ଆଇପିଏଲ୍ର ୬୫ତମ ଲିଗ୍ ମୁକାବିଲାରେ ଆଜି କୋଲକାତା ଘରୋଇ ଗ୍ରାଉଣ୍ଡରେ ମୁମ୍ବାଇକୁ ଭେଟିବ । ଦଳ ପାଇଁ ଏହି ମ୍ୟାଚ୍ ‘କର ବା ମର’ ସଦୃଶ ରହିଛି । ଜିତିଲେ ପ୍ଲେ-ଅଫ୍ ଦୌଡ଼ରେ ରହିବ, ହାରିଲେ ବାଦ୍ ପଡ଼ିବ । କୋଲକାତା ଆଜି ମୁମ୍ବାଇଠୁ ପୂର୍ବ ପରାଜୟର ପ୍ରତିଶୋଧ ନେବା ସହ ପ୍ଲେ-ଅଫ୍ ଦୌଡ଼ରେ ରହିବାକୁ ସବୁ ଶକ୍ତି ଖଟାଇବ । ଅନ୍ୟ ପଟରେ ମୁମ୍ବାଇ କେବଳ ପଏଣ୍ଟ ତାଲିକାରେ ଉନ୍ନତି ଆଣିବାକୁ ପ୍ରୟାସ କରିବ । ଫଳରେ ମ୍ୟାଚ୍ଟି ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି ।
କୋଲକାତା ୧୨ଟି ମ୍ୟାଚ୍ ଖେଳି ୫ ବିଜୟ, ୬ ପରାଜୟ ସହ ମୋଟ ୧୧ ପଏଣ୍ଟ ପାଇଛି । ଆଜି ମୁମ୍ବାଇକୁ ହରାଇଲେ ଦଳର ପଏଣ୍ଟ ସଂଖ୍ୟା ୧୩କୁ ବୃଦ୍ଧି ପାଇବ । ଏହାପରେ ଦଳ ଶେଷ ଲିଗ୍ ମ୍ୟାଚ୍ ଜିତି ପ୍ଲେ-ଅଫ୍ରେ ପହଞ୍ଚି ପାରିବ । ମାତ୍ର ଅନ୍ୟ ଦଳର ପ୍ରଦର୍ଶନ ଉପରେ ଭାଗ୍ୟ ନିର୍ଭର କରିବ । ମୁମ୍ବାଇ ୧୨ଟି ମ୍ୟାଚ୍ରୁ ୮ପଏଣ୍ଟ ପାଇଛି । କୋଲକାତାକୁ ହରାଇଲେ ବି ତାଲିକାରେ ଶେଷ ୨ଟି ଦଳ ମଧ୍ୟରେ ରହିବ ।
ଉଭୟ ଦଳ ଗତ ମାର୍ଚ୍ଚ ୨୯ ତାରିଖରେ ସାମ୍ନାସାମ୍ନି ହୋଇଥିଲେ । ଘରୋଇ ଗ୍ରାଉଣ୍ଡରେ ମୁମ୍ବାଇ ୬ ୱିକେଟ୍ରେ ଏହି ମ୍ୟାଚ୍ ଜିତି ଅଭିଯାନ ଆରମ୍ଭ କରିଥିଲା । ଏଥର କୋଲକାତା ପାଳି । ଘରୋଇ ଗ୍ରାଉଣ୍ଡ୍ ଓ ସମର୍ଥକଙ୍କ ଗହଣରେ ଦଳ ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ଉଭୟ ଦଳ ନିଜ ନିଜ ପୂର୍ବ ମ୍ୟାଚ୍ ଜିତି ଦୃଢ଼ ମନୋବଳରେ ରହିଛନ୍ତି।
ମୁମ୍ବାଇ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପୂର୍ଣ୍ଣ ଫିଟ୍ ହୋଇସାରିଛନ୍ତି । ସେ ଦଳର ନେତୃତ୍ୱ ନେବେ । ସେହିପରି ସୂର୍ଯ୍ୟକୁମାର ଯାଦବ ମଧ୍ୟ ଦଳରେ ଯୋଗ ଦେଇଛନ୍ତି । ଉଭୟଙ୍କ ପ୍ରତ୍ୟାବର୍ତ୍ତନ ବ୍ୟାଟିଂ ବିଭାଗକୁ ଦୃଢ଼ କରିଛି । ଆଜି ରୋହିତ ଶର୍ମା ଓ କୋଲକାତା ସ୍ପିନର ସୁନିଲ ନାରାଏନ୍ଙ୍କ ମଧ୍ୟରେ ଏକ ଲଢ଼େଇ ଦେଖିବାକୁ ମିଳିବ । ନାରାଏନ୍ ପୂର୍ବରୁ ରୋହିତଙ୍କୁ ୧୦ଥର ଆଉଟ୍ କରିସାରିଛନ୍ତି । ବିଳମ୍ବରେ ହେଉ ପଛେ କୋଲକାତା ଏକ ସନ୍ତୁଳିତ ଦଳ ଗଠନ କରିଛି । ଫିନ୍ ଆଲେନ, ଅଙ୍ଗକ୍ରିସ୍ ରଘୁବଂଶୀ ଓ ରିଙ୍କୁ ସିଂହ ଭଲ ଫର୍ମରେ ରହିଛନ୍ତି । ବୋଲିଂ ବିଭାଗ ଶ୍ରେଷ୍ଠ ପ୍ରଦର୍ଶନ ଦେଲେ ବିଜୟ ସହଜ ହୋଇପାରିବ । ଆଜି ବ୍ଲେସିଂ ମୁଜରବାନି ଏକାଦଶକୁ ଫେରିବା ଆଶା କରାଯାଉଛି ।
ଇଡେନ ଗାର୍ଡେନ୍ସର ନଂ-୪ ପିଚ୍ରେ ମ୍ୟାଚ୍ ଖେଳାଯିବ । ଚଳିତ ସିଜନରେ ଏହି ପିଚ୍ରେ ଗୋଟିଏ ମ୍ୟାଚ୍ ଖେଳାଯାଇଛି । କୋଲକାତା ଏହି ମ୍ୟାଚ୍ରେ ରାଜସ୍ଥାନକୁ ହରାଇଥିଲା। ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।
ସମ୍ଭାବ୍ୟ ଦଳ
କୋଲକାତା: ଅଜିଙ୍କ୍ୟ ରାହାଣେ (ଅଧିନାୟକ), ଫିନ୍ ଆଲେନ, ଅଙ୍ଗକ୍ରିସ୍ ରଘୁବଂଶୀ, କାମେରନ ଗ୍ରୀନ, ମନୀଷ ପାଣ୍ଡେ, ରିଙ୍କୁ ସିଂହ, ସୁନିଲ ନାରାଏନ, ଅନୁକୂଳ ରୟ, ବରୁଣ ଚକ୍ରବର୍ତ୍ତୀ, ସୌରଭ ଦୁବେ, କାର୍ତ୍ତିକ ତ୍ୟାଗୀ, ବ୍ଲେସିଂ ମୁଜରବାନି ।
ମୁମ୍ବାଇ: ର୍ୟାନ୍ ରିକେଲଟନ, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ନମନ ଧିର, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ୱିଲ ଜ୍ୟାକ୍ସ, କର୍ବିନ ବସ୍କ, ଦୀପକ ଚହର, ଯଶପ୍ରୀତ ବୁମରା, ରଘୁ ଶର୍ମା, ଏଏମ୍ ଗଜନଫର ।

