ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ କେନ୍ଦ୍ର ସରକାର କମର୍ସିଆଲ ଏଲ୍ପିଜି ଯୋଗାଣ ଉପରେ କଟକଣା ଲଗାଇଥିଲେ । ଏଥିଯୋଗୁ ହୋଟେଲ୍ ଏବଂ ରେସ୍ତୋରାଁଗୁଡ଼ିକ ଏଲ୍ପିଜି ଉପଲବ୍ଧତା ନେଇ ଚିନ୍ତାରେ ରହିଥିଲେ । ସେମାନଙ୍କର ଏହି ଚିନ୍ତା ଏବେ ଟଳିଛି । ୫ ଦିନ ପରେ ପୁଣିଥରେ ୨୯ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ କମର୍ସିଆଲ ସିଲିଣ୍ଡର ଯୋଗାଣ ଆରମ୍ଭ ହୋଇଛି । ଆତଙ୍କିତ ହୋଇ ଏଲ୍ପିଜି ବୁକିଂ ନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି । ଯୁଦ୍ଧ ସ୍ଥିତିରେ ସାଧାରଣ ଖାଉଟି ଯେଭଳି କୌଣସି ସମସ୍ୟାର ସାମ୍ନା ନ କରିବେ, ସେଥିଲାଗି ସରକାର ଘରୋଇ ଏଲ୍ପିଜି ଯୋଗାଣ ବ୍ୟବସ୍ଥିତ ନେଇ ନିରନ୍ତର ଉଦ୍ୟମ କରିଥିଲେ । ସେହିଭଳି ସିଲିଣ୍ଡର କଳାବଜାରୀ ଏବଂ ବେଆଇନ ଭଣ୍ଡାରଣ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ସାରା ଦେଶରେ ଚଢ଼ାଉକ ଜୋରଦାର କରାଯାଇଛି । ଖାଉଟି ଏଲ୍ପିଜି ଲାଗି ଚିନ୍ତିତ ନ ହେବାକୁ ସରକାର ଅନୁରୋଧ କରିଛନ୍ତି ।
ଅନ୍ୟପଟେ ପାଇପ୍ ଯୋଗେ ଗ୍ୟାସ ବା ପିଏନ୍ଜି ସଂଯୋଗ ନେଇଥିବା ଗ୍ରାହକମାନେ ଏଲ୍ପିଜି ସୁବିଧା ପାଇବାରେ ଏବେ କଟକଣା ଲଗାଯାଇଛି । ପେଟ୍ରୋଲିୟମ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି, ଦିଲ୍ଲୀ,ଏନ୍ସିଆର୍ର ଶିଳ୍ପ ହୋଟେଲ, ରେସ୍ତୋରାଁ ଗୁଡ଼ିକ ନାଚୁରାଲ ଗ୍ୟାସ ପରିବର୍ତ୍ତେ ବାୟୋମାସରୁ ପ୍ରସ୍ତୁତ ପେଲେଟ ବିଶେଷ କରି ରିୟୁଜ୍ଡ ଡିରାଇବ୍ସ ଫୁଏଲ (ଆର୍ଡିଏଫ୍) ଅସ୍ଥାୟୀ ଭାବେ ବ୍ୟବହାର କରିବାକୁ ମଞ୍ଜୁରି ଦିଆଯାଇଛି । ଏବେ ଦେଶ ମଧ୍ୟରେ ଲୋକେ ପ୍ରତିଦିନ ୮୮ ଲକ୍ଷ ଏଲ୍ପିଜି ବୁକିଂ କରୁଛନ୍ତି । ଯାହା ପୂର୍ବରୁ ୫୫ ଲକ୍ଷ ଥିଲା । ଅର୍ଥାତ୍ ଭୟଭୀତ ହୋଇ ଲୋକେ ଏଲ୍ପିଜି ଜମା କରୁଛନ୍ତି । କମ୍ପାନିଗୁଡ଼ିକ ଦୈନିକ ୫୦ ଲକ୍ଷ ସିଲିଣ୍ଡର ଡେଲିଭରି କରୁଛନ୍ତି । ସିଲିଣ୍ଡର ଲାଗି ଥରେ ବୁକିଂ ହେବାର ୨୫ ଦିନ ମଧ୍ୟରେ ପୁଣି ଥରେ ବୁକିଂ ହୋଇପାରିବ ନାହିଁ । ଗ୍ରାମାଞ୍ଚଳ କ୍ଷେତ୍ରରେ ଏହା ୪୫ ଦିନ ।
