ପିଲାଙ୍କ ହାତ ଧରି ପାଠ ପଢ଼େଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବ୍ରହ୍ମା, ବିଷ୍ଣୁ, ମହେଶ୍ୱର କରି ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ପିଲାଙ୍କ ସହ କଥା ବାର୍ତ୍ତା କରିଥିଲେ, ସ୍କୁଲରେ ବେଶ୍ ଆନନ୍ଦମୟ ପରିବେଶ ସୃଷ୍ଟି ହୋଇଥିଲା। ପ୍ରବେଶ ଉତ୍ସବରେ ପିଲାଙ୍କୁ ଶିକ୍ଷଣୀୟ ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ। ଯେଉଁ ମାନେ ଆଜି ପ୍ରଥମ କରି ବିଦ୍ୟାରମ୍ଭ କରିଛନ୍ତି ତାଙ୍କ ପାଇଁ ଆଜି ଦିନଟି ଗୁରୁତ୍ୱପୂର୍ଣ୍ଣ। ପ୍ରାଥମିକ ଶିକ୍ଷାକୁ ଦୃଢ କରିବାକୁ ପ୍ରତି ଗାଁ ରେ ହେବ ମଡେଲ ସ୍କୁଲ୍। ଶିଶୁ ବାଟିକାରୁ ପ୍ରାଥମିକ ଶିକ୍ଷା ଗୋଟିଏ ଛାତ ତଳେ ରହିବ। ସେହିପରି ଶିଶୁ ବାଟିକାରେ ସମସ୍ତ ଅଙ୍ଗନବାଡ଼ି ମିଶିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।
ଆଜି ପାଳନ ହୋଇଛି ଖଡି ଛୁଆଁ ଓ ପ୍ରବେଶ ଉତ୍ସବ। ଶିଶୁ ବାଟିକା ପିଲାଙ୍କୁ ଖଡି ଛୁଆଁ ହୋଇଛି। ରାଜଧାନୀ ଭୁବନେଶ୍ବରର ରାଜଭବନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ହୋଇଛି ଏହି କାର୍ଯ୍ୟକ୍ରମ । ସ୍କୁଲ ପ୍ରବେଶ ଅବସରରେ କୁନି କୁନି ପିଲାଙ୍କୁ ଖଡ଼ି ଛୁଆଁଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ଏହି ଉତ୍ସବକୁ ସମସ୍ତ ଜିଲ୍ଲାରେ ୬ ରୁ ୮ ଏପ୍ରିଲ ଯାଏଁ ପାଳନ କରାଯିବ । ଏହି ଉତ୍ସବରେ ଛାତ୍ରଛାତ୍ରୀ, ଅଭିଭାବକ, ନିର୍ବାଚିତ ପ୍ରତିନିଧ, ବରିଷ୍ଠ ଅଧିକାରୀ, ନାଗରିକ ସମାଜ ଭାଗ ନେବେ । ଏଥିନିମନ୍ତେ ମାର୍ଚ ୧୭ ତାରିଖରୁ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଥିବା ନିମନ୍ତ୍ରଣ ପତ୍ର ସମଗ୍ର ରାଜ୍ୟରେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ନିମନ୍ତେ ଥିବା ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଇଛି ।ଚଳିତ ବର୍ଷ ଜନ ସଚେତନତା ବୃଦ୍ଧି ନିମନ୍ତେ ରାଜ୍ୟ ମୁଖ୍ୟାଳୟରୁ ‘ଶିକ୍ଷା ସଚେତନତା ରଥ’ ଆରମ୍ଭ କରାଯିବ । ଏହି ସଚେତନତା ରଥ ଜିଲ୍ଲା ଓ ବ୍ଲକ୍ରେ ମଧ୍ୟ ବୁଲିବ ।
ଏହି କାର୍ଯ୍ୟକ୍ରମର ସଫଳ କାର୍ଯ୍ୟାନ୍ଵୟନ ନିଶ୍ଚିତ କରିବା ପାଇଁ, ଜିଲ୍ଲା ଏବଂ ବ୍ଲକ୍ରେ କାର୍ଯ୍ୟକଳାପ ଆୟୋଜନ କରାଯିବ । ଛାତ୍ରଛାତ୍ରୀଙ୍କ ସହଭାଗିତା ଏବଂ ଅଂଶଗ୍ରହଣ ଉପରେ ଧାନ କେନ୍ଦ୍ରିତ କରିବା ନିମନ୍ତେ ବିଦ୍ୟାଳୟଗୁଡ଼ିକରେ ବିଷୟବସ୍ତୁ ସମ୍ବନ୍ଧୀୟ କାର୍ଯ୍ୟକଳାପ କ୍ଷେତ୍ର, ଯଥା- ଗପ ରାଇଜ, ରଙ୍ଗର ଦୁନିଆ ଓ ଖେଳଘରର ସ୍ଥାନ ପାଇବ…ଶିଶୁ ବାଟିକାରେ ନାମ ଲେଖାଉଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ‘ଯାଦୁଇ ପିଟାରା’ ବା ଯାଦୁ ପେଡ଼ିକୁ ପ୍ରାଧାନ୍ୟ ଦିଆଯାଇଛି ।
ଆମ ରାଜ୍ୟରେ ପ୍ରତ୍ୟେକ DIET ଦ୍ବାରା ଯାଦୁ ପେଡ଼ି ସାମଗ୍ରୀ ବିକଶିତ ଏବଂ ପ୍ରାସଙ୍ଗିକ କରାଯାଇଛି । ପେଡ଼ିରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଖେଳନା, ପଢିଲ୍, କବିତା ପୋଷ୍ଟର, ଗପ କାର୍ଡ଼, ଚିତ୍ର କାର୍ଡ଼, ଶିକ୍ଷକ ତାରା, ଅଭିଭାବକ ତାରା ସଂଖ୍ୟାଜ୍ଞାନ ପାଇଁ ଶିକ୍ଷଣ ସାମଗ୍ରୀ କିଟ୍ ଇତ୍ୟାଦି ରହିଛି । ପ୍ରତ୍ୟେକ ବିଦ୍ୟାଳୟରେ ଶିଶୁ ବାଟିକାଠାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପିଲାମାନଙ୍କ ପାଇଁ ଯାଦୁ ପେଡ଼ି ରହିବ । ଏହାକୁ ଉଭୟ ଶିକ୍ଷକ ଓ ଅଭିଭାବକ, ଛାତ୍ରଛାତ୍ରୀ ବ୍ୟବହାର କରିବେ ।

