ପହଲଗାମ ଗଣହତ୍ୟାକୁ ବର୍ଷେ । ଠିକ୍ ବର୍ଷ ତଳେ ଏପ୍ରିଲ ୨୨ରେ, କଶ୍ମୀରର ବୈସରନ୍ ଉପତ୍ୟକାରେ ୨୬ ପର୍ଯ୍ୟଟକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଆତଙ୍କବାଦୀ । ଧର୍ମ ପଚାରି ଗୁଳି ମାରିଥିଲେ । ଯେଉଁଥିରେ ଅଧିକାଂଶ ଥିଲେ ହିନ୍ଦୁ ପର୍ଯ୍ୟଟକ । ଘଟଣାକୁ ବର୍ଷେ ବିତିଲାଣି, କିନ୍ତୁ ସେହି ୨୬ଟି ପରିବାର ପାଇଁ ସମୟ ସେହି ପହଲଗାମରେ ଅଟକି ଯାଇଛି । ପହଲଗାମ ଆକ୍ରମଣ ଘଟଣାର ପ୍ରଥମ ବାର୍ଷିକୀକୁ ଦୃଷ୍ଟିରେ ରଖି ସେ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି ।
୨୨ ଏପ୍ରିଲ ୨୦୨୫ । ପେହଲଗାମର ବୈସରନ ଉପତ୍ୟକା । କଶ୍ମୀରର ଏ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ସେ ଦିନ ଭୟଙ୍କର ରକ୍ତପାତର ସାକ୍ଷୀ ହୋଇଥିଲା । ଠିକ୍ ବର୍ଷେ ତଳେ, ବୈସରନ୍ ଉପତ୍ୟକାରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ ୨୬ ଜଣ ନିରୀହ ଲୋକଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରିଥିଲେ । ଖୁସିରେ ବୁଲୁଥିଲେ ପର୍ଯ୍ୟଟକ । ଦିନ ପ୍ରାୟ ୧ଟାରୁ ୨ଟା ୪୫ ମଧ୍ୟରେ ୩ ରୁ ୫ ଜଣ ସେନା ପୋଷାକଧାରୀ ଆତଙ୍କବାଦୀ ପହଞ୍ଚିଥିଲେ । ସେମାନଙ୍କ ହାତରେ ଥିଲା ଏକେ-୪୭ ପରି ମାରାତ୍ମକ ଅସ୍ତ୍ରଶସ୍ତ୍ର । ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କୁ ଅଟକାଇ ସେମାନଙ୍କ ନାମ, ଧର୍ମ ଏବଂ ପରିଚୟ ପତ୍ର ମାଗିଥିଲେ। କେବଳ ଅଣ-ମୁସଲମାନ, ମୁଖ୍ୟତଃ ହିନ୍ଦୁମାନଙ୍କୁ ବାଛି ବାଛି ଅତି ପାଖରୁ ଗୁଳି କରିଥିଲେ ଆତଙ୍କବାଦୀ ।
ମୃତ ୨୬ ଜଣଙ୍କ ମଧ୍ୟରେ ମହାରାଷ୍ଟ୍ର, ଓଡ଼ିଶା, ଗୁଜରାଟ, କର୍ଣ୍ଣାଟକ ଏବଂ ଅନ୍ୟାନ୍ୟ ରାଜ୍ୟର ପର୍ଯ୍ୟଟକ ସାମିଲ ଥିଲେ । ଏଥିରେ ଜଣେ ନେପାଳୀ ନାଗରିକ ଏବଂ ୩ ଜଣ ସରକାରୀ ଅଧିକାରୀ ମଧ୍ୟ ଥିଲେ । ଆକ୍ରମଣରେ କାନପୁରର ନବବିବାହିତ ଶୁଭମ ଦ୍ୱିବେଦୀ ଏବଂ ହରିୟାଣାର ନୌସେନା ଅଫିସର ବିନୟ ନରୱାଲଙ୍କ ସମେତ ଅନେକ ନିରୀହ ପ୍ରାଣ ହରାଇଥିଲେ । ଜଣେ ସ୍ଥାନୀୟ ମୁସଲମାନ ବ୍ୟକ୍ତି ସୟଦ ଆଦିଲ ହୁସେନ୍ ଶାହ ପର୍ଯ୍ୟଟକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ନିଜ ଜୀବନ ହରାଇଥିଲେ । ଛୁଟି କାଟିବାକୁ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଓ ପୁଅ ତନୁଜଙ୍କୁ ନେଇ କଶ୍ମୀର ଯାଇଥିଲେ ବାଲେଶ୍ୱର ଇଶାଣୀ ଗାଁର ପ୍ରଶାନ୍ତ ଶତପଥୀ । ପହଲଗାମରେ ପୁଅ ଆଗରେ ପ୍ରଶାନ୍ତଙ୍କୁ ଗୁଳି କରିଥିଲେ ଆତଙ୍କବାଦୀ । ଘଟଣାକୁ ବର୍ଷେ ବିତିଛି । କିନ୍ତୁ ସେ ଦିନ ଆଜି ବି ମୃତକଙ୍କ ପରିବାର ପାଇଁ କଳା ଦିନ ହୋଇ ରହିଛି ।

