ମଧ୍ୟପ୍ରାଚ୍ୟରେ ଅଶାନ୍ତି ଥମିବାର ନାଁ ଧରୁନାହିଁ । ହୋର୍ମୁଜ ଜଳମାର୍ଗରେ ଜାହାଜ ଚଳାଚଳ ଠପ୍ । ଏଭଳି ସ୍ଥିତିରେ ବିଶ୍ୱ ତୈଳ ଯୋଗାଣ ଭୟଙ୍କର ଭାବେ ପ୍ରଭାବିତ ହୋଇଛି । ପରିଣାମସ୍ୱରୂପ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୧୧୦ ଡଲାର ଉପରେ ରହିଛି । ଗୁରୁବାର ଏହା ୧୨୬ ଡଲାର ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା। ତେବେ ବର୍ତ୍ତମାନ ପରିସ୍ଥିତିରେ ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧିକୁ ଏଡ଼ାଯାଇପାରିବ ନାହିଁ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି ।
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ରେକର୍ଡ ଉଚ୍ଚ ସ୍ତରରେ ଥିବା ସତ୍ତେ୍ୱ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ଗତ ୪ ବର୍ଷ ଧରି ଅପରିବର୍ତ୍ତିତ ରହିଛି। ତେଣୁ ତୈଳ କମ୍ପାନିଗୁଡ଼ିକ ପ୍ରଚୁର କ୍ଷତି ସହୁଛନ୍ତି । ଏଭଳି ସ୍ଥିତିରେ ଆଗକୁ ଇନ୍ଧନ ଦରରେ ଏକ ବୃଦ୍ଧି ସମ୍ଭାବନା ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି ।
ଲିଟର ପିଛା ପେଟ୍ରୋଲ ଏବଂ ଡିଜେଲ ଦର ପ୍ରାୟ ୪ରୁ୫ ଟଙ୍କା ବଢ଼ିପାରେ । ଅନ୍ୟପକ୍ଷରେ, ଘରୋଇ ଏଲ୍ପିଜି ସିଲିଣ୍ଡର ୪୦ରୁ୫୦ ଟଙ୍କା ମହଙ୍ଗା ହୋଇପାରେ । ଯଦି ଏହା ହୁଏ ତେବେ ୪ ବର୍ଷ ମଧ୍ୟରେ ଏହା ପେଟ୍ରୋଲ ଏବଂ ଡିଜେଲ ଦରରେ ହେବ ପ୍ରଥମ ବୃଦ୍ଧି । ୨୦୨୨ରୁ ଉଭୟ ଇନ୍ଧନ ଦର ସ୍ଥିର ରହିଛି ।
ସୂଚନାଯୋଗ୍ୟ, ନିକଟରେ ୫ଟି ରାଜ୍ୟରେ ନିର୍ବାଚନ ଶେଷ ହେବା ପରେ ଇନ୍ଧନ ଦର ବଢ଼ିବ ବୋଲି ଏକ ରିପୋର୍ଟକୁ କେନ୍ଦ୍ର ସରକାର ଖଣ୍ଡନ କରିଥିଲେ । କିନ୍ତୁ ବର୍ତ୍ତମାନ ଭିନ୍ନ ରିପୋର୍ଟରେ ଦରବୃଦ୍ଧି ସମ୍ଭାବନା ରହିଥିବା ଉଲ୍ଲେଖ କରାଯାଇଛି । ମଧ୍ୟପ୍ରାଚ୍ୟରେ ଅଶାନ୍ତି ଜାରି ରହିଥିବାବେଳେ ଯୋଗାଣ ସ୍ଥିତି ଆହୁରି ଖରାପ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି । ପରିବହନଜନିତ ସମସ୍ୟା ଏବଂ ଲମ୍ବା ସମୟ ଧରି ଲାଗି ରହିଥିବା ଅସ୍ଥିରତା ଯୋଗୁ ଅଶୋଧିତ ତୈଳ ଦର ଗତ କିଛି ସପ୍ତାହ ହେବ ବଢ଼ିଚାଲିଛି । ଫଳରେ ତୈଳ କମ୍ପାନିଗୁଡ଼ିକର ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇଛି । ଘରୋଇ ବଜାରରେ ଦର ସ୍ଥିର ରହିଥିବାବେଳେ ଇନ୍ଧନ ବିକ୍ରିରେ ପ୍ରଚୁର କ୍ଷତି ସହୁଛନ୍ତି ତୈଳ କମ୍ପାନି । ବର୍ଦ୍ଧିତ ଅଶୋଧିତ ତୈଳ ଦର ସରକାରଙ୍କ ଆର୍ଥିକ ଚାପ ବଢ଼ାଇଛି । ତେଣୁ ସରକାର ସବ୍ସିଡି କିମ୍ବା ଟିକସ ହ୍ରାସ କରି ଖାଉଟିଙ୍କୁ ଆଶ୍ୱସ୍ତି ଦେବା ପାଇଁ ମଧ୍ୟ ଅସମର୍ଥ ହେଉଛନ୍ତି ।
