ରାଜ୍ୟରେ ଆଜି ହୋଇପାରେ ଏକ ବଡ଼ ପରିବର୍ତ୍ତନ। ପ୍ରଧାନମନ୍ତ୍ରୀଙ୍କ ସମ୍ପ୍ରତିର ଆହ୍ୱାନ ପରେ ଏବେ ଓଡ଼ିଶାରେ ମଧ୍ୟ ସରକାରୀ ଖର୍ଚ୍ଚ କମାଇବା ଓ ସାଧାରଣ ଲୋକଙ୍କ ସହ ନିକଟତର ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ପରିପେକ୍ଷୀରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକକୁ ନେଇ ସମଗ୍ର ରାଜ୍ୟର ନଜର ରହିଛି।
ସୂଚନା ଅନୁସାରେ, ସରକାର ମନ୍ତ୍ରୀ ଓ ଜନପ୍ରତିନିଧିମାନଙ୍କ ପାଇଁ ବ୍ୟବହୃତ ଗାଡ଼ି ଓ କାରକେଡ଼ ବ୍ୟବସ୍ଥା ଉପରେ ବଡ଼ ଅଙ୍କୁଶ ଲଗାଇପାରନ୍ତି। ଅନାବଶ୍ୟକ ଭାବେ ଅଧିକ ଗାଡ଼ି ବ୍ୟବହାର ନ କରିବା, ସୁରକ୍ଷା ନାମରେ ଦୀର୍ଘ କାରକେଡ଼ କମାଇବା ଓ ଇନ୍ଧନ ସଞ୍ଚୟ କରିବା ପାଇଁ ନୂଆ ନିୟମ ଆସିପାରେ। କେବଳ ସେତିକି ନୁହେଁ, ସପ୍ତାହରେ ଗୋଟିଏ ଦିନ ଜନପ୍ରତିନିଧିମାନେ ବସ୍, ଟ୍ରେନ୍ କିମ୍ବା ଅନ୍ୟ ସାଧାରଣ ପରିବହନ ବ୍ୟବସ୍ଥାରେ ଯାତ୍ରା କରିବାକୁ ମଧ୍ୟ ନିଷ୍ପତ୍ତି ହୋଇପାରେ।
ଏହି ପଦକ୍ଷେପ ଦ୍ୱାରା ସରକାର ଏକ ସଂକେତ ଦେବାକୁ ଚାହୁଁଛନ୍ତି ଯେ, ସଙ୍କଟ ସମୟରେ କେବଳ ସାଧାରଣ ଲୋକଙ୍କୁ ନୁହେଁ, ନେତାମାନଙ୍କୁ ମଧ୍ୟ ସଂଯମ ଦେଖାଇବା ଆବଶ୍ୟକ। ଏହା ସାଧାରଣ ଲୋକଙ୍କ ମଧ୍ୟରେ ଏକ ସକାରାତ୍ମକ ସନ୍ଦେଶ ପହଞ୍ଚାଇବ ବୋଲି ମତ ପ୍ରକାଶ ପାଉଛି।
ଅନ୍ୟପଟେ, ବଡ଼ ବଡ଼ ପ୍ରତିଷ୍ଠାନ ଓ କର୍ପୋରେଟ୍ କମ୍ପାନୀମାନଙ୍କ ପାଇଁ ‘ୱର୍କ ଫ୍ରମ୍ ହୋମ୍’ ନୀତି ନେଇ ମଧ୍ୟ ନୂଆ ଗାଇଡ଼ଲାଇନ ଆସିପାରେ। ଏଥିରେ ସପ୍ତାହର କିଛି ଦିନ କର୍ମଚାରୀମାନେ ଘରୁ କାମ କରିବାକୁ ପ୍ରୋତ୍ସାହନ ମିଳିପାରେ। ଏହା ଦ୍ୱାରା ସହରରେ ଟ୍ରାଫିକ୍ ଚାପ କମିବା ସହ ଇନ୍ଧନ ଓ ଶକ୍ତି ସଞ୍ଚୟ ହେବ ବୋଲି ଆଶା କରାଯାଉଛି।
ଏବେ ସବୁଠୁ ବଡ଼ ପ୍ରଶ୍ନ, ଆଜିର ବୈଠକ ପରେ ରାଜ୍ୟରେ କି ସତରେ ଆରମ୍ଭ ହେବ ଏକ ନୂଆ ସରକାରୀ ସଂସ୍କୃତି?ରାଜ୍ୟବାସୀଙ୍କ ନଜର ଏବେ ସେହି ବଡ଼ ଘୋଷଣା ଉପରେ।

