ଚଳିତ ଆଇପିଏଲ୍ର ୫୬ତମ ଲିଗ୍ ମୁକାବିଲାରେ ଆଜି ଗୁଜରାଟ ଘରୋଇ ଗ୍ରାଉଣ୍ଡ୍ରେ ଭ୍ରମଣକାରୀ ହାଇଦ୍ରାବାଦକୁ ଭେଟିବ । ଏହି ମ୍ୟାଚ ଜିତି ଉଭୟ ଦଳ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନକୁ ଉଠିବା ସହ ପ୍ଲେ- ଅଫରେ ପ୍ରବେଶ କରିପାରିବେ । ତେଣୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।
୧୧ଟି ଲେଖାଏଁ ମ୍ୟାଚ ଖେଳି ୧୪ ପଏଣ୍ଟ ଲେଖାଏଁ ଅର୍ଜନ କରି ସାରିଥିବା ଗୁଜରାଟ ଓ ହାଇଦ୍ରାବାଦ ଚଳିତ ସିଜନରେ ପରସ୍ପରକୁ ପ୍ରଥମ କରି ଭେଟିବେ । ଅହମ୍ମଦାବାଦରେ ଖେଳିଥିବା ଶେଷ ୪ଟି ଯାକ ମ୍ୟାଚରେ ହାଇଦ୍ରାବାଦ ପରାଜିତ ହୋଇଛି । ଆଜି ଏହି ରେକର୍ଡରେ ବ୍ରେକ୍ ଲଗାଇବାକୁ କମିନ୍ସ ବାହିନୀ ପ୍ରୟାସ କରିବ ।
ଉଭୟ ଦଳ ବେଶ୍ ସନ୍ତୁଳିତ ରହିଥିବାରୁ ଏକାଦଶରେ ପରିବର୍ତ୍ତନ ହେବା ସମ୍ଭାବନା ନାହିଁ । ଗୁଜରାଟ ପେସ୍ ବୋଲର କାଗିସୋ ରାବାଡା ଓ ହାଇଦ୍ରାବାଦର ଟ୍ରାଭିସେକ ଯୋଡ଼ିଙ୍କ ମଧ୍ୟରେ ଏକ ଦମ୍ଦାର ଫାଇଟ୍ ଦେଖିବାକୁ ମିଳିପାରେ । ରାବାଡ଼ା ଚଳିତ ସିଜନରେ ପାୱାର-ପ୍ଲେରେ ଘାତକ ବୋଲିଂ ଜାରି ରଖିଛନ୍ତି । ସେ ନିୟମିତ ଭାବେ ଘଣ୍ଟା ପ୍ରତି ୧୫୦ କିଲୋ ମିଟର ବେଗରେ ବୋଲିଂ କରୁଛନ୍ତି । ହାଇଦ୍ରାବାଦ ପକ୍ଷରୁ ନୀତିଶ କୁମାର ରେଡ୍ଡୀଙ୍କ ଉପରେ ନଜର ରହିବ ।
ଏହି ମ୍ୟାଚ ପାଇଁ ଗ୍ରାଉଣ୍ଡର ୫ନଂ ପିଚ୍ ପ୍ରସ୍ତୁତ କରାଯାଇଛି । ଏହି ପିଚ୍ରେ ପୂର୍ବରୁ ଗୁଜରାଟ ବିପକ୍ଷରେ ମୁମ୍ବାଇ ବିଜୟ ହାସଲ କରିଥିଲା । ତିଳକ ବର୍ମା ଶତକ ଅର୍ଜନ କରିଥିଲେ। ଆଜି ମଧ୍ୟ ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ଟସ ସେଭଳି ପ୍ରଭାବ ରଖିବ ନାହିଁ । ତଥାପି ରାତ୍ରି ମ୍ୟାଚ ହୋଇଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।
ସମ୍ଭାବ୍ୟ ଦଳ
ଗୁଜରାଟ: ଶୁଭମନ ଗିଲ୍ (ଅଧିନାୟକ), ସାଇ ସୁଦର୍ଶନ, ଜୋସ ବଟଲର, ୱାସିଂଟନ ସୁନ୍ଦର, ଜାସନ ହୋଲ୍ଡର, ନିଶାନ୍ତ ସିନ୍ଧୁ, ରାହୁଲ ତେୱାତିଆ, ରସିଦ ଖାନ, ଅର୍ସଦ ଖାନ, କାଗିସୋ ରାବାଡା, ମହମ୍ମଦ ସିରାଜ, ସାଇ କିଶୋର ।
ହାଇଦ୍ରାବାଦ: ଟ୍ରାଭିସ ହେଡ୍, ଅଭିଷେକ ଶର୍ମା, ଇଶାନ କିଷନ, ହେନରିକ କ୍ଲାସେନ, ନୀତିଶ କୁମାର ରେଡ୍ଡୀ, ଆର ସ୍ମରଣ, ସଲିଲ ଆରୋରା, ପ୍ୟାଟ୍ କମିନ୍ସ (ଅଧିନାୟକ), ଶିବାଙ୍ଗ କୁମାର, ହର୍ଷ ଦୁବେ, ଇଶାନ ମାଲିଙ୍ଗା, ସାକିବ ହୁସେନ ।

