ଛେନପୋଡ଼ ଦିବସର ଦିନକ ପରେ ଛେନାପୋଡ଼କୁ ନେଇ ଆସିଲା ଖୁସି ଖବର । ନୟାଗଡ଼ ଛେନାପୋଡ଼କୁ ମିଳିବ GIଟ୍ୟାଗ୍ । ଖୁବ ଶୀଘ୍ର ମିଳିବ ଭୌଗୋଳିକ ସୂଚକ, GI ଟ୍ୟାଗ୍ । ଏ ନେଇ ପଥ ପରିସ୍କାର ହୋଇଛି । ଛେନାପୋଡ଼ ପାଇଁ GI Tag ଆବେଦନ ପଞ୍ଜିକୃତ ହୋଇସାରିଛି । ଏ ବିଷୟରେ ଆଲୋଚନା ପାଇଁ କନସଲଟେଟିଭ୍ ଗ୍ରୁପ୍ ମିଟିଂ ଆସନ୍ତା ମେ ୨୮ ଏବଂ ୨୯ ହେବ । ସାଂସଦ ସମ୍ବିତ ପାତ୍ରଙ୍କୁ ପତ୍ର ଲେଖି ଏ ସୂଚନା ଦେଇଛନ୍ତି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ।
ବୈଠକ ପରେ ‘Geographical Indications of Goods (Registration and Protection) Act, 1999’ ଅନୁଯାୟୀ GI ଟ୍ୟାଗ୍ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ବୋଲି ପୀୟୂଷ ଗୋୟଲ ପ୍ରତିଶ୍ରୁତି ଦେଇଛନ୍ତି । ଓଡ଼ିଶାର ସାଂସ୍କୃତିକ ପରମ୍ପରା ଏବଂ ବିଶେଷ କରି ନୟାଗଡ଼ ଅଞ୍ଚଳ ସହିତ ଛେନାପୋଡ଼ର ଗଭୀର ସମ୍ପର୍କ ରହିଛି। ତାହାକୁ ବର୍ତ୍ତମାନ ସ୍ବୀକୃତି ମିଳିବାକୁ ଯାଉଛି । GI Tag ହେଉଛି ଏକ ସ୍ୱତନ୍ତ୍ର ପରିଚୟ, ଯାହା କୌଣସି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଉତ୍ପାଦକୁ ଦର୍ଶାଏ । ଏହା ଏକ ପ୍ରକାରର ବୌଦ୍ଧିକ ସମ୍ପତ୍ତି ଅଧିକାର । ଅନ୍ୟ କେହି ସେହି ନାମ ବ୍ୟବହାର କରି ନକଲି ଜିନିଷ ବିକ୍ରି କରିପାରିବେ ନାହିଁ । ଓଡ଼ିଶା ରସଗୋଲା, କନ୍ଧମାଳ ହଳଦୀ, ସମ୍ବଲପୁରୀ ବାନ୍ଧ ଶାଢ଼ୀ, ଗଜପତି କାଇ ଚଟଣିକୁ ଜିଆଇ ଟ୍ୟାଗ୍ ମିଳିଛି ।
