ଶ୍ରୀକ୍ଷେତ୍ରରେ ରଥଖଳା ଚଳଞ୍ଚଳ। ରଥ ଚାଳିରେ ଚଉଦନାହାକା ହଣା ଜାରି ରହିଛି । ବିଶ୍ୱକର୍ମାମାନେ ଏହି ଚଉଦ କାଠକୁ ପ୍ରସ୍ତୁତ କରୁଛନ୍ତି । ଦଣ୍ଡା ଉପରେ ଖଦିଓରା ପଡ଼ିବ । ଚଉଦନାହାକାର ସାଲ ସବୁକୁ ଖଦିଓରାର ବିନ୍ଧରେ ସ୍ଥାପନ କରାଯିବ । ଚାରିନାହାକା ଓ ଛଅ କାଠକୁ ଦୃଷ୍ଟିଦେଇ ରଥରେ ବୁଲିବ ଚଉଦନାହାକା । ଏହାପରେ ପ୍ରଥମ ଭୂଇଁ ଟୁଙ୍ଗୁରା ହେବ ।
ରଥତ୍ରୟର ୪୨ ଚକ ଶେଷ ହୋଇ ସାଇତା ଯାଇଛି । ୨୧ ଅଖ ନିର୍ମାଣ ଶେଷ ହେଉଥିବା ସମୟକୁ ଦେବୀ ରଥର ଏକ ଅଖ ଦୁର୍ବଳ ଥିବା ନଜରକୁ ଆସିଲା । ଏହା ସାନଉଛୁଳା ତଥା ବ୍ରେକ୍ ଅଖ । କାଠ କାଟିବା ସମୟରେ ଉକ୍ତ କାଠ ଅଖ ପାଇଁ ଉପଯୁକ୍ତ ନୁହେଁ ଦର୍ଶାଯିବାରେ ଆଉ ଏକ କାଠ ନିର୍ମାଣକାରୀଙ୍କୁ ଯୋଗାଯାଇ ନୂତନ ଅଖ ନିର୍ମାଣ ଆରମ୍ଭ ହୋଇଛି । ସେହିଭଳି ଚଉଦନାହାକା ହଣା ସମୟରେ ଚାଳିରେ ଗୋଟିଏ କାଠ ଅନୁପଯୁକ୍ତ ଜାଣି ବଦଳା ଯାଇଛି ।
ରଥ ଅମିନଙ୍କ ପରାମର୍ଶ କ୍ରମେ ଦଣ୍ଡା ଖେଳାଇଛନ୍ତି ଭୋଇ ସେବକ । ଦଣ୍ଡା କାଠ ଯଥା ସ୍ଥାନରେ ପଡ଼ିଛି । ତିନି ରଥର ୧୨ଟି କରି ମୋଟ ୩୬ଟି ଚଉତା କାଠ । ଚକ ଓ ଅଖ ସଂଯୁକ୍ତ ହୋଇ ରଥର ମୂଳଦୁଆ ପ୍ରସ୍ତୁତ ହେବ । ଅଖ ଉପରେ ଦଣ୍ଡା ପଡ଼ିବ । ଦଣ୍ଡା ଉପରେ ଗରଗରା ରହିବ । ଗରଗରା ଉପରେ ଚାରି ନାହାକା ଉଠିବ । ପରେ ଚଉଦନାହାକା ବୁଲିବ । କୋଣଗୁଜରେ ଅଳଙ୍କରଣ କାର୍ଯ୍ୟ ଜାରି ରହିଛି । ମୁଖ୍ୟ କରତି ସେବକ ରଣଜିତ ମହାରଣାଙ୍କ ତତ୍ତ୍ୱାବଧାନରେ ଗୟଳ କାମ ଚାଲିଛି ।