ଦେଶ ଏହାର ୮୮% ଅଶୋଧିତ ତୈଳ ଏବଂ ୫୦% ଗ୍ୟାସ ବିଦେଶରୁ ଆମଦାନି କରୁଛି । ଦେଶ ମଧ୍ୟରେ ଗ୍ୟାସ ଉତ୍ପାଦନ ପ୍ରଥମେ ୧୦% ବଢ଼ିଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ୨୫% ଏବଂ ବର୍ତ୍ତମାନ ୩୦% ବୃଦ୍ଧି କରାଯାଇଛି । ଦେଶ ମଧ୍ୟରେ ପେଟ୍ରୋଲ, ଡିଜେଲ ଏବଂ କିରୋସିନର କୌଣସି ଅଭାବ ନ ଥିବା କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି । ଭାରତ ଲାଗି ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ ଖୋଲିଛି । ତେଲ ଏବଂ ଗ୍ୟାସ ଯୋଗାଣ ସ୍ୱାଭାବିକ କରିବାକୁ ସବୁ ଚେଷ୍ଟା ଜାରି ରହିଛି । ଏଭଳି ସ୍ଥିତିରେ ଦେଶ କୌଣସି ସମସ୍ୟାର ସାମ୍ନା କରିବନି ବୋଲି ଶ୍ରୀ ସିନ୍ଧିଆ ଉଲ୍ଲେଖ କରିଛନ୍ତି । ସେହିଭଳି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ସଂସଦକୁ କହିଥିଲେ, ଦେଶରେ ପର୍ଯ୍ୟାପ୍ତ ଗ୍ୟାସ ଉପଲବ୍ଧ ରହିଛି ।
ନୌସେନା ସୁରକ୍ଷାରେ ଭାରତ ଆସୁଛି ଏଲ୍ପିଜି ଟ୍ୟାଙ୍କର
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ହୋର୍ମୁଜ ଜଳମାର୍ଗରେ ନୌପରିବହନ ବାଧା ପାଇଛି । ଏଭଳି ସ୍ଥିତିରେ ହୋର୍ମୁଜ୍ରେ ଦୁଇ ଭାରତୀୟ ଏଲ୍ପିଜି ଟ୍ୟାଙ୍କରଙ୍କୁ ଅନୁମତି ମିଳିଛି । ବର୍ତ୍ତମାନ ଭାରତମୁହାଁ ଏହି ଏଲ୍ପିଜି ଟ୍ୟାଙ୍କରଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଭାରତୀୟ ନୌସେନାର ଯୁଦ୍ଧଜାହାଜଗୁଡ଼ିକ ଓମାନ ଉପସାଗରରେ ପହଞ୍ଚିଛନ୍ତି ଏବଂ ବାଣିଜ୍ୟ ପରିବହନ ଉପରେ ନଜର ରଖିଛନ୍ତି । ନୌସେନାର ସୁରକ୍ଷା ସହ ଭାରତ ଆସୁଛି ଏହି ଭାରତ ପତାକାଯୁକ୍ତ ଏଲ୍ପିଜି ଟ୍ୟାଙ୍କର । ଓଏସ୍ଆଇଏନ୍ଟି ବିଶେଷଜ୍ଞ ଡାମିଏନ୍ ସିମୋନ୍ଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଟ୍ରାକିଂ ଡାଟା ଏବଂ ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଛି ଯେ, ଭାରତୀୟ ପତାକା ରହିଥିବା ଏଲ୍ପିଜି ଟ୍ୟାଙ୍କର ଶିବାଲିକ ହୋର୍ମୁଜ ଜଳପଥ ଅତିକ୍ରମ କରିବା ପରେ ନୌସେନା ଜାହାଜ ସହିତ ଯାତ୍ରା କରୁଛି ।
ଡାମିଏନ୍ ସିମୋନ୍ଙ୍କ କହିବାନୁସାରେ, ଭାରତୀୟ ନୌସେନାର ୩ଟି ଯୁଦ୍ଧ ଜାହାଜ ଓମାନ ଉପସାଗରରେ ପହଞ୍ଚିଛନ୍ତ । ସେଠାରେ ରହିଥିବା ଅଶାନ୍ତ ସ୍ଥିତି ମଧ୍ୟରେ ଦେଶର ବାଣିଜ୍ୟ ଜାହାଜଗୁଡ଼ିକୁ ଏମାନେ ସୁରକ୍ଷା ସହିତ ଭାରତ ଆଣିବେ । ଜାହାଜ-ଟ୍ରାକିଂ ତଥ୍ୟ ଅନୁସାରେ, ଭାରତ ପତାକାଯୁକ୍ତ ଏଲ୍ପିଜି ଟ୍ୟାଙ୍କର ଶିବାଲିକ ଏବେ ନୌସେନାର ସୁରକ୍ଷା ବଳୟରେ ରହିଛି । ଏଲ୍ପିଜି ଟ୍ୟାଙ୍କର ଶିବାଲିକ ଏବଂ ନନ୍ଦା ଦେବୀ ହୋର୍ମୁଜ ପାର୍ କରିବା ପରେ ଏହି ଅଗ୍ରଗତି ଦେଖିବାକୁ ମିଳିଛି । ସିପିଂ କର୍ପୋରେଶନ୍ ଅଫ୍ ଇଣ୍ଡିଆ ଦ୍ୱାରା ଅଧିକୃତ ଏହି ଦୁଇ ଟ୍ୟାଙ୍କର ପ୍ରାୟ ୮୫,୦୦୦ ମେଟ୍ରିକ୍ ଟନ ଏଲ୍ପିଜି ନେଇ ଭାରତ ଅଭିମୁଖେ ଆସୁଛନ୍ତି ।

