍ଟେମ୍ବର ମୌସୁମୀ ଋତୁରେ ସ୍ବାଭାବିକ ଠାରୁ କମ୍ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ସେହିପରି ମୌସୁମୀର କୋର ଜୋନରେ ଆସୁଥିବା ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଦୀର୍ଘକାଳୀନ ହାରାହାରି ୯୪%ରୁ କମ୍ ବର୍ଷା ହୋଇପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ମୌସୁମୀ ସମୟରେ ଏଲନିନୋର ପ୍ରଭାବ ପଡ଼ିବା ନେଇ ୯୨% ଚାନ୍ସ ରହିଥିବା କହିଛନ୍ତି IMD ମହାନିର୍ଦ୍ଦେଶକ । ଜୁନରେ ଏଲନିନୋ ସାମାନ୍ୟ ଦୁର୍ବଳ ସ୍ଥିତିରେ ରହିବ । କିନ୍ତୁ ଜୁଲାଇ, ଅଗଷ୍ଟରେ ଦୁର୍ବଳରୁ ମଧ୍ୟମ ସ୍ଥିତିରେ ରହିବ । ସେହିପରି ସେପ୍ଟେମ୍ବରରେ ଏହାର ପ୍ରଭାବ ମଧ୍ୟମରୁ ଅଧିକ ରହିବ । ଓଡ଼ିଶାରେ ମଧ୍ୟ ମୌସୁମୀ ଋତୁରେ ଏଲନିନୋର ପ୍ରଭାବ ରହିବା ନେଇ ସତର୍କ କରାଇଛନ୍ତି , ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟରମୃତ୍ୟୁଞ୍ଜୟ ମହାପାତ୍ର

