ବିବାହ କରି ଘରକୁ ବୋହୂ ଆଣିବାର ବଡ଼ ସ୍ୱପ୍ନ ନେଇ ଗତ ମଇ ୨୪ ତାରିଖ ସକାଳୁ ୪୨ ଜଣ ବର ଓ ସେମାନଙ୍କ ସମ୍ପର୍କୀୟମାନେ ଦେବାସର ରାଧାଗଞ୍ଜ କ୍ଲବ୍ ପଡ଼ିଆରେ ପହଞ୍ଚିଥିଲେ । କିନ୍ତୁ ସେଠାରେ ପହଞ୍ଚିବା ପରେ ସେମାନଙ୍କ ପାଇଁ ଅପେକ୍ଷା କରିଥିଲା ଏକ ବଡ଼ ବିଶ୍ୱାସଘାତକତା। ପଡ଼ିଆରେ ନା ଥିଲା କୌଣସି ବିବାହ ମଣ୍ଡପ, ନା ଥିଲା ଭୋଜିଭାତର ବ୍ୟବସ୍ଥା, ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସେଠାରେ କୌଣସି କନ୍ୟା ମଧ୍ୟ ନଥିଲେ ।
ଆୟୋଜକ ମୁକେଶ ବୈରାଗୀ ଏବଂ ତାଙ୍କ ପତ୍ନୀ ସୁନୀତା ବରପକ୍ଷଙ୍କୁ ଦୀର୍ଘ ସମୟ ଧରି ଠକି ଚାଲିଥିଲେ। ଇନ୍ଦୋରରୁ ଅନାଥ ଆଶ୍ରମର କନ୍ୟାମାନେ ଆସୁଛନ୍ତି ବୋଲି କହି ସେମାନେ ସକାଳୁ ରାତି ୧୦ଟା ପର୍ଯ୍ୟନ୍ତ ବିଭିନ୍ନ ବାହାନା ଦେଖାଇ ସମସ୍ତଙ୍କୁ ଅଟକାଇ ରଖିଥିଲେ। ପରେ ଜଣାପଡ଼ିଥିଲା ଯେ, ସେମାନେ ସୋସିଆଲ ମିଡିଆରୁ ମଡେଲ ଓ ଯୁବତୀମାନଙ୍କ ଫଟୋ ଡାଉନଲୋଡ୍ କରି ମୋବାଇଲ୍ ମାଧ୍ୟମରେ ପରିବାର ଲୋକଙ୍କୁ ଦେଖାଇ ଏହି ମହାଠକେଇର ଜାଲ ବିଛାଇଥିଲେ ଏବଂ ସେମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ମଧ୍ୟ ଆଦାୟ କରିଥିଲେ। ଏହି ସାଂଘାତିକ ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ଅତିରିକ୍ତ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଜୟବୀର ଭାଦୋରିଆଙ୍କ ସୂଚନା ଅନୁଯାୟୀ, ଅଭିଯୋଗକାରୀ ଅଭିଷେକଙ୍କ ବୟାନ ଆଧାରରେ ଭାରତୀୟ ନ୍ୟାୟ ସଂହିତା (ବିଏସ୍ଏସ୍)ର ଧାରା ୩୧୮(୪) ଅନ୍ତର୍ଗତ ଠକେଇ ମାମଲା ରୁଜୁ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ମୁକେଶ ବୈରାଗୀ ଓ ତାଙ୍କ ପତ୍ନୀ ସୁନୀତାଙ୍କୁ ଗିରଫ କରାଯାଇଥିବା ବେଳେ ଏହି ସ୍କିମ୍ରେ ସାମିଲ ଥିବା ଅନ୍ୟ ଦୁଇ ସହଯୋଗୀ ଦିନେଶ ବୈରାଗୀ ଏବଂ ନରସିଂହ ଦାସ ବୈରାଗୀଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଯେଉଁ ୪୨ଟି ପରିବାର ମଙ୍ଗଳ ବାଜା ବଜାଇ ବୋହୂ ନେବାକୁ ଆସିଥିଲେ, ସେମାନଙ୍କ ଦିନ ଶେଷରେ ଥାନାରେ ଅଭିଯୋଗ କରିବାରେ କଟିଲା।

