ରାଜ୍ୟସଭା ସାଂସଦ ପଦରୁ ଦେବାଶିଷ ସାମନ୍ତରାୟ ଇସ୍ତଫା ଦେବା ପରେ ଗୋଟିଏ ପଦ ଖାଲି ପଡ଼ିଛି । ଏବେ ଉକ୍ତ ଖାଲି ପଦ ପୂରଣ ପାଇଁ ନିର୍ବାଚନ କମିଶନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଓଡ଼ିଶାରୁ ଖାଲି ହୋଇଥିବା ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ହେବ ।
ଏନେଇ ଜୁନ୍ ୧ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ନିର୍ବାଚନ କମିଶନର ସୂଚନା ଅନୁସାରେ, ଜୁନ୍ ୮ ସୁଦ୍ଧା ନାମାଙ୍କନ, ଜୁନ୍ ୯ ସୁଦ୍ଧା ଯାଞ୍ଚ, ଜୁନ୍ ୧୧ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇ ପାରିବ । ଆବଶ୍ୟକ ସ୍ଥଳେ ଜୁନ୍ ୧୮ ତାରିଖରେ ଭୋଟ୍ ଗ୍ରହଣ କରାଯିବ ।
ଜୁନ୍ ୧୮ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ । ସେହିଦିନ ସନ୍ଧ୍ୟା ୫ଟାରେ ଭୋଟ୍ ଗଣତି କରାଯିବ । ଜୁନ୍ ୨୦ ତାରିଖ ସୁଦ୍ଧା ଉପନିର୍ବାଚନ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।
ସୂଚନାଯୋଗ୍ୟ, ଦେବାଶିଷ ସାମନ୍ତରାୟ ମେ ୨୫ ତାରିଖରେ ବିଜେଡି ଦଳ ଛାଡ଼ିବା ସହ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ଇସ୍ତଫାର ଦିନକ ପରେ ଦେବାଶିଷ ବିଜେପିରେ ସାମିଲ୍ ହୋଇଥିଲେ । ଏବେ ସେହି ଖାଲି ଆସନ ପାଇଁ ନିର୍ବାଚନ କମିଶନ ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ତେବେ କିଏ ରାଜ୍ୟସଭା ଯିବ ତା ଉପରେ ସମସ୍ତଙ୍କ ନଜର ରହିଛି ।
ରାଜ୍ୟସଭାରେ ଶକ୍ତିଶାଳୀ ହେଉଛି ବିଜେପି
ଓଡ଼ିଶାରେ ବିଜେପି ଶାସନ କ୍ଷମତାକୁ ଆସିବା ପରେ ରାଜ୍ୟସଭାରେ ଦଳର ଉପସ୍ଥିତି ବୃଦ୍ଧି ପାଉଛି । ଏବେ ସଂସଦର ଉଚ୍ଚ ସଦନରେ ବିଜେଡିର ୫ ସାଂସଦ ଅଛନ୍ତି । ଅନ୍ୟପକ୍ଷେ ଏପ୍ରିଲରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେପିରୁ ରାଜ୍ୟ ସଭାପତି ମନମୋହନ ସାମଲ ଓ ସୁଜିତ କୁମାର ନିର୍ବାଚିତ ହୋଇଥିବାବେଳେ, ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିବା ଦିଲ୍ଲୀପ ରାୟଙ୍କୁ ସମର୍ଥନ ଜଣାଇ ରାଜ୍ୟସଭା ପଠାଇଛି ବିଜେପି ।
ତେଣୁ ଏହି ୩ ସାଂସଦଙ୍କ କାର୍ଯ୍ୟକାଳ ୨୦୩୨ ପର୍ଯ୍ୟନ୍ତ ରହିଛି । ସେହିପରି ୨୦୨୪ରେ ବିଜେପି ପାର୍ଥୀ ଭାବେ ନିର୍ବାଚନ ଲଢ଼ିଥିବା ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ ଜଣାଇଥିଲା ବିଜେଡି । ତାଙ୍କର କାର୍ଯ୍ୟକାଳ ମଧ୍ୟ ୨୦୩୦ ପର୍ଯ୍ୟନ୍ତ ରହିଛି ।
ସେପଟେ ୨୦୨୨ରେ ନିର୍ବାଚିତ ହୋଇଥିବା ବିଜେଡି ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ ଏବଂ ମାନସ ମଙ୍ଗରାଜଙ୍କ କାର୍ଯ୍ୟକାଳ ୨୦୨୮ ପର୍ଯ୍ୟନ୍ତ ରହିଛି । ସେହିପରି ବିଜେଡିରୁ ୨୦୨୪ରେ ନିର୍ବାଚିତ ହୋଇଥିବା ଶୁଭାଶିଷ ଖୁଣ୍ଟିଆଙ୍କ କାର୍ଯ୍ୟକାଳ ୨୦୩୦ରେ ସରୁଛି । ଚଳିତବର୍ଷ ବିଜେଡିରୁ ନିର୍ବାଚିତ ରାଜ୍ୟସଭା ସାଂସଦ ସନ୍ତୃପ୍ତ ମିଶ୍ରଙ୍କ କାର୍ଯ୍ୟକାଳ ୨୦୩୨ରେ ସରିବ ।

