ଆଜି ଅପରାହ୍ଣରେ ଖେଳାଯିବ ଆଇପିଏଲ୍ରେ ୧୯ତମ ଲିଗ୍ ମୁକାବିଲା । ରିଷଭ ପନ୍ତଙ୍କ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡରେ ଗୁଜରାଟକୁ ସାମ୍ନା କରିବ । ଉଭୟ ଦଳ ନିଜ ନିଜ ଶେଷ ମଧ୍ୟରେ ପରାଜୟ ଦ୍ୱାରରୁ ଫେରି ବିଜୟୀ ହୋଇଥିଲେ । ଗୁଜରାଟ ମାତ୍ର ୧ ରନ୍ରେ ଦିଲ୍ଲୀକୁ ହରାଇଥିଲା । ସେହପରି କୋଲକାତା ବିପକ୍ଷରେ ନବାଗତ ମୁକୁଲ ଚୌଧୁରୀ ଧୂଆଁଧାର ବ୍ୟାଟିଂ କରି ଲକ୍ଷ୍ନୌକୁ ବିଜୟ ସ୍ୱାଦ ଚଖାଇଥିଲେ ।
କ୍ରିକେଟ୍ ପ୍ରେମୀ ଉଭୟ ମ୍ୟାଚ୍ର ରୋମାଞ୍ଚରୁ ଏପର୍ଯ୍ୟନ୍ତ ବାହାରି ନାହାନ୍ତି । ଆଜି ଉଭୟ ଦଳ ସାମ୍ନା ସାମ୍ନି ହେଉଥିବାରୁ ଉତ୍ସାହ ଶିଖର ଛୁଇଁଛି । ପୂର୍ବ ରେକର୍ଡରେ ଗୁଜରାଟ ଆଗୁଆ ରହିଥିଲେ ହେଁ ଲକ୍ଷ୍ନୌ ଏତେ ସହଜରେ ବିଜୟ ଧାରା ଭାଙ୍ଗିବାକୁ ନାରାଜ । ଉଭୟ ଦଳ ପରସ୍ପରକୁ ୭ଥର ଭେଟିଛନ୍ତି ଓ ଏଥିରୁ ଗୁଜରାଟ ୪ଟି ମ୍ୟାଚ ଜିତିଛି। ମାତ୍ର ଗତ ସିଜନରେ ଲକ୍ଷ୍ନୌ ୨ଟି ଯାକ ମ୍ୟାଚ ଜିତିଥିଲା ।
ଗୁଜରାଟ ୨ଟି ମ୍ୟାଚ ପରାଜିତ ହେବା ପରେ ଦିଲ୍ଲୀ ବିପକ୍ଷରେ ବିଜୟ ଖାତା ଖୋଲିଥିଲା । ଶୁଭମନ ଗିଲ ଉକ୍ତ ମ୍ୟାଚରେ ଅର୍ଦ୍ଧଶତକ ଅର୍ଜନ କରି ଫର୍ମକୁ ଫେରିବାର ସଂକେତ ଦେଇଥିଲେ । ଲକ୍ଷ୍ନୌ ପ୍ରଥମ ମ୍ୟାଚରେ ପରାଜିତ ହେବା ପରେ ପରବର୍ତ୍ତୀ ୨ଟି ମ୍ୟାଚ ଜିତିଛି । ମାତ୍ର ବ୍ୟାଟିଂ ବିଭାଗ ସଂଘର୍ଷ କରୁଛି । ମିଚେଲ ମାର୍ଶ, ଆଡେନ ମାରକ୍ରମ, ନିକୋଲାସ ପୂରନ ଏପର୍ଯ୍ୟନ୍ତ ଦକ୍ଷତା ମୁତାବକ ପ୍ରଦର୍ଶନ କରି ନାହାନ୍ତି । ରିଷଭ ପନ୍ତ ଗୋଟିଏ ଅର୍ଦ୍ଧଶତକ ଅର୍ଜନ କରିଥିଲେ ହେଁ ସଠିକ୍ ଲୟରେ ନଥିବା ତାଙ୍କ ଖେଳରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି ।
ଉଭୟ ଦଳର ବୋଲିଂ ବିଭାଗ ବେଶ୍ ସୁଦୃଢ ରହିଛି । ଉଭୟ ଦଳ ଏକାଦଶରେ କୌଣସି ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । ତଥାପି ଗୁଜରାଟ ଜାସନ ହୋଲ୍ଡରଙ୍କୁ ଖେଳାଇବାକୁ ଯୋଜନା କରିପାରେ । ଗତ ଟି-ଟ୍ୱେଣ୍ଟି ବିଶ୍ୱକପରେ ସେ ୧୦ଟି ୱିକେଟ୍ ଅକ୍ତିଆର କରିଥିଲେ । ବ୍ୟାଟିଂ କରି ମଧ୍ୟ କିଛି ଉପଯୋଗୀ ଇନିଂସ ଖେଳିଥିଲେ । ଲକ୍ଷ୍ନୌ କେବଳ ପରିସ୍ଥିତି ଅନୁଯାୟୀ ଇମ୍ପାକ୍ଟ ଖେଳାଳିରେ ପରିବର୍ତ୍ତନ କରିପାରେ ।
ଏକାନ୍ନା ଷ୍ଟାଡ଼ିୟମ୍ର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବା ନିଶ୍ଚିତ । ପାଗ ମଧ୍ୟ ଶୁଖିଲା ରହିବ । ଦିନରେ ମ୍ୟାଚ ଖେଳାଯାଉଥିବାରୁ ଟସ ଗୁରୁତ୍ୱ ରଖିବ ନାହିଁ ।
ସମ୍ଭାବ୍ୟ ଦଳ
ଲକ୍ଷ୍ନୌ: ଆଡେନ ମାରକ୍ରମ, ମିଚେଲ ମାର୍ଶ, ରିଷଭ ପନ୍ତ(ଅଧିନାୟକ), ଆୟୂଷ ବାଦୋନି, ନିକୋଲାସ ପୂରନ, ଅବଦୁଲ ସମଦ, ମୁକୁଲ ଚୌଧୁରୀ, ମହମ୍ମଦ ସାମି, ଜର୍ଜ ଲିଣ୍ଡେ, ଅଭେଶ ଖାନ, ପ୍ରିନ୍ସ ଯାଦବ, ଦିଗବେଶ ରାଠି ।
ଗୁଜରାଟ: ସାଇ ସୁଦର୍ଶନ, ଶୁଭମନ ଗିଲ୍(ଅଧିନାୟକ), ଜୋସ ବଟଲର, ୱାସିଂଟନ ସୁନ୍ଦର, ଗ୍ଲେନ ଫିଲିପ୍ସ, ରାହୁଲ ତେୱାତିଆ, ଶାହରୁଖ ଖା, ରସିଦ ଖାନ, କାଗିସୋ ରାବାଡା/ଜାସନ ହୋଲ୍ଡର, ଅଶୋକ ଶର୍ମା, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ ।

